ଏହାରି ଭିତରେ ପିପିଲି ଗଣଦୁଷ୍କର୍ମ ପୀଡ଼ିତାଙ୍କ ମା’ ମଧ୍ୟ ଏହି କଥାକୁ ସାବ୍ୟସ୍ତ କରିଛନ୍ତି । ଯଦିଓ ଆମେ ସମସ୍ତେ ଜାଣିଛନ୍ତି ପୀଡ଼ିତାଙ୍କ ମା’ଙ୍କର ଯଥେଷ୍ଟ ଜ୍ଞାନ ନାହିଁ ସିବିଆଇ କଣ ବୋଲି ଜାଣିବାକୁ ତଥାପି ସେ ସିବିଆଇ ତଦନ୍ତ ଦାବି କରିଛନ୍ତି । ଥରେ ନୁହେଁ ବାରମ୍ବାର ଦାବି କରିଛନ୍ତି ଝିଅ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ । ଏହି କଥାରୁ ଏତିକି ସ୍ପଷ୍ଟ ଯେ ରାଜ୍ୟର ଶାସନ ବ୍ୟବସ୍ଥା ଉପରେ ପୀଡ଼ିତାଙ୍କ ମା’ର ଭରସା ଉଠିସାରିଛି ।
ଏବଂ ସେ ହୃଦୟଙ୍ଗମ କରିଛନ୍ତି ସିବିଆଇ ରାଜ୍ୟର ଆଇନ ବ୍ୟବସ୍ଥାଠୁ ଉର୍ଦ୍ଧ୍ୱରେ । ତେବେ ଆଜି (ରବିବାର) କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୀଡ଼ିତାଙ୍କ ମା’-ବାପାଙ୍କୁ ଭେଟିବାକୁ ପିପିଲି ଅନ୍ତର୍ଗତ ଅର୍ଜୁନଗୋଦାର ଦୟାନଦୀ ପଠାରେ ଥିବା ବେବିନାଙ୍କ ଘରକୁ ଯାଇଥିଲେ । ପୀଡ଼ିତାଙ୍କ ପରିବାର ସହ କଥା ହୋଇ ଫେରିବା ସମୟରେ ଗାଁର କିଛି ବ୍ୟକ୍ତି ତାଙ୍କୁ ସିଧା ଧମକ ଦେଇଥିଲେ । ତେବେ ପୀଡ଼ିତାଙ୍କ ପରିବାର ପ୍ରତି ବିପଦ ଥିବା ହୃଦୟଙ୍ଗମ କରିବା ପରେ କେନ୍ଦ୍ରମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚି ସମସ୍ତ ତଥ୍ୟକୁ ପ୍ରେସମିଟ୍ ଜରିଆରେ ରାଜ୍ୟବାସୀଙ୍କ ଆଗରେ ରଖିଛନ୍ତି ।
ବାବୁଲି ବେହେରାଙ୍କ ଘରପ୍ରତି କୌଣସି ସମୟରେ ଆକ୍ରମଣ ହୋଇପାରେ । ମୋତେ ଡର ମାଡ଼ୁଛି । ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ପୃଷ୍ଠପୋଷକତାରେ ବଢିଥିବା ଶାସକଦଳର ଗୁଣ୍ଡାମାନଙ୍କ ଧମକ ଶୁଣି ଡରିଗଲି । ପୂର୍ବରୁ ସନ୍ତୋଷ ଗଙ୍ଗଓ୍ୱାରଙ୍କ ଉପରେ ଆକ୍ରମଣ ବି ହୋଇସାରିଛି । ସେମାନେ କହିଲେ କେତେଦିନ ବେହେରା ପରିବାରକୁ ସୁରକ୍ଷା ଦେବ, ଆମେ ପୁଣି ଜିତିବୁ । ବାବୁଲି ବେହେରା ପରିବାରକୁ କିଏ ରକ୍ଷା କରିବ ଦେଖିନବୁ । ପ୍ରଜାତନ୍ତ୍ରରେ କିଛି ବି ନିଷ୍ପତ୍ତି ହୋଇପାରେ । କିନ୍ତୁ ଦଳିତ ଲୋକଟି ଝିଅକୁ ହରାଇବା ପରେ ଆକୁଳ ନିବେଦନ କରୁଛି । ଏହାସହ ପ୍ରଧାନମନ୍ତ୍ରୀ ମଧ୍ୟ ଏହି ପ୍ରସଙ୍ଗକୁ ଉତ୍ଥାପନ କରିଛନ୍ତି । ତାପରେ ପୋଲିସ ସାମ୍ନାରେ ଶାସକ ଦଳର ଗୁଣ୍ଡାମାନେ ବେହେରା ପରିବାରକୁ ଡରାଇବେ ?
