ଭୁବନେଶ୍ୱର: ଧାନ କିଣାକୁ ନେଇ ରାଜ୍ୟରେ ବହୁତ ସମସ୍ୟା ଲାଗି ରହିଛି । ନଭେମ୍ବରରୁ ଧାନ ଅମଳ ହୋଇଥିଲେ ମଧ୍ୟ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଧାନ ବିକିବା ପାଇଁ ଟୋକନ ଦିଆଯାଇଥିଲା । ଏହାକୁ ନେଇ ଚାଷୀ ହତାସ ହୋଇଥିଲେ । ବାଧ୍ୟ ହୋଇ କିଛି କ୍ଷୁଦ୍ର, ନାମମାତ୍ର ଓ ଭାଗ ଚାଷୀ ଦଲାଲ ଓ ମିଲ ମାଲିକଙ୍କୁ କମ୍ ଦାମ୍ରେ ଧାନ ବିକିଲେ; ଯାହାକି ସରକାର ଚାହୁଁଥିଲେ । କିଛି ଅସାଧୁ ଦଲାଲ ଓ ମିଲ ମାଲିକ ଫର୍ଜି କାଗଜ-ପତ୍ର କରି ନିଜକୁ ଭାଗ ଚାଷୀ ଦେଖାଇ ମଣ୍ଡିକୁ ଧାନ ଆଣିଲେ ।
ଆଶ୍ଚର୍ଯ୍ୟର କଥା, ସରକାର ସ୍ୱଚ୍ଛଳତା ପାଇଁ ଟୋକନ ବ୍ୟବସ୍ଥା କରିଥିବା କହୁଥିଲେ ମଧ୍ୟ, ଏପରି ଦଲାଲ ଓ ମିଲ ମାଲିକଙ୍କର ଟୋକନ କିପରି ପ୍ରଥମେ ଆସିଲା? ଆଜିବି ପ୍ରକୃତ ଚାଷୀର ଧାନ ଉଠୁ ନାହିଁ ବୋଲି ବିଜେପି ରାଜ୍ୟ ଉପସଭାପତି ବଳଭଦ୍ର ମାଝୀ ଅଭିଯୋଗ କରିଛନ୍ତି । ଶ୍ରୀ ମାଝୀ କହିଛନ୍ତି ଯେ, ଧାନ କିଣା ବାବଦରେ କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ମଣ୍ଡିରେ ପକ୍କା ଚଟାଣ, ଗୋଦାମ ଘର, ଚାଳିଆ, ପିଇବା ପାଣି, ବିଜୁଳୀ, ବାଉଣ୍ଡାରୀ, ଚାଷୀଙ୍କ ପାଇଁ ବସିବା ବ୍ୟବସ୍ଥା ଆଦି ଆନୁସାଙ୍ଗିକ ଭିତିଭୂମି ପ୍ରଦାନ ପାଇ ଓଡିଶା ସରକାର(ଆରଏମସି)କୁ ବର୍ଷକୁ ପ୍ରାୟ ୨୫୦ କୋଟି ଟଙ୍କା ଓ ଧାନର ମାନ ନିର୍ଧାରଣ, ଓଜନ କରିବା, ମିଲରଙ୍କୁ ଧାନ ବିକିବା, ଚାଷୀଙ୍କୁ ଟଙ୍କା ପଇଠ କରିବା ଇତ୍ୟାଦି କାମ ପାଇଁ ପ୍ରାୟ ସମ ପରିମାଣର ଟଙ୍କା ଲାମ୍ପସକୁ ଦେଉଛନ୍ତି ।
ଅତଏବ, କେନ୍ଦ୍ରରୁ ଧାନ କିଣା ବାବଦରେ, ରାଜ୍ୟ ସରକାର ବର୍ଷକୁ ପ୍ରାୟ ୫୦୦ କୋଟି ଟଙ୍କା ପାଉଥିଲେ ମଧ୍ୟ ମଣ୍ଡି ଓ ଧାନ କିଣାବିକା ସୁବ୍ୟବସ୍ଥିତ ହୋଇ ପାରିନାହିଁ । ଅଲ୍ପ କିଛି ମଣ୍ଡିକୁ ଛାଡିଦେଲେ, କୌଣସି ମଣ୍ଡିରେ କୌଣସି ବ୍ୟବସ୍ଥା ନାହିଁ; ଏପରିକି ଚାଷୀଙ୍କ ପାଇଁ ପିଇବା ପାଣିର ମଧ୍ୟ ବ୍ୟବସ୍ଥା ନାହିଁ । ଚାଷୀକୁ ଅଖା ପଇସା ଦିଆଯାଉନାହିଁ ।
