ଏକ ଚାରି ଜଣିଆ ଡାକ୍ତର ଟିମ୍ ପ୍ରାଥମିକ ଚିକିତ୍ସା କରିବା ପରେ ତାଙ୍କୁ କଟକ SCB ମେଡିକାଲ ସ୍ଥାନାନ୍ତର କରାଯାଇଛି । ରାଜ୍ୟ ସରକାର ତାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ ବୋଲି ନବରଙ୍ଗପୁର CDMO ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ହଳଦୀ ପଞ୍ଚାୟତର ବାଲିଝର ଗାଁରେ ସର୍ପ ଦଂଶନରେ ୯ ବର୍ଷର ଝିଅ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଘରେ ପକାଇ ରଖିଛନ୍ତି ପରିବାର ଲୋକ । ଝିଅର ଗୋଟିଏ ହାତ ସଂପୂର୍ଣ୍ଣ ନଷ୍ଟ ହେବାକୁ ବସିଲାଣି । ପରିବାରର ଆର୍ଥିକ ପରିସ୍ଥିତି ଝିଅର ଚିକିତ୍ସା ପାଇଁ ବାଧକ ସାଜିଛି ।
୯ ବର୍ଷର ଝିଅ ମଞ୍ଜୁଳା ବର୍ତ୍ତମାନ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ମାସେ ତଳେ ମଞ୍ଜୁଳା ଏକ ଗଛରେ ପକ୍ଷୀ ଧରିବାକୁ ଚଢି ଥିବା ବେଳେ ଏକ ବିଷଧର ନାଗ ସାପ ତିନୋଟି ଚୋଟ ମାରିଥିଲା । ଝିଅକୁ ବାପା ଓ ମା ପ୍ରଥମେ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ଓ ସେଠାରେ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ସ୍ଥାନାନ୍ତର କରିଥିଲେ। ସେଠାରୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ୍ ନେଇଥିଲେ । ସେଠାରେ ତିନିଦିନ ଚିକିତ୍ସା ପରେ ସ୍ବାସ୍ଥ୍ୟବସ୍ଥାରେ ସୁଧାର ନ ଆସିବାରୁ ଡାକ୍ତର ଝିଅକୁ ବ୍ରହ୍ମପୁର ନେବାପାଇଁ ପରାମର୍ଶ ଦେଇଥିଲେ। ମାତ୍ର ଝିଅର ଭାଗ୍ୟକୁ ଭଗବାନଙ୍କ ଭରସା ଛାଡ଼ି ଘରକୁ ନେଇ ଆସିଥିଲେ ପରିବାର ଲୋକେ।
ସେପଟେ ଦଂଶନ କରିଥିବା ବିଷ ଧର ସାପକୁ ଝିଅର ପରିବାର ଲୋକେ ମାସେ ହେଲା ଗୋଟିଏ ସ୍ଥାନରେ ବନ୍ଦ କରି ରଖିଛନ୍ତି । ପରିବାର ସଦସ୍ୟ କହିଛନ୍ତି ଯେତେ ଦିନ ଯାଏ ଝିଅ ଠିକ୍ ନ ହେଇଛି ସେ ପର୍ଯ୍ୟନ୍ତ ସାପଟିକୁ ଛାଡ଼ିବୁ ନାହିଁ ।