ସୂଚନାନୁଯାୟୀ, ଗତକାଲି(ରବିବାର) ସନ୍ଧ୍ୟାରେ ଅସ୍ତରଙ୍ଗ ଥାନା ଉକୁଳେଇ ଛକ ନିକଟରେ ସୁକାନ୍ତ ସେଠୀଙ୍କ ଦୋକାନରେ ପୁଅ ବସିଥିବା ବେଳେ ନିକଟସ୍ଥ ଜୀଉନ୍ତି ଗ୍ରାମର କୁମର କାଣ୍ଡି ପେଟ୍ରୋଲ ମାଗିଥିଲେ । ପେଟ୍ରୋଲ ନଥିବା ସୁକାନ୍ତଙ୍କ ପୁଅ କହିବାରୁ କୁମାର ଉତକ୍ଷିପ୍ତ ହୋଇ ଦୋକାନରୁ ଟଙ୍କା ଓ ମୋବାଇଲ ଛଡାଇ ନେଇ ସୁକାନ୍ତଙ୍କ ଘର ସମ୍ମୁଖରେ ଗାଳି ଗୁଲଜ କରିଥିଲେ ।
ସୁକାନ୍ତଙ୍କ ମାଆ କଳ୍ପନା ପ୍ରତିବାଦ କରିବାରୁ କୁମାର ତାଙ୍କୁ ପେଲି ଦେଇଥିଲେ । କଳ୍ପନାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ତାଙ୍କୁ ପ୍ରଥମେ ଚାରି ଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ପରେ ସେଠାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର ପରେ ସେଠାରେ କଳ୍ପନାଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଅଭିଯୁକ୍ତ କୁମର ଫେରାର ହୋଇଥିବା ଜଣାପଡିଛି ।
ଅନ୍ୟପଟେ ଗାଁ ଲୋକେ ଉତ୍ତ୍ୟକ୍ତ ହୋଇ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ କ୍ଷତିପୂରଣ ଦାବି କରିଛନ୍ତି । ଏହାସହ ତୁରନ୍ତ ଅଭିଯୁକ୍ତକୁ କିମ୍ବା ତାଙ୍କ ପରିବାର ଲୋକଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ମୃତ କଳ୍ପନାଙ୍କ ପୁଅ ।