ଏଫଏକ୍ୟୁ ଧାନରେ କ୍ୱିଂଟାଲ ପିଛା ୧ କେଜି ପର୍ଯ୍ୟନ୍ତ ବାଲି, ମାଟି, ଗୋଡି, ପଥର ବା ଧୂଳି, ୧ କେଜି ପର୍ଯ୍ୟନ୍ତ କାଠି, କୁଟା, ଅଗାଡି, ପୋଲଧାନ, ନଷ୍ଟ ଆଦି, ୫ କେଜି ପର୍ଯ୍ୟନ୍ତ ଖରାପ, ବେରଙ୍ଗି, ପାଣିଫୁଲା ଏବଂ ପୋକଖିଆ, ୩ କେଜି ପର୍ଯ୍ୟନ୍ତ ଅପରିପକ୍ୱ, ବଙ୍କା, ସଂକୁଚିତ(ମଲା) ଧାନ ଆଦି ଓ ୧୭ କେଜି ପର୍ଯ୍ୟନ୍ତ ଜଳୀୟ ଅଂଶ ରହିପାରିବ ।
ଅର୍ଥାତ, କ୍ୱିଂଟାଲ ପିଛା ୨୭ କେଜି ଅନାବନା ପଦାର୍ଥ ରହି ପାରିବ । କିନ୍ତୁ, ବର୍ତମାନ ପ୍ରାୟ ହାରଭେଷ୍ଟରରେ ଧାନ କଟା ଯାଉଛି କିମ୍ବା ଥ୍ରେସରରେ ସଫା କରା ଯାଉଛି । ବିଭିନ୍ନ ମଣ୍ଡି ପରିଦର୍ଶନ ପରେ ଆମ୍ଭେ ପାଇଲୁ ଯେ କିଛି ପୋଲ ଓ ଅପରିପକ୍ୱ, ଧାନ ଛାଡିଦେଲେ, ଯାହା ପ୍ରାୟ ୬ କେଜି ହେବ, ଅନ୍ୟ କୌଣସି ଅପଦାର୍ଥ ନାହିଁ । ଜଳୀୟ ଅଂଶ ଅତି ବେଶିରେ ୧୧%(କ୍ୱିଂଟାଲକୁ ୧୧ କେଜି) ରହୁଛି । ଅର୍ଥାତ ୨୭ କେଜି ଜାଗାରେ ପ୍ରାୟ ୧୨ କେଜି ଅପଦାର୍ଥ ଓ ଜଳୀୟ ଅଂଶ ରହୁଛି ।
ବିନା ମାନ ନିର୍ଧାରଣରେ ମିଲର ଧାନ ଭଲ ନାହିଁ କହି ମନ ଇଛା କ୍ୱିଂଟାଲକୁ ୨ରୁ ୭ କେଜି ପର୍ଯ୍ୟନ୍ତ ଧାନ କାଟି ନେଉଛି । ବହୁତ ମଣ୍ଡିରେ ମାନ ନିର୍ଧାରଣ ଯନ୍ତ୍ରପାତୀ ନାହିଁ । ଓଜନ କରିବା ଛୋଟ ଛୋଟ ମେସିନ ଅଛି, ଯାହା ଅତି ନିମ୍ନ ମାନର ।
ଆକ୍ଷେପ ହେଉଛି, ଏହା ମଧ୍ୟ ଅତି ଚଢା ଦରରେ କିଣା ଯାଇଛି । ଏତେ ଦାମରେ ବ୍ୱେବ୍ରିଜ ଲାଗି ଯାନ୍ତା । ଯେଉଁଠି ବ୍ୱେବ୍ରିଜ ତାହା ଜାଣି ଶୁଣି କାର୍ଯ୍ୟକାରି ହେଉନାହିଁ । ଏହାର ଏକ ଉଦାହରଣ- କୋରୁକୁଣ୍ଡାରେ ୧୦ ଲକ୍ଷ ଟଙ୍କାରେ ତିଆରି ହୋଇଥିବା ବ୍ୱେବ୍ରିଜ । ଫେବୃଆରୀ ୨ ତାରିଖରେ ଦିନ ରାଜ୍ୟ ଯୋଜନା ବୋର୍ଡ ଉପାଧକ୍ଷ ସଂଜୟ ଦାସବର୍ମା ନବରଙ୍ଗପୁରର ଆରଏମସି ପ୍ରାଙ୍ଗଣରେ ଏକ ନବ ନିର୍ମିତ “କୃଷକ ସୂଚନା କେନ୍ଦ୍ର”ର ଉଦ୍ଘାଟନ କାର୍ଯ୍ୟକ୍ରମରେ ଆସିଥିଲେ ।
