ସକାଳେ ଶିବଙ୍କ ପାଇଁ ସୋମନାଥ ବ୍ରତ ହୁଏ । ଭାତ, ଡାଲି, ମାଛ ଭଜା, ଚକୁଳି ପିଠା, ଦୁଇ ପ୍ରକାର ଶାକାହାରୀ ତରକାରୀ ଭଳି ଛଅ ପ୍ରକାର ଖାଦ୍ୟ ରନ୍ଧାହୁଏ । ଶିଳପୁଆକୁ ହଳଦୀ କନାରେ ବନ୍ଧାଯାଏ ଓ ତା' ଉପରେ ହଳଦୀ ରଖାଯାଏ । ଅପାମାରଙ୍ଗ, ବାଉଁଶ, ଧାନ, ବଜ୍ରମୂଳୀ, ସାରୁ ଆଦି ପାଞ୍ଚ ପ୍ରକାର ଗଛକୁ ଏକାଠି କରି ବନ୍ଧାଯାଏ । ଗୋଟେ ପୂର୍ଣ୍ଣ କୁମ୍ଭ ତା' ପାଖରେ ରଖାଯାଏ । ଗଳି ଗୁଆ, ସିନ୍ଦୁର ଫରୁଆ, କଜଳ ପାତି ତା' ପାଖରେ ଥୁଆ ହୁଏ । ତା'ପରେ ଦୁବ, ବରକୋଳି ପତ୍ର ଓ ଅରୁଆ ଚାଉଳରେ ବନ୍ଦାପନା ହୁଏ । ସମସ୍ତେ ପୂଜା ହୋଇଥିବା ହଳଦୀ କନାକୁ ହାତରେ ବାନ୍ଧନ୍ତି ।
ରାତିରେ, ପାଞ୍ଚ ପ୍ରକାର ଗଛକୁ ଏକାଠି କରି ବାନ୍ଧିଥିବା ଗୋଛାରେ ଶିଶୁମାନଙ୍କ ରକ୍ଷାବିଧାନାର୍ଥ ତାଙ୍କ ପିଠିରେ ମାଆମାନେ ଧୀରେ ଧୀରେ ମାରନ୍ତି। ଏହାକୁ ଷଠିବାଡ଼ିଆ କହନ୍ତି। ଏହାସହ ଶିଶୁମାନଙ୍କର ସମସ୍ତ ବାଳରିଷ୍ଟ ଖଣ୍ଡିତ ହୁଏ ବୋଲି ବିଶ୍ୱାସ । ଏହି ସମୟରେ ଧୀରେ ଧୀରେ ମାରୁଥିବା ମହିଳାମାନେ ବୋଲନ୍ତି: "ଓଲୁଅ ପରି ବଢିଯା, ବଣସାରୁ ପରି ମାଡ଼ିଯା, ଜୀଁ ଜୀଁ - ବଜ୍ର ହୋ ! ବଜ୍ର ହୋ ! ଏହି ଭଳି ଭାବରେ ଷଠି ଓଷା ପାଳନ କରାଯାଏ।