ପୁରୀ: ସ୍ନାନ ପୂର୍ଣ୍ଣିମାରେ ସୁବାସିତ ଜଳରେ ସ୍ନାନ କରି ଜ୍ୱରରେ ପଡିଛନ୍ତି ଚତୁର୍ଦ୍ଧାମୁର୍ତ୍ତି । ଅଣସର ଘରେ ଦଇତାପତି ଓ ମହାପାତ୍ର ସେବକ ମାନେ ନିଷ୍ଠାର ସହ ଚିକିତ୍ସା କରୁଛନ୍ତି ।
ଆଜି ହେଉଛି ପଞ୍ଚମ ଦିବସ । ମହାପ୍ରଭୁଙ୍କୁ ଗରମ ଚିକିତ୍ସା କରାଯାଉଥିବା ବେଳେ ଆଜି ମହାପ୍ରଭୁଙ୍କ ଶରୀରରେ ଫୁଲୁରି ତେଲ ଲାଗି ହେବାର ବିଧି ରହିଛି । ଆଜି ହେଉଛି ଆଷାଢ଼ ମାସ କୃଷ୍ଣପକ୍ଷ ପଞ୍ଚମୀ ତିଥି । ଏହି ପବିତ୍ର ତିଥିରେ ମହାପ୍ରଭୁଙ୍କ ନିକଟରେ ଫୁଲୁରି ତେଲ ଲାଗି କରାଯାଏ । ସ୍ନାନ ବେଦିରେ ୧୦୮କୁମ୍ଭ ସୁବାସିତ ଜଳରେ ସ୍ନାନ କରି ଜ୍ୱରରେ ପିଡିତ ଚତୁର୍ଦ୍ଧାମୁର୍ତ୍ତି । ପାଞ୍ଚଦିନ ଧରି ମହାପ୍ରଭୁଙ୍କର ଚାଲିଥିଲା ଗରମ ଚିକିତ୍ସା ।

ଆଜି ମଧ୍ୟାହ୍ନ ଧୂପ ପରେ ବଡ ଓଡିଆ ମଠରୁ ଆସିଥିବା ଦୁଇ ମାଟିହାଣ୍ଡି ଫୁଲୁରୀ ତେଲ ଗାରଦରେ ରଖାଯାଇଥାଏ । ଏହି ଫୁଲୁରି ତେଲକୁ ମହାପ୍ରଭୁଙ୍କ ଶରୀରରେ ମାଲିସ କରାଯାଇଥାଏ । ଫଳରେ ଧିରେ ଧିରେ ସୁସ୍ଥ ହେବାରେ ଲାଗନ୍ତି ମହାପ୍ରଭୁ । ଫୁଲୁରୀ ତେଲ ଲାଗି ଗତବର୍ଷ ହେରା ପଞ୍ଚମୀ ଦିନ ବଡଓଡିଆ ମଠରୁ ଛଅସେର ଖାଣ୍ଟି ରାଶି ତେଲ ଆସିଥିଲା । ଗୋଟିଏ ଘଡିରେ କେତକି, ହେନା, ଜୁଇ ,ମଲ୍ଲି ଆଦି ଅନେକ ସୁଗନ୍ଧୀତ ପୁଷ୍ପ ପକାଇ ପୋତି ଦିଆଯାଏ । ସେହି ଫୁଲୁରୀ ତେଲକୁ ଛାଙ୍କି ମହାପ୍ରଭୁଙ୍କ ଶରୀରରେ ମହୌଷଧି ଭାବେ ବ୍ୟବହାର କରାଯାଇଥାଏ ।

