କିନ୍ତୁ ସତ କହିଲେ ବଡ଼ ଦାଣ୍ଡରୁ ଆଜି ଲୀଳା ସରିଗଲା। ରଥ ଶୂନ୍ୟ, ପଥ ଶୂନ୍ୟ, ପୂର୍ଣ୍ଣ ହେବ ଶ୍ରୀବତ୍ସ ଖଣ୍ଡଶାଳ ବଡ଼ ଦେଉଳ।
ଶୂନଶାନ୍ ହୋଇ ପଡିଥିବା ବଡ଼ ଦେଉଳ, ପୁଣିଥରେ ଗହଳ ଚହଳରେ ଫାଟି ପଡିବ। ଆଉ ଆଜି ଗଇଁଠାଳ ଫିଟିବ।
ଜାଣିଛନ୍ତି, ଏ ଭକତ ଭୋଳିଆ ଠାକୁର ବାହା ହେଇଥିଲେ ଚମ୍ପକ ଦ୍ୱାଦଶୀରେ, ଚତୁର୍ଥୀ ପରେ ପରେ ଗାଧୋଇକି ଜରରେ ପଡିଲେ। ଆଉ ତା ପରେ ଗୁଣ୍ଡିଚାବାଡିକୁ ବାହାରି ଗଲେ। ଅଭିଲା ଭଲା ଠାକୁର ଆମର। ନୂଆ ବାହା ହେଇଥିବା ସ୍ତ୍ରୀଙ୍କୁ ଛାଡି କିଏ କ’ଣ ଏମିତି ଯାଏ! ତଥାପି ଇଏ ପଳେଇଥିଲେ।
ଭକତ ଭୋଳିଆ ଠାକୁର ପରା।
ଆଜି ରସଗୋଲା ଖୁଆଇ ମା’ ଲକ୍ଷ୍ମୀଙ୍କ ମାନ ଭଞ୍ଜନ କରିବେ ଠାକୁର। ଆଉ ବାହାଘରରେ ପଡିଥିବା ଗଇଁଠାଳ ଫିଟିବା ପରେ ରତ୍ନସିଂହାସନରେ ଦୃଶ୍ୟମାନ ହେବେ ସପ୍ତାଭରଣ ବିଗ୍ରହ। ବଳଭଦ୍ର, ସୁଭଦ୍ରା, ଜଗନ୍ନାଥ, ସୁଦର୍ଶନ, ଭୁଦେବୀ, ଶ୍ରୀଦେବୀ ଆଉ ମାଧବ।
ସ୍ନାନପୂର୍ଣ୍ଣମୀ ଦିନ ସ୍ନାନବେଦି ଛାଡ଼ିଥିବା ଶ୍ରୀଜଗନ୍ନାଥ-ଚତୁର୍ଦ୍ଧାମୂର୍ତ୍ତି ଆଜି ପୁଣି ରତ୍ନସିଂହାସନ ଚଢିବେ। ଆଉ ଭିତରକୁ ଗଲାବେଳେ ମା’ ଲକ୍ଷ୍ମୀଙ୍କ ମାନ ଭଞ୍ଜନ ପାଇଁ ଖୋଇ ଦେବେ ପ୍ରେମର ରସଗୋଲା। ସମସ୍ତଙ୍କୁ ସନ୍ତୁଷ୍ଟ କରି ରଥଯାତ୍ରା କରୁଥିବା ଆମ କଳା ସାଆନ୍ତ ମା’ଙ୍କ ମନ ବୁଝନ୍ତି, ତାଙ୍କ ଅଧରରେ ଶ୍ରୀହସ୍ତରୁ ରସଗୋଲା ଖୋଇ ମାନ ଭାଙ୍ଗନ୍ତି।
ଜାଣିଛନ୍ତି ଆଗରୁ ଏହି ‘ନୀଳାଦ୍ରିବିଜେ’ ନୀତି ଆଷାଢ଼ ଶୁକ୍ଳ ଦ୍ୱାଦଶୀରେ ଅନୁଷ୍ଠିତ ହେଉଥିଲା। ଅଧର ପ୍ରପାନକ ବା ଅଧର ପଣା ଲାଗି ପରେ ଠାକୁରେ ଭିତରକୁ ବିଜେ କଲେ ରସଗୋଲା ଭୋଗ ସମର୍ପଣ ହେଉଥିଲା। କିନ୍ତୁ ପରବର୍ତ୍ତି ସମୟରେ ଏଥିରେ ପରିବର୍ତ୍ତନ ଆସିଛି।
ବଡ଼ଠାକୁର ଓ ସୁଭଦ୍ରା ପହଣ୍ଡି ହୋଇ ରତ୍ନ ସିଂହାସନକୁ ଆସିଲାବେଳେ ଠାକୁରଙ୍କୁ ଶୁଆ-ଶାରୀ ଦେଉଳଠାରେ ପତି ମହାପାତ୍ର ପ୍ରସାଦ ଲାଗି କରନ୍ତି। ଘସା ଜଳ, ବିଡ଼ିଆ ମଣୋହି କରି ବନ୍ଦାପନା କରନ୍ତି।
ସେହିପରି, ଶ୍ରୀଜଗନ୍ନାଥଙ୍କ ମହାପ୍ରଭୁଙ୍କ ବିଜେ ସମୟରେ ଭଣ୍ଡାରକୁ ମୁହଁ କରି ଭଣ୍ଡାରଦ୍ୱାରଠାରେ ବିଜେ କରିଥିବା ଲକ୍ଷ୍ମୀଙ୍କ ପାଖରେ ବିଜେ ହୁଅନ୍ତି। ଏଇଠାରେ ରୁକ୍ମିଣୀ ବିବାହର ଗଇଣ୍ଠାଳ ଭିତରଛ ମହାପାତ୍ର ଫିଟାନ୍ତି। ଏପରିକି ଏହିଠାରେ ମହାଲକ୍ଷ୍ମୀଙ୍କ ନିମିତ୍ତ ରସଗୋଲା ଭୋଗ ସମର୍ପଣ ହୋଇଥାଏ।
ଆଜି ସେହି ରସଗୋଲାର ଦିନ। ଜଗନ୍ନାଥ କରନ୍ତୁ ଏ ସମଗ୍ର ବିଶ୍ୱ ଭଲପାଇବାର ପ୍ରେମ ରସରେ ଜୁଡୁବୁଡୁ ହେଉ। ସମସ୍ତଙ୍କ ମନରେ ଆନନ୍ଦର ଦୀପ ଜଳୁ। ଆଉ ସମସ୍ତେ କୁହନ୍ତୁ, କେହି ସରି କି, ପ୍ରଭୁ ପଣେ ନିଳାଦ୍ରୀ କେଶରୀ କୀ ?
ଆଲେଖ୍ୟ : ମିହିର ପଟ୍ଟନାୟକ