ଏହାପରେ ପୁରୁଣା ଘଟଣାକୁ ଅସ୍ତ୍ର କରି ସମ୍ବାଦ ଅଫିସରେ ପଶିଲା କ୍ରାଇମ ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା । ଆଉ ଶେଷରେ ସୌମ୍ୟ-ସମ୍ବାଦ-ସରକାର ବିବାଦରେ ଆଜି ଆସିଛି ବଡ ଟୁଇଷ୍ଟ । ଜନ ବିରୋଧୀ ଦର୍ଶାଇ ସୌମ୍ୟଙ୍କୁ ଦଳରୁ ବିଦା କରିଛି ବିଜେଡି । ସମ୍ବାଦର 300 କର୍ମଚାରୀଙ୍କ ଜରିଆରେ ବଡ ବ୍ୟାଙ୍କ ଦୁର୍ନୀତି କରାଯାଇଥିବା ପ୍ରେସରିଲିଜରେ ଦର୍ଶାଇଛି ବିଜୁ ଜନତା ଦଳ । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଖୋଦ୍ ମୁଖ୍ୟମନ୍ତ୍ରୀ ବା ବିଜେଡି ସୁପ୍ରିମୋ ଏ ବିଷୟରେ ଗଣମାଧ୍ୟମକୁ ଅବଗତ କରାଇଛନ୍ତି ।
୨୦୧୮ ମାର୍ଚ୍ଚ ମାସରେ ସୌମ୍ୟ ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହୋଇଥିଲେ । ୨୦୨୦ ମସିହାରେ ବିଜେଡି ତାଙ୍କୁ ଦଳର ଉପସଭାପତି ପଦ ସହ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ଦେଇଥିଲା । ମାତ୍ର ପରେ ତାଙ୍କୁ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱରୁ ହଟାଇ ଦେଇଥିଲା ଦଳ । ଆଉ ଏବେ ସମ୍ପାଦକୀୟ ଲେଖିବା ପରେ ସୌମ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେଡି ପକ୍ଷରୁ ଗତ ଏକମାସ ଧରି ତିଆରି ହୋଇଥିଲା ବ୍ଲୁ-ପ୍ରିଣ୍ଟ । ଏପଟେ ସୌମ୍ୟଙ୍କ ବହିଷ୍କାର କୁ ନେଇ ରାଜ୍ୟ ରାଜନୀତି ବି ସରଗରମ ହୋଇଛି ।
ପୂର୍ବରୁ ପ୍ରଦୀପ ପାଣିଗ୍ରାହୀ ଓ ପ୍ରଶାନ୍ତ ଜଗଦେବଙ୍କୁ ବି ଦଳରୁ ବାହାର କରିଛି ବିଜେଡି । ମାତ୍ର କେବେ ମୁଖ୍ୟମନ୍ତ୍ରୀ ବା ବିଜେଡି ସୁପ୍ରିମୋ ସାମ୍ନାକୁ ଆସି ଘୋଷଣା କରିବା ଦେଖାଯାଇନଥିଲା । କିନ୍ତୁ ବର୍ତ୍ତମାନ ସୌମ୍ୟଙ୍କ କ୍ଷେତ୍ରରେ ମଙ୍ଗୁଆଳ ମାନେ ଖୋଦ୍ ମୁଖିଆଙ୍କୁ ସାମ୍ନାକୁ ଆଣିବା ପରେ ରାଜ୍ୟ ରାଜନୀତିରେ ନାନା ଚର୍ଚ୍ଚା ଆଲୋଚନା । କୁହାଯାଉଛି ସୌମ୍ୟଙ୍କ ସମ୍ପାଦକୀୟ ପ୍ରଚଳିତ ବ୍ୟବସ୍ଥାର ଜଡକୁ ଦୋହଲାଇ ଦେଇଛି। ତେଣୁ ଡ୍ୟାମେଜ କଣ୍ଟ୍ରୋଲ ପାଇଁ ମୁଖିଆଙ୍କୁ ସାମ୍ନାକୁ ଆଣିବା ଛଡା ଆଉ କିଛି ଅପସନ ନଥିଲା ମଙ୍ଗୁଆଳ ମାନଙ୍କ ପାଖରେ ।
ଆହୁରି ପଢନ୍ତୁ ଓଡିଶା ଖବର...