ଝୁମୁ ଅପା, ଓଡ଼ିଆ ଚଳଚ୍ଚିତ୍ର ଜଗତର ଅଦ୍ବିତୀୟ ଅଭିନେତ୍ରୀ ଝରଣା। ଆଉ ନାହାନ୍ତି ସତ। କିନ୍ତୁ ସେ ଛାଡି ଯାଇଥିବା ପଦଚିହ୍ନ ହିଁ କହୁଛି, ଓଡ଼ିଆ ସିନେମା ପାଇଁ ତାଙ୍କ ଅବଦାନର କଥା। ରାଜ୍ୟରେ ଅଭିନେତ୍ରୀ ସଙ୍କଟ ବେଳେ ମୁହଁରେ ରଙ୍ଗମାଖି ରକ୍ଷଣଶୀଳତାର ସମସ୍ତ ପ୍ରାଚୀର ଭାଙ୍ଗିଥିଲେ ସିଏ। ନିଜ ନିଖୁଣ ଅଭିନୟକୁ ଭେଟି ଦେଇ ରାଜ୍ୟରେ ଗୋଟେ ନୂଆ ପରମ୍ପରାର ଅୟମାରମ୍ଭ କରିଥିଲେ।
ଆଜି ତାଙ୍କ ଅବର୍ତ୍ତମାନରେ ଏକ ବିରାଟ ଶୂନ୍ୟସ୍ଥାନ। ମୃତପ୍ରାୟ ଓଡ଼ିଆ ସିନେମାରେ ମୌଳିକ ଧାରାର ପ୍ରତ୍ୟାବର୍ତ୍ତନ ବେଳ। ଆଉ ଏତିକି ବେଳେ ସେ ଦିବଂଗତ ହୋଇଯିବା ବଡ଼ ଦୁଃଖଦ। ଝୁରୁଛି ଆକଶବାଣୀ, ଝୁରୁଛି ଦୂରଦର୍ଶନ। କଟକରେ ଦୂରଦର୍ଶନ କେନ୍ଦ୍ର ଥିବା ବେଳେ ସେ ଥିଲେ ଏହାର ସହକାରୀ କାର୍ଯ୍ୟ ନିର୍ଦ୍ଦେଶିକା। ଆକାଶବାଣୀ କଟକରୁ ପ୍ରସାରିତ ରେଡ଼ିଓର ଚିର ପରିଚିତ କାର୍ଯ୍ୟକ୍ରମ ଘରମଣୀର ସେ ହିଁ ସୂତ୍ରଧାର। ରେଡ଼ିଓ, ଟିଭି, ଚଳଚ୍ଚିତ୍ର ସବୁଥିରେ ତାଙ୍କର ଗଭୀର ପଦପାତର ଛାପ।
ନବଜନ୍ମ, ଅଦିନମେଘ, ସମୟ ବଡ଼ ବଳବାନ, ହିସାବ ନିକାଶ ଆଉ ଲାଲପାନ ବିବିରେ ତାଙ୍କ ଅଭିନୟର ଛଟା ଆଜି ବି ଦର୍ଶକଙ୍କକୁ ମନ୍ତ୍ରମୁଗ୍ଧ କରେ। ପାହାଡ କୋଳର କୁଳୁକୁଳୁ ଝରଟାଟିଏ ପରି ଆମ ସିନେମାର ଧାରାରେ ବହି ଯାଉଥିବା ଝରଣାଙ୍କ, ଆଜି ରଙ୍ଗମୟ ଯାତ୍ରାର ଅନ୍ତ ଘଟିଛି। ମାତ୍ର ୮୨ଟି ବସନ୍ତକୁ ଅତିକ୍ରମ କରିବା ପରେ ଏ ଝରଣା, ନଦୀରେ ମିଶିଛି। ଜୀବନ ନାଟକରେ ଜବନିକା ପକେଇ ଚିର ଦିନ ପାଇଁ ପ୍ୟାକ ଅପ୍ କରିଛନ୍ତି ଝରଣା ଦାସ।