ଶ୍ରୀକ୍ଷେତ୍ରର ଭଣ୍ଡାର ରକ୍ଷକ ତଥା ଶ୍ରୀରାମଙ୍କ ସମୟରୁ ପୁରୀରେ ସ୍ଥାପିତ ହୋଇଛନ୍ତି ବାବା ଲୋକନାଥ । ଆଉ ବାବା ଲୋକନାଥଙ୍କ ପୀଠରେ ମହାଶିବରାତ୍ରି ବା ଜାଗର ଉପଲକ୍ଷେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ଚଳିତବର୍ଷ କୋଭିଡ ସଂକ୍ରମଣ କ୍ରମଶଃ ହ୍ରାସ ପାଇଥିବାରୁ ଭିତରକାଠ ନିକଟରେ ଦର୍ଶନର ବ୍ୟବସ୍ଥା ହୋଇଥିବାବେଳେ ଗମ୍ଭୀରା ଦର୍ଶନକୁ ଅନୁମତି ଦିଆଯାଇନାହିଁ । ରାତି ୨ଟାରୁ ୩ଟା ଭିତରେ ହରିହର ପୂଜା ଭୋଗ ସମ୍ପନ୍ନ, ଚତୁର୍ଦ୍ଦଶୀ ଭୋଗ, ବଡସିଂହାର ବେଶ ଶେଷ ହୋଇ ଉଠିବ ଶ୍ରୀଲୋକନାଥଙ୍କ ମହାଦୀପ । ତେବେ ଆଶାଆଶଙ୍କାରେ ଥିବା ଭକ୍ତଙ୍କ ପାଇଁ ଚଳିତବର୍ଷ ଜାଗର ଯାତ୍ରାରେ ଦୀପ ଜାଳିବା ସମ୍ଭାବନା ଏକ ପ୍ରକାର ସୁନିଶ୍ଚିତ ହୋଇଛି । ସେପଟେ ସମସ୍ତ ଭକ୍ତ ଶ୍ରଦ୍ଧାଳୁ କୋଭିଡ୍ ନିୟମ ମାନି ଜାଗର ବ୍ରତ ପାଳନ କରିବାକୁ ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି ।
ସେପଟେ ସ୍ୱାସ୍ଥ୍ୟ ସେବା, ପାନୀୟ ଜଳ ଯୋଗାଣ, ପରିମଳ ବ୍ୟବସ୍ଥା ଏବଂ ଗହଳି ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା କରାଯାଇଥିବାବେଳେ ଜାଗର ପଡିଆରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା, ଅଗ୍ନିଶମ ବ୍ୟବସ୍ଥା ସହ ଶୃଙ୍ଖଳିତ ଦର୍ଶନ ପାଇଁ ପୁଲିସ ପକ୍ଷରୁ ମଧ୍ୟ ଯୋଜନା କରାଯାଇଛି । ସେପଟେ ଚଳିତବର୍ଷ ଜାଗର ପଡିଆରେ କୌଣସି ମେଳା ଆୟୋଜିତ ହେବନାହିଁ ଓ ଅଳ୍ପ ସଂଖ୍ୟକ ଦୋକାନ ଖୋଲାଯିବାକୁ ନିଷ୍ପତ୍ତି ହୋଇଛି ।
ରାତି ୧୨ଟା ୩୦ରେ ଦ୍ଵାର ଫିଟା ଏବଂ ଭୋର ୧ ଟାରୁ ୪ଟା ମଧ୍ୟରେ ମଙ୍ଗଳ ଆରତୀ, ଅବକାଶ ଓ ସୂର୍ଯ୍ୟ ପୂଜା ପରେ ସର୍ବସାଧାରଣଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ଆରମ୍ଭ ହୋଇ ରାତି 10ଟା ପର୍ଯ୍ୟନ୍ତ ଚାଲିବ । ରାତି 10 ଟାରୁ ରାତି 2ଟା ପର୍ଯ୍ୟନ୍ତ ବିଭିନ୍ନ ନୀତିକାନ୍ତି କରାଯିବା ପରେ ପ୍ରାୟ ରାତି ୩ଟାରେ ହରିହର ଭେଟ ହେବ ବୋଲି ସୂଚନା ମିଳିଛି । ହରିହର ଭେଟ ପରେ ଭକ୍ତମାନେ ସେମାନଙ୍କ ଜାଳିଥିବା ଦୀପକୁ ଉଦଯାପିତ କରିବେ । ମହାଦୀପ ଉଠିବା ଯେଭଳି ବିଳମ୍ବ ନ ହୁଏ ସେଥିପ୍ରତି ସେବକମାନେ ଯତ୍ନବାନ ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନୀତି ଶୃଙ୍ଖଳିତ କରିବା ପାଇଁ ସେବାୟତମାନେ ସମ୍ପୂର୍ଣ ସହଯୋଗ କରିବେ ବୋଲି ପ୍ରତିଶୃତି ମଧ୍ୟ ଦେଇଛନ୍ତି। ଅନ୍ୟପଟେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ 7 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବାସହ ଟ୍ରାଫିକ ବ୍ୟବସ୍ଥାକୁ ମଧ୍ୟ ସୁବନ୍ଦୋବସ୍ତ କରାଯାଇଥିବା ଅତରିକ୍ତ ଏସପି କହିଛନ୍ତି ।