ଆଜି ପହୁଡ ନୀତି ପରେ ଦଇତାପତି ମାନେ ମହାପ୍ରଭୁଙ୍କ ବାହୁଟକଣ୍ଟ ନୀତି କରିବେ। ସେହିପରି ସ୍ନାନଯାତ୍ରା ପହଣ୍ତି ପାଇଁ କୋଠସୁଆଂସିଆ ମାନେ ଆଜି ରତ୍ନ ସିଂହାସନରେ ଚାରମାଳ ବାନ୍ଧିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତକାଲି ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଦଇତାପତି ମାନେ ମହାପ୍ରଭୁଙ୍କ ସେନାପଟା ଲାଗି କରିବେ। ଏସମସ୍ତ ନୀତି ପାଇଁ ଦଇତାପତି ମାନେ ଆଜି ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି। ସେପଟେ ରବିବାର ସ୍ନାନପୂର୍ଣ୍ନିମା ପଡୁଥିବାରୁ ପ୍ରବଳ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ମାର୍କେଟଛକ ଠାରୁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଥିବା ବେଳେ ଭକ୍ତଙ୍କ ସୁରକ୍ଷିତ ଓ ଶୃଙ୍ଖଳିତ ଦର୍ଶନ ଉପରେ ପ୍ରଶାସନ ଗୁରୁତ୍ୱ ଦେଇଛି।
ସେପଟେ ଆଉ ଦିନକପରେ ଭକ୍ତମୟ ପରିବେଶରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ସ୍ନାନନୀତି ସହ ଦୁର୍ଲଭ ହାତୀବେଶ। ଦେବସ୍ନାନପୂର୍ଣ୍ଣମୀ ଦିନ ମହାପ୍ରଭୁ ୧୦୮ ଗଡୁ ସୁବାସିତ ଜଳରେ ସ୍ନାନ କରିବା ପରେ ଦୁର୍ଲ୍ଲଭ ହାତୀବେଶ ପରିଧାନ କରିବେ।ସେଥିପାଇଁ ରାଘବଦାସ ମଠ ଓ ଗୋପାଳତୀର୍ଥ ମଠରେ ମହାପ୍ରଭୁଙ୍କ ହାତୀବେଶ ପ୍ରସ୍ତୁତି ଚାଲିଛି। ପବିତ୍ର ଅକ୍ଷୟ ତୃତୀୟା ଠାରୁ ହାତୀବେଶ ପାଇଁ ଅନୁକୂଳ ଆରମ୍ଭ ହୋଇ ସ୍ନାନପୂର୍ଣ୍ନିମା ପର୍ଯ୍ୟନ୍ତ ଏହି ବେଶ ନିର୍ମାଣ ଜାରି ରହିଥାଏ। ସୋଲ,ଜରି, ଜମ୍ବୁରା, କଦଳିପଟ, କଇଁଥ ଅଠାରେ ଶିଳ୍ପୀ ତଥା ବେଶ କାରିଗର ମାନେ ମନଲୋଭା ହାତୀବେଶ ପ୍ରସ୍ତୁତ କରିଥାନ୍ତି।ହାତୀବେଶର ବିଭିନ୍ନ ଅଂଶ ମଧ୍ୟରେ
କିଆଫଳି,ଚନ୍ଦ୍ରସୂର୍ଯ୍ୟ,ଡାଳି,କାନ,ଥୋଡ,ହାଣ୍ଡିଆ ରହିଛି।ସ୍ନାନମଣ୍ଡପରେ ଜଳଲାଗି ପରେ ମହାପ୍ରଭୁ ଦୁର୍ଲଭ ହାତୀବେଶରେ ସଜ୍ଜିତ ହେବେ। ତେବେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ପ୍ରସ୍ତୁତ କରିବାର ସେବା ଓ ସୁଯୋଗ ପାଇଥିବାରୁ ବେଶ କାରିଗର ମାନେ ନିଜକୁ ଧନ୍ୟ ମନେ କରିଛନ୍ତି। ଅନ୍ୟପଟେ ଆଜିଠାରୁ ଚିତ୍ରକର ସେଵକ ମାନେ ତିନିରଥରେ ଲାଗୁଥିବା ପାର୍ଶ୍ୱଦେବାଦେବୀ,ସଖି, ଶିଖରଡମ୍ବୁରୁରେ ରଙ୍ଗ ଦେବା କାମ ଆରମ୍ଭ କରିଛନ୍ତି।
ଦିନକପରେ ସ୍ନାନମଣ୍ଡପରେ ଦିବ୍ୟସ୍ନାନ କରି ମହାପ୍ରଭୁ ଅଗଣିତ ଭକ୍ତଙ୍କୁ ହାତୀବେଶରେ ଦର୍ଶନ ଦେବେ। ପରେ ଜ୍ୱରରେ ପଡିବାରୁ ଅଣସର ଘରେ ଚାଲିଵ ମହାପ୍ରଭୁଙ୍କ ଗୁପ୍ତ ଚିକିତ୍ସା। ତେବେ ସ୍ନାନଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ସମସ୍ତ ସେବାୟତଙ୍କ ସହ ସମନ୍ୱୟ ରକ୍ଷାକରି ଶୃଙ୍ଖଳିତ ନୀତି ସମାପନ କଲେ ଭକ୍ତ ଶ୍ରଦ୍ଧାଳୁ ମାନେ ମହାପ୍ରଭୁଙ୍କ ଏ ତମାମ୍ ନୀତିକାନ୍ତି ଚର୍ମଚକ୍ଷୁରେ ଦେଖି ସାନିଧ୍ୟ ନେବେ ।
ଆହୁରି ପଢନ୍ତୁ ଓଡିଶା ଖବର...