
ନୟାଗଡ଼: ପ୍ରଶାସନ ଓ ଠିକାଦାର ମଧୁଚନ୍ଦ୍ରିକାରେ ରାସ୍ତା କାମରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଏହିଭଳି ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ଅନ୍ତର୍ଗତ କୁରାଳ ଗାଁରେ । ଅଭିଯୋଗ ଅନୁସାରେ ଓଡଗାଁ ବ୍ଲକ ଗୋଡିପଲ୍ଲୀ ଠାରୁ କୁରାଳକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ପୁରୁଣା କଂକ୍ରିଟ ନଉଠାଇ pwd ବିଭାଗ ପକ୍ଷରୁ ପୁରୁଣା କଂକ୍ରିଟ ଉପରେ ପୁଣିଥରେ କଂକ୍ରିଟ ଢାଳି ନୂତନ ରାସ୍ତା ନିର୍ମାଣ ହେଉଛି । ଅନ୍ୟପକ୍ଷେ ଏସ୍ଟିମେଟରେ ଲେଖାଥିବା ନିୟମ ଅନୁସାରେ ଠିକାଦାର ସଠିକ ଚଉଡାରେ ରାସ୍ତା ନିର୍ମାଣ କରୁନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।
ତେବେ ଏଭଳି ନିମ୍ନମାନର ରାସ୍ତାକାମକୁ ଜାଣିଶୁଣି କୌଣସି ବିଭାଗୀୟ କର୍ତ୍ତୃପକ୍ଷ ତାଗିତ କରୁନଥିବାବେଳେ ପୁରୁଣା କଂକ୍ରିଟ ଉପରେ ପୁଣି ଥରେ କଂକ୍ରିଟ ଢାଳି ରାସ୍ତା ନିର୍ମାଣ ହେଉଛି ।ଯାହା ଫଳରେ ଗ୍ରାମବାସୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଫଳରେ ସମ୍ପୃକ୍ତ ରାସ୍ତାର ପୁନଃନିର୍ମାଣ କରି ସମ୍ପୃକ୍ତ ଠିକାଦାର ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆନଗଲେ ଗ୍ରାମବାସୀମାନେ ଆନ୍ଦୋଳନ ପନ୍ଥା ଆପଣାଇବେ ବୋଲି ଚେତାବନୀ ଦେଇଛନ୍ତି ।
ସରକାରଙ୍କ ଅନେକ ଯୋଜନା ସାଧାରଣ ଲୋକଙ୍କ ପାଇଁ । ଆଉ ଏହି ସବୁ ଯୋଜନା କେତେଦୂର କାର୍ଯ୍ୟକାରୀ ହେଉଛି ଏହାର ଜ୍ୱଳନ୍ତ ଉଦାହରଣ ଏହି ଗ୍ରାମରେ ଦେଖିବାକୁ ମିଳିଛି ।