ଉତ୍ସାହ, ଉତ୍କଣ୍ଠା, ରୋଚକ ମୟ ଚଳିତବର୍ଷର ପଞ୍ଚାୟତ ନିର୍ବାଚନ । ପ୍ରଥମ ଥର ଉଚ୍ଚଶିକ୍ଷିତ ପ୍ରାର୍ଥୀ ନାମାଙ୍କନ ଭରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲେ । ଆଉ ଏବେ ନିଆରା ପ୍ରାଚରକୁ ନେଇ ମଧ୍ୟ ଅନେକ ପ୍ରାର୍ଥୀଙ୍କୁ ନେଇ ଚାରିଆଡେ ଟୁପୁର ଟାପୁର । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଯୁବପିଢୀଙ୍କର ବା ଉଚ୍ଚଶିକ୍ଷିତ ଲୋକଙ୍କର ହଠାତ୍ ଏମିତି ରାଜନୀତି ପ୍ରତି ଏତେ ଉତ୍କଣ୍ଠା କୁଆଡୁ ଆସିଲା । ସମସ୍ତଙ୍କ ମୁହଁରେ ଗୋଟିଏ କଥା ଯେ ଆମକୁ ଭୋଟ୍ ଦେଲେ ଆମେ ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି କରିବୁ । ଏମିତି କହି ନିଆରା ଶୈଳୀରେ ଭୋଟ୍ ହାତେଇବାକୁ ପ୍ରାଣ ପଣେ ଚେଷ୍ଟା କରୁଛନ୍ତି ପ୍ରାର୍ଥୀ ।
ସୂଚନାଯୋଗ୍ୟ, ଫେବୃଆରୀ ୧୬ ରୁ ସମଗ୍ର ରାଜ୍ୟରେ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ହେବ । ରାଜ୍ୟରେ ୫ଟି ପର୍ଯ୍ୟାୟ ନିର୍ବାଚନ ଫେବୃଆରୀ ୧୬, ୧୮,୨୦,୨୨ ଓ ୨୪ ତାରିଖରେ ହେବ । ସେହିପରି ଫେବୃଆରୀ ୨୬, ୨୭ ଓ ୨୮ତାରିଖରେ ଭୋଟଗଣତି ସମସ୍ତ ବ୍ଲକ ମୁଖ୍ୟାଳୟରେ ଜିଲ୍ଲା ପରିଷଦ ଜୋନୱାରି ହେବ। ଭୋଟଗଣତି ସମାପ୍ତ ସହ ଫେବୃଆରୀ ୨୮ ତାରିଖରେ ହିଁ ଆଦର୍ଶ ଆଚରଣ ବିଧି ପ୍ରତ୍ୟାହାର ହେବ ।
୬ ହଜାର ୬୬୭ ଆସନ ପାଇଁ ସରପଞ୍ଚ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା । ୮୫୩ ଜିଲ୍ଲା ପରିଷଦ ଜୋନ ପାଇଁ ହେବ ଲଢ଼େଇ । ସେହିପରି ୬,୪୬୭ ସମିତି ସଭ୍ୟ ଓ ୫୫,୩୬୭ ଜଣ ୱାର୍ଡମେମ୍ବର ଆସନ ପାଇଁ ମଧ୍ୟ ନିର୍ବାଚନ ଲଢ଼ିବେ ପ୍ରାର୍ଥୀ । କିଏ କରିବ ବାଜିମାତ ତାହା ଉପରେ ସମସ୍ତଙ୍କ ନଜର।