ତଦନ୍ତକୁ ବାଟବଣା କରିବା ପାଇଁ ପୋଲିସ କୋର୍ଟରେ ଦାଖଲ କରୁନି ସିଡିଆର ରିପୋର୍ଟ । ବର୍ଷେ ସମୟସୀମା ଚାଲିଗଲେ ଆଉ ମିଳିବ ନାହିଁ ସିଡିଆର ରିପୋର୍ଟ । ମାହାଙ୍ଗା ଡବଲ ମର୍ଡରକୁ ନେଇ ବର୍ଷିଲେ ସମୀର ମହାନ୍ତି । କହିଲେ ହତ୍ୟାକାରୀଙ୍କୁ ସୁରକ୍ଷା ଦେଉଛନ୍ତି ସରକାର ।
କେସକୁ ରଫାଦଫା କରିବାକୁ ଉଦ୍ୟମ କରୁଛନ୍ତି ସରକାର ଓ ଆଇନ ମନ୍ତ୍ରୀ । ବାପି ବିଶ୍ବାଳ, ଶରତ ନାୟକ ଓ ପ୍ରଫୁଲ ବିଶ୍ବାଳଙ୍କ ସିଡିଆର ରିପୋର୍ଟକୁ ନଦେବା ପାଇଁ କିଏ ପକାଉଛି ପୋଲିସ ଉପରେ ଚାପ ?
ଏଠାରେ କହି ରଖୁଛୁ ଯେ, ଗତ ଦୁଇ ଦିନ ତଳେ ମାହାଙ୍ଗା ଡବଲ୍ ମର୍ଡର ମାମଲାରେ କୋର୍ଟ ମାହାଙ୍ଗା IICଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ । IIC ନିହାର ରଞ୍ଜନ ମହାନ୍ତିଙ୍କୁ ୧୦ ତାରିଖ ସୁଦ୍ଧା ଜବାବ ଦେବାକୁ ସାଲେପୁର JMFC କୋର୍ଟ ନିର୍ଦ୍ଦେଶ ଦେଇଥିଲେ । CRPC ଧାରା 175ରେ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଥିଲା । କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବନି ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ପୂର୍ବରୁ କୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରିଥିଲେ ମାହାଙ୍ଗା IIC । CDR ଦାଖଲ କରିବାରେ ସମୟ ମାଗି ମନମାନି କରିଥିଲେ IIC ।
ସୂଚନାନୁସାରେ, ୨୦୨୧ ମସିହା ଜାନୁଆରୀ ୨ତାରିଖରେ ରକ୍ତ ରଞ୍ଜିତ ହୋଇଥିଲା ସଂସ୍କୁତି ସମ୍ପନ୍ନ ମାହାଙ୍ଗା ମାଟି । ମାହାଙ୍ଗାରେ ଗଡିଥିଲା ଦୁଇ ଦୁଇଟି ମୁଣ୍ଡ । ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କୁ କରାଯାଇଥିଲା ହତ୍ୟା । ଆଉ ଏହି ଘଟଣାରେ ସିଧା ସିଧା ବିବାଦକୁ ଆସିଥିଲେ ମାହାଙ୍ଗା ବିଧାୟକ ପ୍ରତାପ ଜେନା ।
ଆଉ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପ୍ରଫୁଲ ବିଶ୍ୱାଳ ଓରଫ କାବୁଆର ମୃତଦେହ ମଧ୍ୟ ଉଦ୍ଧାର ହେଲା ମନ୍ତ୍ରୀଙ୍କ ପରିବାର ମାଲିକାନାରେ ଥିବା ଦୁଃଶାସନ ଜେନା ୟାର୍ଡ ନିକଟରୁ । ଯାହାକୁ ନେଇ ପୁଣିଥରେ ବିବାଦକୁ ଆସିଥିଲେ ଖୋଦ୍ ମନ୍ତ୍ରୀ । ତେବେ ପ୍ରଫୁଲଙ୍କ ମୃତଦେହ ଟାଙ୍ଗୀ ନିକଟରେ ମିଳିଥିଲେ ହେଁ ଗାଡି, ହେଲେମେଟ ଓ ଅନ୍ୟାନ୍ୟ ସାମଗ୍ରୀ ସୁରକ୍ଷିତ ଥିଲା । ଯାହା ମାହାଙ୍ଗା ପୋଲିସକୁ ଆଉଥରେ ବିବାଦକୁ ଟାଣିଥିଲା।