ତାଙ୍କ ଦେହାନ୍ତରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଶ୍ରୀ ମହାନ୍ତି ତାଙ୍କ ଟୁଇଟର ପେଜ୍ରେ ଉଲ୍ଲେଖ କରିଛନ୍ତି ଯେ, ବରିଷ୍ଠ ରାଜନେତା ତଥା ଓଡ଼ିଶାର ପୂର୍ବତନ ମନ୍ତ୍ରୀ ଦୁର୍ଯ୍ୟୋଧନ ମାଝୀଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ ।
ଜଣେ ଦକ୍ଷ ରାଜନେତା ତଥା ଜନ ପ୍ରତିନିଧି ଭାବେ ୫ ଥର ଖଡିଆଳ ନିର୍ବାଚନ ମଣ୍ଡଳୀରୁ ନିବର୍ବାଚିତ ହୋଇ ଅଞ୍ଚଳ ପାଇଁ କରିଥିବା ଉଳ୍ଲେଖନୀୟ କାର୍ଯ୍ୟ ଚିର ସ୍ମରଣୀୟ ହୋଇ ରହିବ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି। ଓଁ ଶାନ୍ତି
ତେବେ ଏଠି କହିରଖୁଛୁ ଯେ ଭୁବନେଶ୍ବରସ୍ଥିତ ସରକାରୀ ବାସଭବନରେ ଗତ ରାତିରେ ଶୋଇଥିବା ସମୟରେ ହଠାତ୍ ଅସୁସ୍ଥତା ଅନୁଭବ କରିଥିଲେ ବିଧାୟକ ଦୁର୍ଯ୍ୟୋଧନ ମାଝୀ । ଏହାପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ସେଠାରେ ରାତି ପ୍ରାୟ ୩ଟାରେ ତାଙ୍କ ପରଲୋକ ହୋଇଛି।
ସେ ଖଡ଼ିଆଳ ନିର୍ବାଚନ ମଣ୍ଡଳୀରୁ 5 ଥର ବିଧାୟକ ଭାବରେ ନିର୍ବାଚିତ ହୋଇଥିବା ବେଳେ ୨ଥର ମନ୍ତ୍ରୀ ଭାବରେ କାର୍ଯ୍ୟ ତୁଲାଇଥିଲେ। ତାଙ୍କ ଅକାଳ ବିୟୋଗରେ ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ରେ ଶୋକର ଛାୟା ଖେଳିଯାଇଛି ।