ସୂଚନାନୁଯାୟୀ, ସମ୍ବଲପୁର ଅଇଁଠାପାଲି ସ୍ଥିତ ସଦର ହସ୍ପିଟାଲରେ ଥିବା ରୋଗୀମାନଙ୍କ ପାଇଁ ଆସୁଛି ଖାଦ୍ୟ। ରୋଗୀଙ୍କୁ ପ୍ରତ୍ୟେକ ଦିନ ଖାଇବା ଦିଆଯାଉଥିବା ନେଇ ହସ୍ପିଟାଲର ରେଜିଷ୍ଟର ଖାତାକୁ ଚଢୁଛି । କିନ୍ତୁ ରୋଗୀଙ୍କ ପାଖରେ ପହଞ୍ଚୁନି ଖାଇବା । ରୋଗୀମାନଙ୍କ ପାଇଁ ପୃଷ୍ଟିକର ଖାଦ୍ୟ ଯୋଗାଇବା ସକାସେ ସରକାର ଟିଫିନ, ମଧ୍ୟାହ୍ନ ଏବଂ ରାତ୍ରିକାଳୀନ ଭୋଜନର ବ୍ୟବସ୍ଥା କରିଛନ୍ତି । କିନ୍ତୁ ରୋଗୀ ପ୍ରତି ଦିନ ତିନି ଓଲିର ଖାଇବା ବାହାରୁ କିଣି ଖାଉଥିବା ଦେଖିବାକୁ ମିଳିଛି । ହସ୍ପିଟାଲ କର୍ତ୍ତୃପକ୍ଷ ସକାଳର ଟିଫିନରେ ଦିଆଯାଉଥିବା ପାଉରୁଟି, ଅଣ୍ଡା, ବିସ୍କୁଟ ଓ ଦୁଗ୍ଧକୁ ଦିନ ଗୋଟାଏରେ ଦେଉଥିବା ଅଭିଯୋଗ ହୋଇଛି । ଏପରିକି ରୋଗୀଙ୍କୁ କେବଳ ଗୋଟିଏ ସମୟର ଖାଇବା ଦିଆଯାଉଥିବା ଅଭିଯୋଗ ହୋଇଛି ।
ହସ୍ପିଟାଲରେ କରୋନା ପାଇଁ ଏବେ କମ ରୋଗୀ ଭର୍ତ୍ତି ହେଉଛନ୍ତି । ହସ୍ପିଟାଲର ଅଧିକାଂଶ ବେଡ ଖାଲି ପଡିଛି। କମ ରୋଗ ଥିଲେ ମଧ୍ୟ କାହାକୁ ଖାଦ୍ୟ ଦିଆଯାଉ ନାହିଁ । ଫଳରେ ବାହାରୁ ଖାଇବା ଆଣୁଛନ୍ତି ରୋଗୀ । ଦିର୍ଘ ୪ ମାସ ହେବ ଏଭଳି ରୋଗୀଙ୍କ ଖାଦ୍ୟ ଲୁଟ ହେଉଥିବା ଜଣାପଡିଛି । ସେପଟେ ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀ କ୍ୟାମେରା ସାମ୍ନାରେ ମୁହଁ ଖୋଲି ନାହାନ୍ତି । ରୋଗୀଙ୍କ ପାଇଁ ଆସୁଥିବା ଖାଇବା ଲୁଟିବାକୁ ବି ପଛାଇଲେନି ଦୁର୍ନୀତି ଖୋର । ଏଠି ପ୍ରଶ୍ନ ଉଠୁଛି ରୋଗୀଙ୍କ ପାଇଁ ଆସୁଥିବା ଖାଦ୍ୟ ଯାଉଛି କୁଆଡେ ? ସିଡିଏମଓଙ୍କ ଚୁପ ରହିବା ଅଭିଯୋଗକୁ ସତ ପ୍ରମାଣିତ କରୁ ନାହିଁ ତ ?