ବିରୋଧୀଙ୍କ ଅଭିଯୋଗ ଏହା କେବଳ ସତ୍ୟର ଅପଳାପ । 1992ରୁ ସାମ୍ବିଧାନିକ ଭାବେ OBCଙ୍କୁ ଶିକ୍ଷା ଓ ଚାକିରି କ୍ଷେତ୍ରରେ ମିଳିଛି ସଂରକ୍ଷଣର ଅଧିକାର । ବ୍ୟବସ୍ଥା କହୁଛି ଯଦି କୌଣସି ରାଜ୍ୟରେ ବିଶେଷ ପରିସ୍ଥିତିରେ ମଧ୍ୟ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ କରାଯାଇପାରିବ । ପଡ଼ୋଶୀ ଆନ୍ଧ୍ରରେ ପଛୁଆ ବର୍ଗଙ୍କୁ ୨୭ ପ୍ରତିଶତ, ଆସାମରେ ମଧ୍ୟ ୨୭, ବିହାରରେ ୩୪, ଦିଲ୍ଲୀ, ଗୋଆ ଓ ଗୁଜରାଟ ପରି ରାଜ୍ୟରେ ମଧ୍ୟ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ରହିଛି । କିନ୍ତୁ ଓଡ଼ିଶାରେ ମୋଟ୍ ଜନସଂଖ୍ୟାର ୫୪ ପ୍ରତିଶତ ଓବିସି ହୋଇଥିବା ବେଳେ ସେମାନଙ୍କୁ ମିଳୁଛି ମାତ୍ର ସାଢ଼େ 11 ପ୍ରତିଶତ ସଂରକ୍ଷଣ । ତେଣୁ ଯାହାକୁ ନେଇ ଏବେ ନିଆଁବାଣ ବିରୋଧୀ ।
ସେପଟେ ରାଜ୍ୟରେ ପଛୁଆ ବର୍ଗଙ୍କୁ କେବେ ମିଳିବ ସେମାନଙ୍କ ହକ୍ ? କେବେ ଜଣାପଡିବ ଓଡ଼ିଶାରେ ପଛୁଆ ବର୍ଗଙ୍କ ପ୍ରକୃତ ସଂଖ୍ୟା କେତେ ? ଜାତି ଭିତ୍ତିକ ଜନଗଣନା ପାଇଁ ଘୋଷଣା କରି କାହିଁକି ଚୁପ ବସିଛନ୍ତି ରାଜ୍ୟ ସରକାର ? ରାଜ୍ୟରେ ଓବିସି କମିଶନ ମାଧ୍ୟମରେ ସର୍ଭେ କରାଇବାକୁ ନିଷ୍ପତ୍ତି ନିଆଗଲା । ଆଉ ୨୦୨୧ ମେ ରୁ ଏହି ସର୍ଭେ ଆରମ୍ଭ ହୋଇ ଜୁନ ୧୧ରେ ସରିବା ପାଇଁ ସମୟ ସ୍ଥିର ହୋଇଥିଲା । ଏଥି ପାଇଁ ପ୍ରଶିକ୍ଷଣ ସହ ଫର୍ମ ମଧ୍ୟ ପ୍ରସ୍ତୁତ ହୋଇଥିଲା । ହେଲେ ତାପରେ ଯେମିତି ଏ ନିଷ୍ପରି ଶୀତଳ ଭଣ୍ଡାରରେ ପଡିଛି । ପୂର୍ବରୁ ଏହି ପଛୁଆ ବର୍ଗ ପ୍ରସଙ୍ଗକୁ ନେଇ ସଂସଦରେ ବିତର୍କ ବେଳେ ଓଡିଶା ସରକାରଙ୍କ ପଛୁଆ ବର୍ଗ ପ୍ରୀତିର ପୋଲ ଖୋଲିଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା ବି ଏହି ପ୍ରସଙ୍ଗରେ ନିଜ ମନ୍ତବ୍ୟ ରଖି ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଥିଲେ ।
ଉତ୍ତର ପ୍ରଦେଶ ଭଳି ରାଜ୍ୟ ସୁପ୍ରିମକୋର୍ଟରୁ ବିଶେଷ ପରିସ୍ଥିତିର ଦ୍ବାହି ଦେଇ ନିର୍ବାଚନରେ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ବୃଦ୍ଧି କରିଥିଲେ । ମାତ୍ର ଓଡ଼ିଶା ସରକାର ତଥ୍ୟ ନଥିବାରୁ ପଞ୍ଚାୟତ ନିର୍ବାଚନରେ ମଧ୍ୟ ସଂରକ୍ଷଣ ଅଧିକାରରୁ ବଞ୍ଚିତ ହୋଇଥିଲେ ପଛୁଆ ବର୍ଗ । ତେଣୁ ଏଥିରୁ ହିଁ ସରକାରଙ୍କ ପଛୁଆ ବର୍ଗ ପ୍ରେମ ଜଳଜଳ ହୋଇ ଦିଶୁଥିବା ବେଳେ କେବଳ ଲୋକଦେଖାଣିଆ ପାଇଁ ଏଭଳି ତାଲିକାଯୋଡ଼ ଅଭିଯାନ ଚାଲିଥିବା ଚର୍ଚ୍ଚା ହେଉଛି ।