ଶୀତ ଦିନ ଆସିଲେ ବେଶ୍ ଚଳଚଞ୍ଚଳ ହୋଇଉଠେ ଏହି ସ୍ଥାନ । ଜଙ୍ଗଲ, ପାହାଡ, ନଦୀ ଘେରା ପ୍ରାକୃତିକ ପରିବେଶରେ ପରିପୂର୍ଣ୍ଣ ଏହି ପର୍ଯ୍ୟଟନ ସ୍ଥଳୀକୁ, ଥରେ ଯିଏ ଆସିଛି ସେ ଏହାକୁ ସବୁଦିନ ପାଇଁ ମନେ ରଖିବ । ଏହାର ଦୃଶ୍ୟ ବେଶ ରୋମାଞ୍ଚକର ।
ଏହି ଅଭୟାରଣ୍ୟରେ ବାଘ, ହାତୀ, ଜଙ୍ଗଲୀ ଗୁଣ୍ଡୁଚିମୂଷା, ନୀଳଗାଈ ବ୍ୟତୀତ, ବିରଳ ବାଦୁଡି, କଇଁଛ, ଅହିରାଜ, ଅଜଗର, ଗୋଧି, ଘଡିଆଳ କୁମ୍ଭୀର, ମଗର କୁମ୍ଭୀର ଆଦି ବିଭିନ୍ନ ସରୀସୃପ ଆଦି ଦୃଶ୍ୟମାନ ହୋଇଥାନ୍ତି । ଏହାସହିତ, କୋଚିଲାଖାଇ, ଫିସିଙ୍ଗ୍ ଇଗଲ୍, କ୍ରେଷ୍ଟେଡ୍ ସର୍ପେଣ୍ଟ ଇଗଲ, କଜଳପାତି, ଶାରୀ ଇତ୍ୟାଦି ପକ୍ଷୀମାନଙ୍କର କିଚିରି ମିଚିରି ଶବ୍ଦ, ପର୍ଯ୍ୟଟକଙ୍କ ମନରେ ଭରିଦିଏ ଏକ ଅପୂର୍ବ ଆନନ୍ଦ ।
ଏଠାକାର ମୁଖ୍ୟ ଆକର୍ଷଣ ହେଉଛି , ଘଡିଆଳ କୁମ୍ଭୀର। ଥଣ୍ଡାରୁ ଟିକେ ଉଷୁମ୍ ପାଇଁ ଏମାନେ ଆସି ମହାନଦୀ ଗଣ୍ଡର ଦୁଇ କଡ଼ରେ ଜମା ହୋଇଯାଆନ୍ତି। ଯାହାର ଦୃଶ୍ୟ ଖୁବ୍ ରୋମାଞ୍ଚକର । ଏବଂ ସେଠାରେ ସରକାରୀ ବୋଟ ମାଧ୍ୟମରେ ମହାନଦୀରେ ବୋଟିଂର ମଜା ମଧ୍ୟ ଆପଣ ନେଇ ପାରିବେ ।
କେମିତି ଯିବେ-
ଭୁବନେଶ୍ୱରରୁ ଅନୁଗୋଳର ସାତକୋଶିଆ ପାଖାପାଖି ୧୩୦ କିମି ହେବ। ଭୁବନେଶ୍ୱରରୁ ଅନୁଗୋଳ ଯାଏଁ ଟ୍ରେନ୍ କିମ୍ବା ବସ୍ରେ ଯାଇପାରିବେ। ସେଠାରୁ ମିନି ବସ୍ କିମ୍ବା ସ୍ବତନ୍ତ୍ର ଗାଡି ଯୋଗେ, ସାତକୋଶିଆ ଯାଇ ପାରିବେ।