ଅର୍ଗସ ନ୍ୟୁଜ୍: ଏ ବର୍ଷର ଚର୍ଚ୍ଚିତ କ୍ରାଇମ୍ ଭିତରୁ ବାରି ହୋଇ ପଡୁଥିବା ଘଟଣାଟି ହେଉଛି ACF ସୌମ୍ୟ ମୃତ୍ୟୁ ମାମଲା। କେହି କେହି ଏହାକୁ ହତ୍ୟା ମାମଲା ବି କହୁଛନ୍ତି। କାରଣ ACFଙ୍କ ମୃତ୍ୟୁ ଘଟଣା ସହ ତାଙ୍କ ସ୍ତ୍ରୀଙ୍କ ପରକୀୟା ପ୍ରୀତିର ଚର୍ଚ୍ଚା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା।
୨୦୨୧ ଜୁଲାଇ ୨୦ ତାରିଖରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ(ACF) ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟିଲା। ନିଜ କ୍ବାଟର୍ସରେ ପୋଡି ହୋଇ ଗୁରୁତର ହେବା ପରେ ପ୍ରଥମେ ବ୍ରହ୍ମପୁର ବଡ଼ ମେଡିକାଲ ଓ ପରେ କଟକ ନିଆଯାଇଥିଲା। ସେଠାରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା।
ଘଟଣାର ମାତ୍ର ୬ମାସ ପୂର୍ବରୁ ବାଲେଶ୍ବରର ବିଦ୍ୟାଭାରତୀଙ୍କୁ ବିବାହ କରିଥିଲେ ସୌମ୍ୟ। ହେଲେ ଉଭୟଙ୍କ ମଧ୍ୟରେ ଭଲ ସମ୍ପର୍କ ନ ଥିଲେ। ଦୁହେଁ ଏ ବିବାହରେ ଆଦୌ ଖୁସି ନ ଥିଲେ। ସୌମ୍ୟଙ୍କ ମୃତ୍ୟୁ ପରେ ପୁଲିସ କିଛି ଚିଠି ପାଇଥିଲା, ଯେଉଁଥିରୁ ଉଭୟଙ୍କ ସମ୍ପର୍କରେ ଫାଟ ଥିବା ସ୍ପଷ୍ଟ ବାରି ହୋଇ ପଡିଥିଲା।
ଏପଟେ ଘଟଣାର ତୃତୀୟ କଡି ଭାବେ ଯୋଡି ହେଲେ ଡିଏଫଓ ସଂଗ୍ରାମ କେଶରୀ ବେହେରା। ଯାହାଙ୍କ ସହ ସୌମ୍ୟଙ୍କ ସମ୍ପର୍କ ଭଲ ନ ଥିଲା କିନ୍ତୁ ବିଦ୍ୟାଭାରତୀଙ୍କ ସହ କିଛି ଭିତିରିଆ ସମ୍ପର୍କ ରହିଥିଲା ବୋଲି ଚର୍ଚ୍ଚା ଆରମ୍ଭ ହୁଏ।
ସୌମ୍ୟଙ୍କ ମୃତ୍ୟୁର ଠିକ୍ ପୂର୍ବଦିନ, ପାରଳାଖେମୁଣ୍ଡିର ସରକାରୀ ବାସ ଭବନରେ ଉଭୟ ପତ୍ନୀପତି ରହିଥିଲେ। ରାତି ପ୍ରାୟ ୯ଟା ବେଳେ ବିଦ୍ୟାଭାରତୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘରେ ପହଞ୍ଚିଥିଲେ। ଏହାପରେ ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ପୋଡ଼ି ହୋଇଯାଇଥିବା ଦେଖି ତାଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ବ୍ରହ୍ମପୁର ଓ କଟକସ୍ଥିତ ଏକ ଘରୋଇ ହସ୍ପିଟାଲକୁ ପଠାଯାଇଥିଲା। ସେଠାରେ ତାଙ୍କ ମୃତ୍ୟୁ ହେଲା।
ଏଇଠୁ ଆରମ୍ଭ ହୋଇଥିଲା ସସପେନ୍ସ। ସାମ୍ନାରେ ସ୍ବାମୀ ପୋଡି ଯାଉଥିବା ବେଳେ ବିଦ୍ୟାଭାରତୀ କ’ଣ ପାଇଁ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କଲେନି ? ଦେହରେ ନିଆଁ କେମିତି ଲାଗିଲା ? ଏଭଳି ଅନେକ ପ୍ରଶ୍ନ ସାମ୍ନରକୁ ଆସିଲା। ସେପଟେ, ନିକଟବର୍ତ୍ତି ବଡ ଡାକ୍ତରଖାନାକୁ ନ ନେଇ ଗୁରୁତର ସୌମ୍ୟଙ୍କୁ ପାରଳାଖେମୁଣ୍ଡିରୁ କଟକ ନିଆଗଲା। ଆଉ ଏ ସବୁ ପ୍ରକ୍ରିୟାରେ ପାଖେ ପାଖେ ରହୁଥିଲେ DFO ସଂଗ୍ରାମ କେଶରୀ ବେହେରା। ବେହେରାଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ଉପରେ ଅଭିଯୋଗ ଆସିଲା। ହେଲେ ପୁଲିସ ଘଟଣାର ତଦନ୍ତ ପ୍ରକ୍ରିୟା ବିଳମ୍ବିତ କରିବାକୁ ଲାଗିଲା।
ସୌମ୍ୟଙ୍କ ପରିବାର ଲୋକେ ଅଭିଯୋଗ କଲେ DFO ଓ ବୋହୂ ବିଦ୍ୟାଭାରତୀ ହିଁ ଘଟଣାର ମୁଖ୍ୟ ଅଭିଯୁକ୍ତ। ହେଲେ ପୁଲିସ ସେମାନଙ୍କୁ ଗିରଫ କରିବାରେ ଟାଳଟୁଳ ନୀତି ଅବଲମ୍ବନ କଲା। କାରଣ DFOଙ୍କ ଉପରେ ଥିଲା ଜଙ୍ଗଲ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ହାତ । ମନ୍ତ୍ରୀଙ୍କ ଛତ୍ରଛାୟା ତଳେ ଥିବାରୁ DFO ବେହେରା ଇନ୍ଦ୍ରଚନ୍ଦ୍ର ମାନୁ ନ ଥିଲେ। ଏମିତିକି ଗଣମାଧ୍ୟମକୁ ବାରମ୍ବାର ଅପମାନିତ କରିବାକୁ ସେ ପଛାଉ ନ ଥିଲେ।
ଶେଷରେ ଜଣେ ସରକାରୀ ଅଧିକାରୀଙ୍କ ସମ୍ପୃକ୍ତି ଅଭିଯୋଗ ପରେ ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ମିଳେ। ତଦନ୍ତ ଆଗକୁ ବଢେ।
ଜୁଲାଇରୁ ଡିସେମ୍ବର ହୁଏ। କିନ୍ତୁ ମୁଖ୍ୟ ଅଭିଯୁକ୍ତ ଏବେ ବି ଆଇନ୍ ପଞ୍ଝାରେ ପଡୁ ନାହାନ୍ତି। ଦେଖାଯାଉ ୨୦୨୨ରେ ଏହି ମାମଲାର ଅଗ୍ରଗତି କ’ଣ ହେଉଛି।