ଶିମିଳିପାଳ ଅଗ୍ନିକାଣ୍ଡ ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦବେଗ ପ୍ରକାଶ କରିଥିଲେ । ଏନେଇ ଟ୍ୱିଟ କରି ବିଭାଗୀୟ ମନ୍ତ୍ରୀଙ୍କୁ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ କେନ୍ଦ୍ରମନ୍ତ୍ରୀ । ଦେଶର ଅନ୍ୟତମ ପ୍ରମୁଖ ଅଭୟାରଣ୍ୟ ଶିମିଳିପାଳରେ ଅଗ୍ନିକାଣ୍ଡ ଉଦବେଗଜନକ ବୋଲି ମଧ୍ୟ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ । ଏହାସହ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦୃଷ୍ଟି ଦେବାକୁ ଟ୍ୱିଟ କରି ଜଣାଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୨ହଜାର ୭୫୦ ବର୍ଗ କିଲୋମିଟରର ବିଶାଳ ଶିମିଳିପାଳ ଅଭୟାରଣ୍ୟ ଆଡକୁ ଦ୍ରୁତ ବେଗରେ ନିଆଁ ମାଡି ଆସୁଛି । ଅଭୟାରଣ୍ୟର ଆଖପାଖ ଜଙ୍ଗଲରେ ସାଙ୍ଘାତିକ ନିଆଁ ଲାଗିଲାଣି । ମୟୂରଭଂଜର ରାଜ ପରିବାର ଏହି ଘଟଣାକୁ ଆଗକୁ ଆଣିଛନ୍ତି ।
ରାଜକୁମାରୀ ଅକ୍ଷୀତା ମଂଜରୀ ଭଂଜଦେଓ ଟ୍ୱିଟ କରି କହିଛନ୍ତି, ଶିମିଳିପାଳର ସୌନ୍ଦର୍ୟ୍ୟ ନଷ୍ଟ କରିବା ପାଇଁ ଏବଂ ଜୀବଜନ୍ତୁଙ୍କୁ କ୍ଷତି ପହଂଚାଇବା ପାଇଁ, କିଛି ବ୍ୟକ୍ତି ଏଭଳି କାମ କରୁଛନ୍ତି । ତେଣୁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବା ପାଇଁ ସେ ଅନୁରୋଧ କରିଥିଲେ । ରାଜକୁମାରୀଙ୍କ ଟ୍ୱିଟକୁ ରିଟ୍ୱିଟ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଘଟଣାକୁ ଗମ୍ଭୀରତା ଭାବେ ନେଇ କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିଆକର୍ଷଣ କରିଥିଲେ । ଏହାପରେ ଶିମିଳିପାଳ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡେକର ।