
ଭୁବନେଶ୍ଵର : ସାରା ବିଶ୍ଵରେ ପ୍ରକୋପ ପକାଇଥିବା କୋରୋନା ସହ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। କୋରୋନା ଯେପରି ରାଜ୍ୟ ନବ୍ୟାପେ ସେଥିପ୍ରତି ରାଜ୍ୟ ସରକାର ଦୃଷ୍ଟିରେ ରଖି ଗତ ଶୁକ୍ରବାର ଏହାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିବା ସହ ସମସ୍ତ ସ୍କୁଲ, କଲେଜ, ସିନେମା ହଲ ମାର୍ଚ୍ଚ ୩୧ ଯାଏଁ ବନ୍ଦ କରିଥିଲେ। ତେବେ ଏନେଇ ଆଜି ବିଏମସି କମିଶନର ତତ୍ପରତା ଦେଖାଇଛନ୍ତି। କୋରୋନା ମୁକାବିଲା ପାଇଁ ରାଜଧାନୀ ଭୁବନେଶ୍ଵରରେ ୩ଟି ଜୋନ୍ ପାଇଁ ୩ଟି ପୃଥକ ପୃଥକ ସ୍କ୍ଵାର୍ଡ ଗଠନ କରାଯାଇଥିବା BMC କମିଶନର ସୂଚନା ଦେଇଛନ୍ତି।
BMC କମିଶନର କହିଛନ୍ତି ଯେ, ବରିଷ୍ଠ ଅଧିକାରୀଙ୍କ ନେତୃତ୍ଵରେ ସ୍କ୍ଵାର୍ଡ ଗଠନ ହୋଇଛି। ପ୍ରତି ଟିମରେ ପୋଲିସ ସହ ଏନଫୋର୍ସମେଣ୍ଟ ସ୍କ୍ଵାର୍ଡ ଅଛନ୍ତି। ମାସ୍କ ଓ ସାନିଟାଇଜର ହୋର୍ଡିଂ ରୋକିବାକୁ ପଦକ୍ଷେପ ନିଆଯିବ। ଯଦି କେହି ନିର୍ଦ୍ଦେଶ ଖିଲାପ କରନ୍ତି କାର୍ଯ୍ୟାନୁଷ୍ଠାନ ନିଆଯିବ। ବାହାଘର ବନ୍ଦ ହେବନି, ମାତ୍ର ଅଧିକ ଜନସମାଗମକୁ ବାରଣ କରାଯିବ। BDA/BMC କର୍ମଚାରୀଙ୍କୁ ଅଫିସରେ ଛେପ ପକାଇବା ମନା। ଯଦି କେହି BDA/BMC କର୍ମଚାରୀ ଛେପ ପକାଇବେ ତେବେ ୫ ଶହ ଜରିମାନା ଦେବେ। ତେବେ ମଲ୍ ବନ୍ଦ କରିବା ପାଇଁ କୌଣସି ନିର୍ଦ୍ଦେଶ ନାହିଁ।