ଚାଷୀଙ୍କ ସମସ୍ୟା, ଟୋକନ ଅବ୍ୟବସ୍ଥା, ବିଶେଷ କରି ଧାନ କିଣାବିକା ବିଷୟରେ ଅବଗତ କରିବା ପାଇଁ ଚାଷୀ ସେଠାରେ ଉପସ୍ଥିତ ଥିବା ସମୟରେ ଜିଲ୍ଲାପାଳ ଏହା ସରକାରୀ କାର୍ଯ୍ୟକ୍ରମ କହି ଚାଷୀମାନଙ୍କୁ ତାଗିଦ କରିଥିଲେ । କିନ୍ତୁ ସେ ସମୟରେ ବିଜେଡି କର୍ମୀମାନେ ଦଳୀୟ ପତାକା ଧରି ଜିନ୍ଦାବାଦ ନାରା ଲଗାଇ ଯୋଜନା ବୋର୍ଡ ଉପାଧକ୍ଷଙ୍କୁ ସ୍ୱାଗତ କରିଥିଲେ । ଦୁର୍ଭାଗ୍ୟର କଥା ଯୋଜନା ବୋର୍ଡ ଅଧ୍ୟକ୍ଷ ଚାଷୀଙ୍କ ଅଭିଯୋଗ ନଶୁଣି କେବଳ ୨୪ ଘଂଟାରେ ଧାନ ଉଠିଯିବ କହି ଚାଲିଗଲେ ।
ଚାଷୀଙ୍କୁ ଏପରି ଦମନ କରୁଥିବା ବେଳେ “କୃଷକ ସୂଚନା ଭବନ” କାହା ହିତରେ? ଚାଷୀଙ୍କୁ ଏତାଦୃଶ୍ୟ ଅତ୍ୟାଚାର ହେଉଥିବା ବେଳେ ପ୍ରଶାସନ ନୀରବ ରହିବା ଦୁଃଖ ଦାୟକ ଓ ନିନ୍ଦନୀୟ ବୋଲି ଶ୍ରୀ ମାଝୀ କହିଛନ୍ତି । ଏହି ଘଟଣାକୁ ନେଇ ଶ୍ରୀ ଗୌରୀଶଙ୍କର ମାଝୀ ନବରଙ୍ଗପୁର ଥାନରେ ଅନୁସୂଚୀତ ଜନଜାତି ଉତ୍ପୀଡନ ନିରୋଧକ ଅଧିନିୟମ, ମହିଳାଙ୍କ ପ୍ରତି ଅସଦାଚରଣ, ଠେଲା ପେଲା, ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ ଓ ସରକାରୀ ଅର୍ଥ ଓ କଳକୁ ବିଜେଡିର ପ୍ରଚାର ପ୍ରସାର ପାଇଁ ଅପବ୍ୟବହାର କରିବା ଆଦି ଧାରାରେ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏକ ମାମଲା ରୁଜୁ କରିବା ପାଇଁ ସ୍ଥାନୀୟ ପୋଲିସ
ଥାନାରେ ଆବେଦନ କରିଥିଲେ ସୁଦ୍ଧା କେସ ଦାୟର ହୋଇ ନାହଁ । ଅନ୍ୟପଟେ ଚାଷୀମାନଙ୍କ ନାଁରେ ଏକ କେସ ଆରଏମସି ଦ୍ୱାରା ଦାୟର ହୋଇଥିବା ଓ ପଂଜିକୃତ ହୋଇଥିବା ଗଣମାଧ୍ୟମରୁ ଶୁଣିବାକୁ ପାଉଛୁ ବୋଲି ଶ୍ରୀ ମାଝୀ କହିଛନ୍ତି । ଗତ ଫେବୃଆରୀ ୨ ତାରିଖରେ ଶ୍ରୀ ସଂଜୟ ଦାସବର୍ମା ଓ ଶ୍ରୀ ପ୍ରଣବ ପ୍ରକାସ ଦାସ ସରକାରୀ ଖର୍ଚ୍ଚରେ ହେଲିକପ୍ଟର ଯୋଗେ ରାଇଘର ଆସିଥିଲେ ।
ଗସ୍ତକୁ ସରକାରୀ ରୂପ ଦେବା ପାଇଁ ରାଇଘରଠାରେ ଏକ ପ୍ରଶୃତି ଗୃହର ଭିତିପ୍ରସ୍ଥର ସ୍ଥାପନର ଭୂମିପୂଜା ରଖା ଯାଇଥିଲା । ଯଦିଓ ଏହି ଗୃହଟି କେନ୍ଦ୍ରର ଜାତୀୟ ସ୍ୱାସ୍ଥ୍ୟ ମିସନ ଟଙ୍କାରେ ହେବାକୁ ଯାଉଛି, ସ୍ଥାନୀୟ ବିଧାୟକ, ବ୍ଲକ ଅଧକ୍ଷ କିମ୍ବା ସରପଂଚ ଏହି କାର୍ଯ୍ୟକ୍ରମକୁ ନିମନ୍ତ୍ରୀତ ନଥିଲେ ।
