କିଛି ଦିନ ପୂର୍ବରୁ ଢେଙ୍କାନାଳ କାମାକ୍ଷାନଗର ସହକାରୀ ଜିଲ୍ଲାପାଳ ମଦନ ମୋହନ ଜେନାଙ୍କ ଉପରେ ହୋଇଥିଲେ ମରଣାନ୍ତକ ଆକ୍ରମଣ । ଲହୁଲୁହାଣ କରି ଦେଇଥିଲେ ବାଲିମାଫିଆ । ମୋବାଇଲ ଛଡାଇ ଫେରାର ହୋଇଗଲେ । ବାଲିମାଫିଆଙ୍କ ଗୁଣ୍ଡାଗର୍ଦ୍ଦିର ଏହି ଗୋଟିଏ ଦୁଇଟି ଘଟଣା ନୁହେଁ, ବାଲେଶ୍ବର ନିଳଗିରିରେ ତହସିଲଦାରଙ୍କ ଉପରେ ଆକ୍ରମଣ କରି ତାଙ୍କ ବାଇକ ଛଡାଇ ନେଇଥିଲେ ମାଫିଆ । ସେହିଭଳି କିଛିଦିନ ତଳେ ବଲାଙ୍ଗିର କଣ୍ଟାବାଞ୍ଝିରେ ଆଡିସନାଲ୍ ତହସିଲଦାରଙ୍କ ଉପରେ ହୋଇଥିଲା ଆକ୍ରମଣ ।
ସାରା ରାଜ୍ୟରେ ବାଲି ମାଫିଆଙ୍କ ରାଜ୍ । ଶାସକ ଦଳର ମନ୍ତ୍ରୀ, ବିଧାୟକ, ସାଂସଦଙ୍କ ଛତ୍ରଛାୟାରେ ଧଳାହୀରା କାରବାରର ଡନ୍ । କେନ୍ଦ୍ରାପଡା ଆଳିରେ ମେସିନ ଲଗାଇ ଖରସ୍ରୋତା ବାଲି ଶୋଷିନେଉଛନ୍ତି ଶିଳ୍ପ ଓ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ । କୋଟି କୋଟି ଟଙ୍କାର ବାଲି ଚୋରି କରି ବନାଉଛନ୍ତି ଆଲିସାନ୍ ବଙ୍ଗଳା । ଖବର ପରିବେଷଣ କରିବାରୁ ଅର୍ଗସ ପ୍ରତିନିଧିଙ୍କ ଉପରେ ହୋଇଥିଲା ଆକ୍ରମଣ । ଯାଜପୁରରେ ବାଲିଖାଦାନ ବି ମାଫିଆଙ୍କ କବଜାରେ । ବୈତରଣୀ, ଖରସ୍ରୋତା ଆଉ ବୁଢା ନଦୀରୁ ହଜାର ହଜାର ଟ୍ରିପ ବାଲି ଡ୍ରେଜିଂ ମେସିନ ସାହାଯ୍ୟରେ ଉତ୍ତୋଳନ କରାଯାଇ ଚୋରା ଚାଲାଣ କରାଯାଉଛି । ବିବାଦ ଘେରରେ ପାୱାରଫୁଲ୍ ବିଧାୟକ ପ୍ରଣବ ବଳବନ୍ତରାୟ । ରାଜ୍ୟରେ ବଳବାନ ବାଲି ମାଫିଆ । ସେମାନଙ୍କୁ ସୁରକ୍ଷା ଦେଉଛନ୍ତି ପିସିଖିଆ ରାଜସ୍ବ ବିଭାଗର ଅଫିସର । ସର୍ବୋପରେ ମୁଣ୍ଡ ଉପରେ ରହୁଛି ରାଜନେତାଙ୍କ ସୁରକ୍ଷା । ରାଜନେତା, ପ୍ରଶାସନିକ ଅଧିକାରୀ ଆଉ ମାଫିଆଙ୍କର ହୋଇଛି ତ୍ରିକୋଣୀୟ ମେଳିରେ ଲୁଟ୍ ହେଉଛି କୋଟି କୋଟି ଟଙ୍କାର ରାଜସ୍ବ । ଯିଏ ବି ମୁହଁ ଖୋଲିଲା ହେଉଛି ଆକ୍ରମଣ ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।