ଭୁବନେଶ୍ୱର: ପୁରୁଖା ଅଭିନେତ୍ରୀ ତଥା ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଡକ୍ଟର ମୀନତି ମିଶ୍ରଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ 91 ବର୍ଷ ବୟସ ହୋଇଥିଲା । ମୀନତି ଓଡ଼ିଆ କଥାଚିତ୍ର ଜଗତର ଜଣେ ଅଭିନେତ୍ରୀ, ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଓଡ଼ିଶୀ ନୃତ୍ୟଗୁରୁ ଥିଲେ। ମୀନତି କଟକରେ ଜନ୍ମ ଗ୍ରହଣ କରିଥିଲେ । ପିଲାବେଳେ ସେ ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ନୃତ୍ୟ ଦେଖି ଆକୃଷ୍ଟ ହେଇଥିଲେ ଓ ଘରୁ ଅନୁମତି ପାଇ ନାଚ ଶିଖିବା ଆରମ୍ଭ କରିଥିଲେ । ସ୍ୱିଜରଲାଣ୍ଡରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କ ପକ୍ଷରୁ ସୂଚନା ମିଳିଛି ।
ସେ ପଡ଼ିଶା ଘରେ ରହୁଥିବା ଗୁରୁ ଦେବ ପ୍ରସାଦ ଦାସଙ୍କଠାରୁ ୧୯୪୮ରେ ପ୍ରଥମେ ଶିକ୍ଷା ଆରମ୍ଭ କରିଥିଲେ । ଏହାର ଦୁଇବର୍ଷ ପରେ ପଦ୍ମବିଭୂଷଣ ଗୁରୁ କେଳୁଚରଣ ମହାପାତ୍ର ଓ ପରେ ଗୁରୁ ପଙ୍କଜ ଚରଣ ଦାସଙ୍କଠାରୁ ଓଡ଼ିଶୀ ଶିଖିଥିଲେ । ତିନି ଜଣ ବିଶିଷ୍ଟ ଗୁରୁଙ୍କଠାରୁ ସେ ଭିନ୍ନ ଭିନ୍ନ ଶୈଳୀର ନୃତ୍ୟ ଶିଖିଥିଲେ । ୧୯୬୬ରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷା ଭାବେ ନିଯୁକ୍ତି ପାଇ, ୧୯୯୨ ପର୍ଯ୍ୟନ୍ତ ଚାକିରିରେ ରହି ଅନେକ ନୃତ୍ୟଶିଳ୍ପୀଙ୍କୁ ତାଲିମ ଦେଇଛନ୍ତି ।

