ବିଧାନସଭା ଉତ୍ତରରେ ଖୋଦ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଲିଖିତ ଉତ୍ତରରେ କହିଛନ୍ତି ଯେ, ସୁବର୍ଣ୍ଣପୁରର ସବୁ ଗାଁକୁ ରାସ୍ତା ସଂଯୋଗ ହୋଇଛି । ମାତ୍ର ବାସ୍ତବ ଚିତ୍ର ଦେଖିବାକୁ ଗଲେ ସୁବର୍ଣ୍ଣପୁର ବିରମହାରାଜପୁର ବ୍ଲକର ଫବସିପାଲି ଗାଁରେ ପାଦଚଲା ରାସ୍ତା ହିଁ ଭରସା । ଆଜି ଯାଏଁ ଚାରିଚକିଆ ତ ଦୂରର କଥା ଏହି ରାସ୍ତାରେ ବାଇକ ଖଣ୍ଡେ ଯିବା କଷ୍ଟକର । ବଣ ଜଙ୍ଗଲ ଘେରା ଏହି ଗାଁରେ ରହୁଛନ୍ତି ୩୫ରୁ ଅଧିକ ପରିବାର । କିନ୍ତୁ ଯାତାୟତ କରନ୍ତି ହିଡ, ବନ୍ଧରେ । ଆଉ ବର୍ଷା ଦିନେ ଆସିଲେ ଲୋକମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହୁଅନ୍ତି । ଗାଁରେ ବିକାଶର ଚିହ୍ନ ବର୍ଣ୍ଣ ନାହିଁ । ରାସ୍ତା ପାଇଁ ପ୍ରଶାସନିକ ଅଧିକାରୀଙ୍କଠୁ ଆରମ୍ଭ କରି ଜନ ପ୍ରତିନିଧିଙ୍କୁ ଭେଟି ଗୁହାରି କରିଛନ୍ତି ଗ୍ରାମବାସୀ । ହେଲେ କେହି କର୍ଣ୍ଣପାତ କରୁନାହାନ୍ତି ପ୍ରଶାସନ ଅଧିକାରୀ। ଏତେ ବର୍ଷ ହେବ ବିଡିଓ ଚୁପ ଥିବା ବେଳେ ଏବେ ଗଣମାଧ୍ୟମକୁ ଦେଖି ଚଳିତ ଆର୍ଥିକ ବର୍ଷରେ ରାସ୍ତା କାମ ହୋଇଯିବ ବୋଲି କହିଛନ୍ତି ସ୍ଥାନୀୟ ବିଡିଓ ।
ତେବେ ସରକାରୀ ତଥ୍ୟ ହିସାବରେ ଫବସିପାଲି ଗାଁକୁ ହୋଇଛି ରାସ୍ତା । ମାତ୍ର ବାସ୍ତବରେ ଗାଁକୁ ରାସ୍ତା ନାହିଁ । କେବଳ ଫବସିପାଲି ନା ସୁବର୍ଣ୍ଣପୁରର ବହୁ ଅଞ୍ଚଳରେ ଏଭଳି ଦୟନୀୟ ସ୍ଥିତି ରହିଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଠାରେ ପ୍ରଶ୍ନ ଉଠୁଛି, ସରକାରୀ ରିପୋର୍ଟରେ ଥିବା 1242 ଗାଁରେ ଫବସିପାଲି ନା ନଥିଲା କି ? କେବେ ହେବ ଫବସିପାଲି ଗାଁକୁ ରାସ୍ତା ? କେବେ ବଦଳିବ ଗ୍ରାମବାସୀ ଭାଗ୍ୟ? ତାହା ଏବେ ଅନିଶ୍ଚିତତା ଭିତରେ।