
ଅର୍ଗସ ବ୍ୟୁରୋ : ଶୁକ୍ରବାର ମାଟ୍ରିକ ଫଳ ବାହାରିଲା। ଏଥିରେ ଅଧିକାଂଶ ପିଲାଙ୍କୁ ଆଶାତିତ ସଫଳତା ମିଳିଛି କହିଲେ ଠିକ୍ ହେବ। ଏଥର ମାଟ୍ରିକ ପରୀକ୍ଷା ପାସ୍ ହାର ୯୭.୮୯ ପ୍ରତିଶତ ଥିବା ବେଳେ ମୋଟ ୫, ୭୪,୧୨୫ ପିଲାଙ୍କ ମଧ୍ୟରୁ ୫,୬୨,୦୧୦ ପିଲା ପାସ କରିଛନ୍ତି । ଆଉ ଫେଲ ହୋଇଛନ୍ତି ୭୭୦୩ ଜଣ।
ଯାହାକୁ ନେଇ ପ୍ରଶ୍ନ ଉଠାଇଛି ଅଭିଭାବକ ମହାସଂଘ। ସଂଘ ପକ୍ଷରୁ କୁହାଯାଇଛି ଯେ, ରେକର୍ଡ ପ୍ରତିଶତ ମାଟ୍ରିକ ଫଳକୁ ସ୍ୱାଗତ, ଅନୁପସ୍ଥିତ ଓ ଅଣହସ୍ତଗତ ତଥ୍ୟ ଦେଖାଇ ପରୀକ୍ଷାର୍ଥୀଙ୍କୁ ଫେଲ କରାଯାଇଥିବାରୁ ଏହାର ପୁନଃ ବିଚାର ହେଉ।
ବହୁ କଳ୍ପନା ଜଳ୍ପନା ପରେ ରେକର୍ଡ ପ୍ରତିଶତ ମାଟ୍ରିକ ଫଳ ପ୍ରକାଶ ପାଇଛି l ବହୁତ ପିଲା ଏଥିରେ ଉପକୃତ ହୋଇଥିବାର ସୂଚନା ମିଳୁଥିବା ବେଳେ କିଛି ମେଧାବୀ ପିଲା ପରୀକ୍ଷା ଫଳକୁ ନେଇ ଆପତ୍ତି ଉଠାଇଛନ୍ତି l ଯେହେତୁ ପୂର୍ବରୁ ପରୀକ୍ଷାର ରେଜଲ୍ଟକୁ ନେଇ ମୂଲ୍ୟାଙ୍କନ ହୋଇଛି ତେଣୁ ବୋର୍ଡ ପରୀକ୍ଷା ଭଳି ସର୍ବୋତମ ପରିଶ୍ରମ କରି ଫଳ ଆଣିବାର ସ୍ବପ୍ନ ବହୁ ମେଧାବୀ ପିଲାଙ୍କର ପୂରଣ ନ ହେବା କିଛି ଅସ୍ୱାଭାବିକ କଥା ନୁହେଁ l
ଫଳାଫଳକୁ ଓଡିଶା ଅଭିଭାବକ ମହାସଂଘ ସ୍ୱାଗତ କରୁଛି l ହେଲେ ୪୪୧୨ ପିଲା ପୂର୍ବରୁ ପରୀକ୍ଷାରେ କିଛି ବ୍ୟକ୍ତିଗତ, ସ୍ୱାସ୍ଥ୍ୟ ଜନିତ ଓ ଅନ୍ୟାନ୍ୟ କାରଣରୁ ଅନୁପସ୍ଥିତ ଥିବାରୁ ସେମାନଙ୍କ ଫେଲ କରିଦିଆଯାଇଛି l ଯେହେତୁ ବୋର୍ଡ ପରୀକ୍ଷା ନ ଥିଲା ତେଣୁ ସେମାନେ ପରୀକ୍ଷା ନ ଦେଇ ଥିବାରୁ ସେମାନଙ୍କୁ ଡାକି ପରୀକ୍ଷା କରାଇବାର ବ୍ୟବସ୍ଥା କରିବାର ଥିଲା l
ଦ୍ଵିତୀୟତଃ ୨୨୪୫ ପିଲାଙ୍କ ପୂର୍ବରୁ ପରୀକ୍ଷା ଫଳର ତଥ୍ୟ ବୋର୍ଡ ପାଖରେ ପହଂଚି ପାରିନି l ସେଥିପାଇଁ ସେମାନଙ୍କୁ ଫେଲ କରିଦିଆଯାଇଛି l ଏଥିପାଇଁ ସେମାନେ ଦାୟୀ ନୁହନ୍ତି l ସ୍କୁଲ କର୍ତ୍ତୃପକ୍ଷ କିମ୍ବା ବିଭାଗ ଏଥିପାଇଁ ଦାୟୀ l ତେଣୁ ସେଥିପାଇଁ ସେମାନେ କାହିଁକି ଫେଲ ହେବେ ବୋଲି ପ୍ରଶ୍ନ କରିଛି ମହାସଂଘ l ଯେତେବେଳେ ଧୁଆ ମୂଳl ଓ ଆଧୁଆମୂଳ ସବୁ ପାସ କଲେ ତାଙ୍କ ପ୍ରତି କାହିଁକି ଅନ୍ୟାୟ କରାଗଲା ବୋଲି ସଂଘ ପ୍ରଶ୍ନ କରିଛି l ତେଣୁ ସେମାନଙ୍କ ପାଇଁ ତୁରନ୍ତ ପରୀକ୍ଷା କରି ରେଜଲ୍ଟ ବାହାର କରିବାକୁ ମହାସଂଘ ଅଧ୍ୟକ୍ଷ ପ୍ରସନ୍ନ ବିଷୋୟୀ ଦାବି କରିଛନ୍ତି।
