ଯାଜପୁର : ଯାଜପୁର ଧର୍ମଶାଳା ଅନ୍ତର୍ଗତ ବାଜବାଟୀ ଗାଁରୁ ଆସିଲା ସାଂଘାତିକ ଅଭିଯୋଗ । 2020-21 ବର୍ଷରେ ବାଜବାଟୀ ଅଙ୍ଗନବାଡି କେନ୍ଦ୍ର ନିକଟରୁ ତେଲୋର ଦାଣ୍ଡି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ 5ଲକ୍ଷ ବ୍ୟୟ ଅଟକଳ କରାଯାଇଥିଲା । ମଜୁରୀ ବାବଦକୁ ଚାରି ଲକ୍ଷ 67ହଜାର ଓ ସାମଗ୍ରୀ କିଣା ବାବଦକୁ 36ହଜାର ପାଞ୍ଚ ଶହ ବ୍ୟୟବରାଦ କରାଯାଇଥିଲା I
ରାସ୍ତାକାମରେ ଦିନଟିଏ ଶ୍ରମିକ ନିୟୋଜନ କରାଗଲାନି । କିନ୍ତୁ 1568ଦିନ ଶ୍ରମ ଦିବସ ସୃଷ୍ଟି କରାଯାଇ ଶ୍ରମିକମାନଙ୍କ ନାମରେ ମଜୁରୀ ବାବଦରେ ଚାରି ଲକ୍ଷ 67ହଜାର ଟଙ୍କା ହଡପ କରାଯାଇଥିବା ଅଭିଯୋଗ ହୋଇଛି । ରାସ୍ତାରେ କିଛି ପଥର ପକାଯାଇଥିବା ମୋରମ ପଡିନି କି ରାସ୍ତା ନିର୍ମାଣ ହୋଇନି ।
ରାସ୍ତାର ଚିହ୍ନ ବର୍ଣ୍ଣ ନାହିଁ କିନ୍ତୁ ଲକ୍ଷାଧିକ ଟଙ୍କା ଚଳୁ । ତଦନ୍ତ ନକରି କିଭଳି ବିଲ ପାସ ହେଲା ତାହାକୁ ନେଇ ଉଠିଛି ପ୍ରଶ୍ନ । ରାସ୍ତା ଟଙ୍କା ଗଲା କୁଆଡେ, ଏହାର ତଦନ୍ତ କରିବାକୁ ଆଜି ପଞ୍ଚାୟତ ସମିତି ସଭ୍ୟ ଧର୍ମଶାଳା ବିଡିଓଙ୍କ ନିକଟରେ ଦାବି କରିଛନ୍ତି । କିଏ ଖାଇଲା ଶ୍ରମିକଙ୍କ ଟଙ୍କା ? କର୍ମ ସଂସ୍ଥାନ ଯୋଗାନଯାଇ କାହିଁକି ମେସିନରେ କରାଗଲା କାମ?