୨ ଫେବୃଆରୀ ଦିନ, ସ୍ଥାନୀୟ ବିଧାୟକ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଭୂବନେଶ୍ୱରରେ ଥିଲେ ମଧ୍ୟ ତାଙ୍କୁ ହେଲିକପ୍ଟରରେ ନ ନେଇ ଜାଜପୁରର ବିଧାୟକ(ଯିଏକି ବିଜେଡିର ସଂଗଠନ ମହାମନ୍ତ୍ରୀ ଅଛନ୍ତି)ଙ୍କୁ ନିଆଗଲା । ୨୩ ଲକ୍ଷ ଟଙ୍କାରେ ନିର୍ମିତ ହେବାକୁ ଥିବା ଏହି ଗୃହ ପାଇଁ ରାଜକୋଷରୁ ହେଲିକପ୍ଟର ବାବଦରେ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବା କେତେଦୂର ପ୍ରଜୁଜ୍ୟ? ପ୍ରକୃତରେ ତାଙ୍କର ଦଳୀୟ କାମ ପାଇଁ ବିଜେଡିର ଏହି ଦୁଇ ନେତା ଯାଇଥିଲେ ।
ସେହି ଦିନ ରାଇଘରରେ କିଛି କଂଗ୍ରେସ ନେତା ବିଜେଡିରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା ବୋଲି ଶ୍ରୀ ମାଝୀ ଅଭିଯୋଗ କରିଛନ୍ତି । ଚାଷୀ କାନ୍ଦୁ ଥିବା ବେଳେ, ବିଜେଡି ନେତା ସାଧାରଣ ଜନତାଙ୍କ ଟଙ୍କାରେ ହେଲିକପ୍ଟର ଚଢି, ସାଧାରଣ ଜନତାଙ୍କ ଟଙ୍କାରେ ନିଜ ଦଳର ସାଙ୍ଗଠନିକ କାମ କରୁଛନ୍ତି । ଏହା ସହ ୭ ଟି ଦାବି ପୂରଣ କରିବା ପାଇଁ ଶ୍ରୀ ମାଝୀ ଦାବି କରିଛନ୍ତି ।
୧. ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ହେଉ ଓ ଚାଷୀଙ୍କ ବିରୋଧରେ ଦାଖଲ ହୋଇଥିବା ମୁକଦମା ପ୍ରତ୍ୟାହାର ହେଉ ।
୨. ଦଳୀୟ କାର୍ଯ୍ୟକ୍ରମର ସମସ୍ତ ଖର୍ଚ୍ଚ ବିଜେଡି ଦଳ ବହନ କରୁ ।
୩. ରାଜ୍ୟ ଯୋଜନା ବୋର୍ଡ ଉପାଧକ୍ଷ ୨୪ ଘଂଟାରେ ଧାନ ଉଠିବା ପ୍ରତିଶୃତି ଦେଇଥିଲେ ମଧ୍ୟ କାହିଁକି ଧାନ ଉଠି ନାହିଁ ତାର ଜବାବ ଦିଆଯାଉ ଓ ମୂଖ୍ୟମନ୍ତ୍ରୀ ଲିଖିତ ପ୍ରତିଶୃତି ଦିଅନ୍ତୁ ଧାନ କେବେ ଉଠିବ ।
୪. ସଲାସୁତୁରା ହୋଇଥିବା ଦଲାଲ ଓ ମିଲରଙ୍କୁ ଗିରଫ କରି ଖିଲାପି ମିଲରଙ୍କ ମିଲକୁ ବ୍ଲାକଲିଷ୍ଟ କରାଯାଇ ତାଙ୍କୁ ଧାନ ଦିଆ ନଯାଉା
୫. କିଣା ସରିଥିବା ଧାନର ଟଙ୍କା ତୁରନ୍ତ ପଇଠ କରାଯାଉ ।
୬. ସମସ୍ତ ମଣ୍ଡିରେ ଆଗାମି ବର୍ଷକ ମଧ୍ୟରେ ନିର୍ଧାରିତ ସମସ୍ତ ସୁବିଧା ଯୋଗାଇ ଦିଆଯାଉ । ପ୍ରତି ମଣ୍ଡିରେ ବ୍ୱେବ୍ରିଜ ଲଗା ଯାଉ ।
୭. କିଣାବିକାର ଅନିୟମିତତା ଦୂର କରାଯାଉ ।
ଏହି ଅବସରରେ ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ ଉପସ୍ଥିତ ଥିଲେ ।