ଅଧିକ ପଢନ୍ତୁ: ଆସନ୍ତା କାଲିଠାରୁ ଯାଞ୍ଚ ହେବ କଡାକଡି , ସତର୍କ ହୋଇଯାଆନ୍ତୁ ଚାଳକ
ବିଧାନସଭା ତଥ୍ୟ କହୁଛି, ଗତ ୫ ବର୍ଷ ଭିତରେ ରାଜ୍ୟରେ ସଡକ ଦୁର୍ଘଟଣାରେ ମୋଟ ୨୫ ହଜାର ୯୩୪ ଜଣଙ୍କ ଜୀବନ ଯାଇଥିବା ବେଳେ ୫୧ ହଜାର ୮୭୩ ଜଣ ଆହତ ହୋଇଛନ୍ତି । ଚିନ୍ତାର ବିଷୟ ହେଲା ୨୦୨୧ ଅପେକ୍ଷା ୨୦୨୨ରେ ନଭେମ୍ବର ସୁଦ୍ଧା ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହାର ୯.୦୯ ପ୍ରତିଶତ ବଢିଛି । ସେଥିପାଇଁ ଏପ୍ରିଲ ପହିଲାରୁ ସଡ଼କ ଦୁର୍ଘଟଣାରେ ଜିରୋ ଟଲରାନ୍ସ ନୀତି କାର୍ଯ୍ୟକାରୀ କରିବ ପରିବହନ ବିଭାଗ । ବିନା ହେଲମେଟ, ମଦ୍ୟପାନ କରି ଗାଡ଼ି ଚଳାଇବା, ବିନା ଲାଇସେନ୍ସ ଥିବା ଗାଡ଼ି ଚାଳକଙ୍କୁ ରୋକାଯିବ । ଗତ ତିନି ବର୍ଷ ଅର୍ଥାତ୍ ୨୦୧୯-୨୧ ପର୍ଯ୍ୟନ୍ତ ୧୯ ହଜାର ୮୦୭ ଟି ସଡ଼କ ଦୁର୍ଘଟଣାରେ ୯ ହଜାର ୪୯୫ ଜଣଙ୍କ ଜୀବନ ଯାଇଛି । ମଦ୍ୟପାନ, ଗାଡ଼ି ଚଳାଇବା ବେଳେ ଫୋନରେ କଥାବାର୍ତ୍ତା ଏବଂ ଓଭର ସ୍ପିଡ଼ିଂ ଯୋଗୁଁ ଏହି ଦୁର୍ଘଟଣା ହୋଇଛି । ଏହାକୁ ଦେଖି ପରିବହନ ବିଭାଗ ନିୟମ କଡ଼ାକଡ଼ି କରିବାକୁ ଯାଉଥିବାରୁ ସ୍ଵାଗତ କରିଛନ୍ତି ଅଭିଭାବକ ।
ରାଜ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ କରିବାକୁ ଏକ କମିଟି ଗଠନ କରିଥିଲେ ସୁପ୍ରିମକୋର୍ଟ । ବର୍ଷକୁ ୧୦ ପ୍ରତିଶତ ହାରରେ ୫ବର୍ଷ ମଧ୍ୟରେ ଦୁର୍ଘଟଣା ହାର ୫୦ ପ୍ରତିଶତକୁ କମାଇବାକୁ ଏହି କମିଟି ନିର୍ଦ୍ଦେଶ ଦେଇଥିଲା । ହେଲେ ରାଜ୍ୟରେ ଏହାର ଓଲଟା ଦେଖିବାକୁ ମିଳିଛି। ଫଳସ୍ବରୂପ ଆସନ୍ତା ମାସର ପ୍ରଥମ ସପ୍ତାହକୁ ଜିରୋ ଫାଟାଲିଟି ସପ୍ତାହ ଭାବେ ପାଳନ କରାଯାଉଥିବା ବେଳେ ଏପ୍ରିଲ 7 ତାରିଖ ପଯ୍ୟନ୍ତ ପ୍ରତିଦିନ ଏହି ସ୍ବତନ୍ତ୍ର ଅଭିଯାନ ଚଳାଇବ ପରିବହନ ବିଭାଗ ।