ଧୁରୁଆଡିହି ଥାନା ବିରବିରା ଗ୍ରାମର ବାପା-ମା ଛେଉଣ୍ଡ ନାବାଳିକାଙ୍କୁ ସିଲେଇ କାମ ଶିଖାଇବା ବାହାନାରେ ବିକ୍ରି କରିଦେଇଥିଲେ ସ୍ଥାନୀୟ ସରପଞ୍ଚ । ନାବାଳିକାଙ୍କୁ ବନ୍ଦୀ କରି ରଖିଥିବା ଗୁଜରାଟର ଏକ ଦମ୍ପତିଙ୍କ ସହ ମହିଳା ସରପଞ୍ଚଙ୍କ ନାମରେ ମାମଲା ରୁଜୁ ହୋଇଛି । ଘଟଣାକୁ ନିନ୍ଦା କରିବା ସହ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ବିଧାୟିକା କୁସୁମ ଟେଟେ ।ରାଜ୍ୟରୁ ନାବାଳିକା ଉଭାନ ଓ ବିକ୍ରିକୁ ନେଇ ପୂର୍ବରୁ ମଧ୍ୟ ଏକାଧିକ ମାମଲା ସାମ୍ନାକୁ ଆସିଛି । ଚାଲାଣ ପଛରେ ଏକ ବଡ଼ ରାକେଟ କାମ କରୁଥିବା ସନ୍ଦେହ ବଢୁଥିଲେ ବି ରାଧା, ପରୀ, ପିହୁ ଭଳି ନିଖୋଜ ନାବାଳିକାଙ୍କ ସନ୍ଧାନ କରିବାରେ ବିଫଳ ହୋଇଛି ପୋଲିସ ।
ଏପଟେ NCRB ରିପୋର୍ଟ ମଧ୍ୟ ରାଜ୍ୟ ସରକାରଙ୍କ ବିଫଳତାକୁ ପଦାରେ ପକାଇଛି । ରିପୋର୍ଟ ଅନୁସାରେ ଗତ 6 ବର୍ଷ ମଧ୍ୟରେ ରାଜ୍ୟରୁ 16 ହଜାର 654 ଜଣ ଶିଶୁ ନିଖୋଜ ହୋଇଛନ୍ତି । ଗତ 2020ରେ ରାଜ୍ୟରୁ 2899 ଓ 2021ରେ 477 ବାଳକ ଓ 3656 ଜଣ ନାବାଳିକା ନିଖୋଜ ହୋଇଛନ୍ତି । NCRB ରିପୋର୍ଟ ଅନୁସାରେ ପ୍ରତିଦିନ ରାଜ୍ୟରୁ 11 ଜଣ ଶିଶୁ ନିଖୋଜ ହେଉଛନ୍ତି । ନିଖୋଜଙ୍କ ମଧ୍ୟରେ ଅଧିକାଂଶ ନାବାଳିକା ଥିଲେ ମଧ୍ୟ ରାଜ୍ୟ ସରକାର ସେମାନଙ୍କ ସନ୍ଧାନ ଓ ଉଦ୍ଧାର କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: