ଆଜି ରାଜ୍ୟ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ବର୍ତମାନ ସୁଦ୍ଧା ଓଡ଼ିଶାର ୩କୋଟି ୨୫ଲକ୍ଷ ହିତାଧିକାରୀଙ୍କୁ ଗତ ୨୦୨୦ ମସିହା ମେ ମାସରୁ ୨୦୨୨ ମସିହା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ୫ଟି ପର୍ଯ୍ୟାୟରେ ପ୍ରାୟ ୩୦.୭୭ଲକ୍ଷ ମେଟ୍ରିକ୍ ଟନ୍ ଖାଦ୍ୟଶସ୍ୟ ଆବଟଂନ କରାଯାଇଛି । ଯାହାର ମୋଟ ଆନୁମାନିକ ମୂଲ୍ୟ ୧୦ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେବ । ଷଷ୍ଠଥର ପାଇଁ ଯୋଜନା ଅଧୀନରେ ଓଡ଼ିଶାର ପ୍ରାୟ ୩.୨୫କୋଟି ଲୋକ ଉପକୃତ ହେଉଥିବାବେଳେ ଏଥିପାଇଁ ୩,୫୫୦କୋଟି ଟଙ୍କା ବ୍ୟୟବରାଦ ହୋଇଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଓଡିଶାରେ ଓ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା କାର୍ଡଧାରୀଙ୍କ ମଧ୍ୟରେ ପାର୍ଥକ୍ୟ କାହିଁକି ଦେଖାଦେଉଛି ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି ।
କେନ୍ଦ୍ର ସରକାର ‘ୱାନ ନେସନ - ୱାନ ରାସନ’ ଯୋଜନା ଆରମ୍ଭ କରିଥିବାବେଳେ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ଲାଗୁ କରିନାହାନ୍ତି କାହିଁକି ? ଏହି କାରଣରୁ ରୋଜଗାର ପାଇଁ ରାଜ୍ୟ ବାହାରେ ଥିବା ଲକ୍ଷ ଲକ୍ଷ ଓଡ଼ିଆ ରାସନ ପାଇବାରୁ ବଂଚିତ ହେଉଛନ୍ତି । କେନ୍ଦ୍ର ଦେଉଥିବା ରାସନ ଯାଉଛି କୁଆଡେ, ଭୂତ କାର୍ଡଧାରୀଙ୍କ ରାସନ କିଏ ଖାଉଛି, ରାଜ୍ୟରେ କେତେଜଣ ରାସନ କାର୍ଡଧାରୀ ଅଛନ୍ତି ତାହାକୁ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି ଆଜି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ ପ୍ରଶ୍ନ କରିଛନ୍ତି ।
ରାଜ୍ୟରେ ହଜାର ହଜାର ସଂଖ୍ୟାରେ ଯୋଗ୍ୟ ହିତାଧିକାରୀମାନେ ରାସନ କାର୍ଡ ପାଇବା ପାଇଁ ପଂଚାୟତ, ବ୍ଲକ ଓ ମ୍ୟୁନିସିପାଲଟି ସ୍ତରରେ ଆବେଦନ କରିବା ପରେ ରାଜ୍ୟ ସରକାର ସେମାନଙ୍କୁ ରାସନ କାର୍ଡ ଯୋଗାଇ ବାରେ ବିଫଳ ହୋଇଛନ୍ତି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଗଣାରେ ରାସନ ଯୋଗାଉଥିବା ସମୟରେ ରାଜ୍ୟ ସରକାର ୫ ଲକ୍ଷ ଭୂତ ରାସନ କାର୍ଡଧାରୀଙ୍କ ତାଲିକା କେନ୍ଦ୍ରକୁ ଦେଇଛନ୍ତି । ଯୋଗ୍ୟ ହିତାଧିକାରୀ ମାନଙ୍କ ରାସନ କାର୍ଡ ତାଲିକା ରାଜ୍ୟ ସରକାର କେନ୍ଦ୍ରକୁ କେବେ ପଠାଇବେ ବୋଲି ଶ୍ରୀ ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ।
ମହାମାରୀ ସମୟରେ ଓଡିଶାର କରୋନାର ପ୍ରଥମ ଲହରରେ ଉଭୟ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୃକ୍ତ ପ୍ରାୟ ୯୫ଲକ୍ଷ ୫୧ ହଜାର କାର୍ଡଧାରୀଙ୍କୁ ସରକାର ୧ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦେବା ପାଇଁ ୩୦ଟି ଜିଲ୍ଲାକୁ ୯୫୫ କୋଟି ୧୬ ଲକ୍ଷ ୯୫ ହଜାର ଟଙ୍କା ଆବଂଟନ କରିଥିଲେ । କିନ୍ତୁ ଜିଲ୍ଲା ଯୋଗାଣ ଅଧିକାରୀମାନେ ରାଜ୍ୟ ସରକାରଙ୍କୁ ମାତ୍ର ୯୩୪ କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର (ୟୁସି) ପ୍ରଦାନ କରିଛନ୍ତି । ବଳକା ପ୍ରାୟ ୨ ଲକ୍ଷରୁ ଉର୍ଦ୍ଧ୍ୱ କାର୍ଡଧାରୀଙ୍କୁ ୨୧ କୋଟି ଟଙ୍କା ବର୍ତମାନ ସୁଦ୍ଧା ବଂଟନ କରିବାରେ ରାଜ୍ୟ କାହିଁକି ବିଫଳ ହୋଇଛନ୍ତି ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି ।
ରାଜ୍ୟରେ ଚାଷୀଙ୍କ ତାଲିକା ନାହିଁ କି ଏପର୍ଯ୍ୟନ୍ତ ଖାଉଟି ତାଲିକା ବି ନାହିଁ । କେନ୍ଦ୍ର ୩କୋଟି ୨୫ଲକ୍ଷ ଲୋକଙ୍କୁ ଖାଦ୍ୟ ଦେଲା ପରେ ବି ଲୋକେ ରାସନରୁ ବଂଚିତ ହେଉଛନ୍ତି । କେନ୍ଦ୍ରର ଯୋଜନାକୁ ନିଜ ଯୋଜନା କହି ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଦେଉଛନ୍ତି । ପଂଚାୟତ ଓ ପୌର ନିର୍ବାଚନରେ ବିଜୁ ଜନତା ଦଳର ମନ୍ତ୍ରୀ ଓ ନେତାମାନେ ଭୋଟ ହାତେଇବା ପାଇଁ ମିଛ ରାସନ କାର୍ଡ ବଂଟନ କରିବାକୁ ମଧ୍ୟ ପଛଘୁଂଚା ଦେଇନଥିଲେ । ମୁଖ୍ୟମନ୍ତ୍ରୀ ଗରିବ ଲୋକଙ୍କ ସହ ପ୍ରହସନ ନକରନ୍ତୁ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ, ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ ଦାସ୍, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।