ଏହସହ ନିଜେ କେନ୍ଦ୍ରମନ୍ତ୍ରୀ ଡରିଥିବା କଥା ମଧ୍ୟ କହିଛନ୍ତି । ଏପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ପୁଣି ଥରେ ଅବଗତ କରାଯିବ । ଡିଜିଙ୍କୁ ଫୋନ କରି ବିଫଳ ହେଲି । ଆଇଜି ଏବଂ ଏସ୍ପି ମହାଶୟଙ୍କୁ ଖୋଜି ମଧ୍ୟ ପାଇନଥିବା କହିଛନ୍ତି ଧର୍ମେନ୍ଦ୍ର । ତେବେ ପୀଡ଼ିତାଙ୍କ ବାପା-ମା’ଙ୍କ ପାଖରୁ ମିଳିଥିବା କିଛି ତଥ୍ୟ ମଧ୍ୟ ପ୍ରକାଶ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ ସରକାରଙ୍କ କ୍ରାଇମ ବ୍ରାଞ୍ଚ ପୀଡ଼ିତା ବେବିନାଙ୍କର ଧର୍ଷଣ ସମୟରେ ପିନ୍ଧିଥିବା ପୋଷାକକୁ ନେଇ କୌଣସି ପରୀକ୍ଷା କରି ନଥିଲେ । ପରେ ପରିବାର ଲୋକେ ଏହିସବୁ ପୋଷାକକୁ ମାମଲା ପାଇଁ ନିୟୋଜିତ କମିଶନକୁ ହସ୍ତାନ୍ତର କରିଥିଲେ ।
ପରେ ସରକାରୀ ଓକିଲ ବେବିନାଙ୍କ ମାତା-ପିତାଙ୍କୁ ଧମକ ଦେଇ କହିଥିଲେ ଯେ କ୍ରାଇମବ୍ରାଞ୍ଚ ଯାହା କହିବ ସେପରି କହିବାକୁ । ଏପରି ସ୍ଥିତିରେ ମୁଖ୍ୟମନ୍ତ୍ରୀ ସମ୍ବେଦନଶୀଳ ହୁଅନ୍ତୁ । ଏହି ଦଳିତ ପରିବାରର ଘର ମୁଖ୍ୟମନ୍ତ୍ରୀଙ୍କ ଘର ଠାରୁ ପ୍ରାୟ 20-25 କିମି ହେବ । ମୁଖ୍ୟମନ୍ତ୍ରୀ ଚଞ୍ଚକତା କରିବାରେ ପ୍ରବୀଣ ବ୍ୟକ୍ତିତ୍ୱ । ବିଗତ 19 ବର୍ଷ ମଧ୍ୟରେ ଅନେକ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି ।
ଏହାସହ ପରବର୍ତ୍ତୀ ସମୟରେ ସେମାନେ ରାଜ୍ୟ ସରକାରଙ୍କ ମୁଖ୍ୟ କାର୍ପଟରଦାର ଭାବେ କାର୍ଯ୍ୟ କରିଛନ୍ତି । କିଏ ସିବିଆଇ ତଦନ୍ତ ପାଇ ପୁଣି ଆଉ କିଏ ଛତୁଆ ଦୁର୍ନୀତି କରି ଇସ୍ତଫା ଦେଇଛନ୍ତି । କିଏ ବ୍ଲାକରୋଜ ଘଟଣାରେ ସମ୍ପୃକ୍ତ ଥିବା ନେଇ ତ ପୁଣି ଆଉ କିଏ କିଛି କେଳେଙ୍କାରୀ କରି ଇସ୍ତଫା ଦେଇଛି । ପରେ ସେମାନେ ମନ୍ତ୍ରୀମଣ୍ଡଳକୁ ପୁଣି ଫେରିଛନ୍ତି । ପୂର୍ବରୁ ମଧ୍ୟ ପ୍ରଦୀପ ମହାରଥୀ ଏହିପରି ଇସ୍ତଫା ଦେଇଥିଲେ ଏବଂ ଏବେ ସରକାରଙ୍କ ବଡ଼ ବାହାଦୁର ନେତା ଥିଲେ ମହାରଥୀ । ରକ୍ଷକ ଭକ୍ଷକ ନହେବା ଦରକାର ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ପରିବାରକୁ ସୁରକ୍ଷା ଦେବା ସହ ମାମଲାର ସିବିଆଇ ତଦନ୍ତ ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।