ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିକଟ ବାଲେଶ୍ୱର ଘାଟିରେ ସଡ଼କ ଦୁର୍ଘଟଣା । ପିଲାଙ୍କ ମୁଣ୍ଡନ ପାଇଁ ଗଲାବେଳେ ଓଲଟି ପଡିଲା ପିକଅପ୍ ଭ୍ୟାନ୍ । ଦୁର୍ଘଟଣାରେ 10 ଆହତ ହୋଇଥିବା ବେଳେ 2 ଜଣ ଗୁରୁତର ଅଛନ୍ତି । ସମସ୍ତ ଆହତଙ୍କୁ ଦିଗପହଣ୍ଡି ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି ।
ଖବର ଅନୁଯାୟୀ, ଦିଗପହଣ୍ଡି ବ୍ଲକ ବି. ତୁରିବୁଡି ପଞ୍ଚାୟତ ପର୍ବତ ଶିଖରରେ ଥିବା ମା ନିଜବାଙ୍କେଶ୍ବରୀଙ୍କ ପୀଠରେ ମଙ୍ଗଳବାରରେ ଭକ୍ତଙ୍କ ସମାଗମ ହୋଇଥାଏ । ଆଜି ୨ୟ ମଙ୍ଗଳବାର ହୋଇଥିବାରୁ ଅଧିକାଂଶ ଲୋକ ନିଜ ପିଲାଙ୍କ ମୁଣ୍ଡନ ପାଇଁ ଯାଇଥାନ୍ତି । ଏହିପରି ଏକ ପିକ୍ଅପ୍ ଭ୍ୟାନ୍ରେ ୧୦ରୁ ଅଧିକ ଲୋକ ଯାଉଥିଲେ । କିନ୍ତୁ ବାଲେଶ୍ୱର ଘାଟି ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଯାଇଛି ।
ଫଳରେ ଗାଡ଼ିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ପ୍ରାୟ ୧୦ଜଣରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ୨ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ରହିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।