
ବରଗଡ : ଓଡିଶାରୁ ଛତିଶଗଡକୁ ହେଉଛି ବାଲି ଚୋରା ଚାଲାଣ। ଏଭଳି ଅଭିଯୋଗ ଆସିଛି ବରଗଡ ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ସମ୍ବଲପୁରୀ ଗ୍ରାମରୁ। ସମ୍ବଲପୁରୀ ଗ୍ରାମରେ ଥିବା ଅଙ୍ଗ ନଦୀରୁ ହଜାର ହଜାର ଟ୍ରିପ ବାଲି ପଡୋଶୀ ରାଜ୍ୟ ଛତିଶଗଡକୁ ଚୋରା ଚାଲାଣ ହେଉଥିବା ସୂଚନା ମିଳିଛି।
ବିଗତ କିଛି ବର୍ଷ ହେବ ଅଙ୍ଗ ନଦୀରୁ ଛତିଶଗଡକୁ ବାଲି ଚୋରା ଚାଲାଣ ହେଉଛି। ଏନେଇ ଅନେକ ଥର ଗ୍ରାମବାସୀ ପଦ୍ମପୁର ଉପଜିଲ୍ଲାପାଳ ଓ ପାଇକମାଲ ତହସିଲାଦରଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣୁନାହାନ୍ତି । ଏପରିକି ବାଲି ଚୋରା ଚାଳାଣ ନେଇ ଯଦି ଗ୍ରାମବାସୀ କିମ୍ବା ଆଉ କେହି ମୁହଁ ଖୋଲୁଛନ୍ତି ତେବେ ସେମାନଙ୍କ ଧମକ ଚମକ ମିଳୁଛି। ଏଥିରେ ସ୍ଥାନୀୟ ପୋଲିସ , ତହସିଲଦାର, ସରପଞ୍ଚ ମଧ୍ୟ ସାମିଲ ହୋଇ ଚାଲାଣକାରୀକୁ ସହଯୋଗ କରୁଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେବେ ଏହା ଓଡିଶା ସୀମାନ୍ତ ଅଞ୍ଚଳ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ମାଓବାଦୀଙ୍କ ଭୟ ମଧ୍ୟ ରହିଛି।
