
ସମ୍ବଲପୁର: ସମ୍ବଲପୁର ପୋଲିସକୁ ସଫଳତା । ଏକ ଅନ୍ତଃରାଜ୍ୟ ଗାଡି ଚୋର ରେକେଟକୁ ଠାବ କରିବାରେ ସଫଳ ହୋଇଛି ସମ୍ବଲପୁର ପୋଲିସ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ୨ଟି ବୋଲେରୋ ପିକଅଫ ଓ ଗୋଟିଏ ଟାଟା ଇଣ୍ଡିକା କାରକୁ ଉଦ୍ଧାର କରିବା ସହ ୪ଜଣକୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ସମ୍ବଲପୁର ଧନୁପାଳିର ଏମ.ଡି ହାଇଦର ଓ ବିହାରର ନବାଦା ଜିଲ୍ଲାର ରାଜେସ ପ୍ରସାଦ ସିଂ, ଗୟା ଜିଲ୍ଲାର ଉମେଶ ସିଂ ଓ ସୁରେଶ ପାସବାନ ।

ଏମାନଙ୍କ ମଧ୍ୟରୁ ହାଇଦର ସମ୍ବଲପୁରର ବିଭିନ୍ନ ସ୍ଥାନରୁ ବାହାରେ ରହୁଥିବା କାର କୌଶଳକ୍ରମେ ଚୋରି କରି ବିହାର ନେଇ ରାଜେସ ପ୍ରସାଦ ସିଂଙ୍କୁ ଦେଉଥିଲା। ସେଠାରେ ରାଜେସ ଗାଡିଗୁଡିକର ଚେସିସ ଓ ଇଞ୍ଜିନ ନମ୍ବର ପରିବର୍ତ୍ତନ କରି ବିକ୍ରି କରୁଥିଲା । ତେବେ ସମ୍ବଲପୁର ଜିଲ୍ଲାର ବିଭିନ୍ନ ଥାନାରେ ଏପରି ଗାଡି ଚୋରି କେସ ବାରମ୍ବାର ହେବା ଦ୍ୱାରା ଟାଉନଥାନା, ଧନୁପାଲିଥାନା ଓ ଅଇଁଠା ପାଲି ଥାନାର କେତେକ ଦକ୍ଷ ଅଫିସର ଓ ସ୍ପେସିଆଲ ସ୍କ୍ୱାର୍ଡର ଏକ ଟିମ ଗଠନ କରି ବିହାର ଯାଇ ଏହି ରେକେଟକୁ ଠାଵ କରି ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ପୂର୍ବରୁ ମଧ୍ୟ ହାଇଦର ନାଁରେ ଏମିତି ଗାଡି ଚୋରୀ କେସ ଥିବାର ପୋଲିସ ସୂଚନା ଦେଇଛି । ତେବେ ଏହି ରେକେଟରେ ଆହୁରି ସଂପୃକ୍ତି ଥିବାରୁ ଅଭିଯୁକ୍ତଙ୍କୁ ପରବର୍ତୀ ସମୟରେ ରିମାଣ୍ଡରେ ଅଣାଯାଇ ଆହୁରି ପଚରା ଉଚରା କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଏହାସହ ଆହୁରି ଚୋରା ଗାଡି ଜବତ ହେବାର ସମ୍ଭାବନା ରହିଛି ବୋଲି ପୋଲିସ କହିଛି ।
