ସମ୍ଭବତଃ ଏହା ହିଁ ଅମ୍ଲାନଙ୍କ ଅନ୍ତଃଚେତନାର କେଇଗୋଟି ଶବ୍ଦ ହେଇଥିବ। ଯେତେବେଳେ ନିଜ ସାନଭାଇ ମୁହଁରେ ସେ ନିଆଁ ଦେଉଥିବେ। ସେତେବେଳେ ଭାବୁଥିବେ ଅତୀତକୁ। ମନେ ପକାଉଥିବେ ସେଇ ସମୟକୁ ଯିଏ ଦିନ ମା’ ଛେଉଣ୍ଡ କଲା, ବାପାଙ୍କ ହାତ ମଥାରୁ କାଢିନେଲା। ଆଉ ଆଜି ଡାହାଣା ହାତ ବୋଲାଉଥିବା ଭାଇଟାବି ଧୋକା ଦେଇ ଚାଲିଗଲା। ଏ ସମୟ ସବୁ ବଡ଼ ଧୋକେବାଜ୍ ତାଙ୍କ ପାଇଁ।
ଗୋଟେ ପରିବାର ଉପରେ ସତେ ଯେମିତି ଦୁଃଖର ପାହାଡ ଛିଡି ପଡିଛି। ଗୋଟିଏ ପରେ ଗୋଟିଏ ଦୁଃଖ ଦେଇ ଚାଲିଛନ୍ତି ଈଶ୍ବର। ଆମେ କହୁଛୁ ଭେଟରାନ ଓଡ଼ିଆ ଅଭିନେତା ଦିବଙ୍ଗତ ମିହିର ଦାସଙ୍କ ପରିବାର କଥା। ମଙ୍ଗଳବାର ବିଳମ୍ବିତ ରାତିରେ ତାଙ୍କ ସାନ ପୁଅ ଅକ୍ଲାନ୍ତର ପରଲୋକ ଘଟିଛି। ଲିଭର ଜନୀତ ସଙ୍କ୍ରମଣ ଅକ୍ଲାନ୍ତଙ୍କୁ ଦୁନିଆକୁ ଅଲବିଦା ପଡିଛି।
ଅକ୍ଲାନ୍ତଙ୍କ ବୟସ ବା କେତେ। ମାତ୍ର ୨୬ ବର୍ଷ। ଯେଉଁ ବୟସରେ ହସି ଖେଳି ପ୍ରେମରେ ପ୍ରେମରେ ଦୁନିଆର ଚଉହଦିକୁ ମାପିବା କଥା, ସେଇ ବୟସରେ ତାଙ୍କ ଶୋଇବାକୁ ପଡିଛି ଜୁଇରେ। ଈଶ୍ବର ବଡ଼ ନିଷ୍ଠୁର ତାଙ୍କ ପାଇଁ। ପ୍ରଥମେ ମା’ ଛେଉଣ୍ଡ କଲେ। ତା ପରେ ବାପାଙ୍କ ହାତ ବି ମଥା ଉପରୁ ହଟିଗଲା। ଆଉ ଏବେ ସେ ମଧ୍ୟ ଦୁନିଆ ଛାଡିଦେଲେ।
ସବୁଠୁ ବଡ଼ ଦୁଃଖ, ସବୁଠୁ ବଡ଼ ଝଟକା ଲାଗିଛି ଅଭିନେତା ତଥା ମିହିରଙ୍କ ବଡ଼ ପୁଅ ଅମ୍ଲାନ ଦାସଙ୍କୁ। ବାପ-ମା’ ଛେଉଣ୍ଡ ହେବା ପରେ ସେ ନିଜେ ନିଜ ଗୋଡରେ ଛିଡା ହେବାକୁ ଉଦ୍ୟମ କରୁଥିଲେ। ସାଥିରେ ଥିଲା ସାନଭାଇ। ହେଲେ ସିଏ ବି ବାପା, ମା’ଙ୍କ ପରି ତାଙ୍କ ହାତ ଛାଡିଦେଲା। ଏକା ହେଇଗଲେ ଅମ୍ଲାନ।
୧୯୯୬ ମସିହାରେ ଦୁନିଆକୁ ଆସିଥିଲେ ଅକ୍ଲାନ୍ତ । ପରେ ଡିଏଭି ସ୍କୁଲରେ ପାଠପଢା। ଯୌବନରେ ପଦାର୍ପଣ। ହେଲେ ଆଦ୍ୟ ଯୌବନ ରୋଗ ଆଉ ଯନ୍ତ୍ରଣା ଦେଲା। ଏଇ ଯନ୍ତ୍ରଣା ଭିତରେ ସେ ଅତୀତ ହୋଇଗଲେ। ୨୦୧୦ରେ ମା’ ସଙ୍ଗୀତା ଯାଇଥିଲେ, ୨୦୨୨ରେ ବାପା ମିହିର ଦାସ ଯାଇଥିଲେ। ଆଉ ଏବେ ବଡ଼ ଭାଇଟାକୁ ଏକା କରି ସିଏ ବି ଚାଲିଗଲେ ଆରପାରିକୁ। ୟାକୁ ଦୁଃଖ କହିବାନି, ତ କ’ଣ କହିବା। ସତରେ ଜୀବନ ଆଉ ମୃତ୍ୟୁକୁ ବୁଝିବା ବଡ଼ କାଠିକର ପାଠ।