ଭୁବନେଶ୍ୱର: ଏଥର ରଜକୁ ଫିକା କରିବ ଖରା । ୫ ଦିନ ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି । ସ୍ଵାଭାବିକ ତାପମାତ୍ରା ଠାରୁ ୩ ରୁ ୫ ଡିଗ୍ରୀ ବୃଦ୍ଧି ହେବ ଦିନ ତାପମାତ୍ରା । ଅନ୍ୟପଟେ ଲୁଚକାଳି ଖେଳୁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଆଜି ମୌସୁମୀ କେରଳ ଛୁଇଁଥିବାବେଳେ କେବେ ଓଡ଼ିଶା ଛୁଇଁବ ମୌସୁମୀ ତାହା ସ୍ପଷ୍ଟ ହୋଇପାରୁନାହିଁ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସାଧାରଣତଃ ଜୁନ ୧ ରେ କେରଳ ଛୁଉଁଥିବାବେଳେ ଏବର୍ଷ ସାମାନ୍ୟ ବିଳମ୍ବ ହୋଇଛି । ଫଳରେ ପ୍ରାୟ ୧ ସପ୍ତାହ ବିଳମ୍ବରେ ତଥା ଆଜି ମୌସୁମୀ କେରଳ ଛୁଇଁଛି ।
ସେହିପରି ଆସନ୍ତା ୨୪ ଘଣ୍ଟା ପାଇଁ ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ ଜିଲ୍ଲା ଗୁଡ଼ିକୁ ଗ୍ରୀଷ୍ମ ପ୍ରବାହ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏଥିସହ ୧୬ ଜିଲ୍ଲାରେ ମଧ୍ୟ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବାରୁ ହଳଦିଆ ଚେତାବନୀ ଜାରି କରାଯାଇଛି ।
ଗତ ୨୪ ଘଣ୍ଟାରେ ରାଜ୍ୟର କିଛି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଥିବା ବେଳେ ସମ୍ବଲପୁରରେ ସର୍ବାଧିକ ଦିନ ତାପମାତ୍ରା ୪୪.୫ ଡିଗ୍ରୀ ରେକର୍ଡ କରାଯାଇଥିଲା । ଭୁବନେଶ୍ଵରର ତାପମାତ୍ରା ରହିଥିଲା ୪୧.୨ ଡିଗ୍ରୀ । ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗରେ ବିଶେଷ ପରିବର୍ତ୍ତନ ନଥିବାବେଳେ ତାପମାତ୍ରା ବଢିବ । ଆଜି ଭୁବନେଶ୍ଵରର ତାପମାତ୍ରା ୪୦ କିମ୍ବା ୪୧ ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି ।
ଆହୁରି ପଢନ୍ତୁ ଓଡିଶା ଖବର...