ଦିନ କେଇଟା ପରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ସେଇଠି ଆମ ବଡ଼ ଦିଅଁଙ୍କ ସେବାରେ ଲାଗିବ ଏଇ ଶୋଲର ଫୁଲ। ଦୀର୍ଘ ୨୨ବର୍ଷ ଧରି ଏଇ ରଙ୍ଗ ବେରଙ୍ଗ ସୋଲ ଫୁଲ ଯୋଗାଇ ଆସୁଛନ୍ତି ଖୋର୍ଦ୍ଧା ଗୁରୁଜଙ୍ଗ ଭୋଇ ସାହିର ରାଜକିଶୋରଙ୍କ ପରିବାର । ସବୁଠାରୁ ବଡ଼କଥା ଏହି ସ୍ବତପ୍ରବୃତ୍ତ ସେବା ପାଇଁ ସେମାନେ ପ୍ରଶାସନ ପାଖରୁ ଟଙ୍କାଟିଏ ବି ପାଉଣା ନିଅନ୍ତି ନାହିଁ।
ଖୋର୍ଦ୍ଧା ନିକଟ ଗୁରୁଜଙ୍ଗ ଭୋଇସାହିର ରାଜକିଶୋର। ୨୦୦୦ମସିହାରେ ରଥଯାତ୍ରା ଦେଖିବାକୁ ପୁରୀ ଯାଇଥିବା ବେଳେ ତିନି ରଥକୁ ଅଧିକ ସୁନ୍ଦର କରିବାକୁ ମନସ୍ଥ କରଥିଲେ। ନିଜ ହାତରେ ସୋଲର ଫୁଲ ଗଢି ୩ ରଥକୁ ସଜାଇବାକୁ ସେଇଦିନଠାରୁ ଆରମ୍ଭ ହୋଇଥିଲା ଉଦ୍ୟମ। ଏ ନେଇ ପ୍ରଶାସନିକ ଅନୁମତି ପାଇଁ ନିବେଦନ କରିଥିଲେ ରାଜକିଶୋର। ୨୦୦୪ ମସିହାରେ ଫୁଲର ନମୂନା ଦେଖି ପ୍ରଶାସନିକ ଅନୁମତି ମିଳିବା ପରେ ନୀରବଛିନ୍ନ ଭାବେ ଆରମ୍ଭ ହୋଇଛି ସେବା।
ପରିବାରର ସମସ୍ତଙ୍କ ମନରେ ଉତ୍କଣ୍ଠା। କେତେବେଳେ ଆସିବ ନେତ୍ର ଉତ୍ସବ ଆଉ ସେମାନଙ୍କ ହାତ ତିଆରି ସୋଲଫୁଲ ଲାଗି ହେବ ମହାପ୍ରଭୁଙ୍କ ରଥରେ ।
ଅକ୍ଷୟତୃତୀୟାଠାରୁ ପରିବାରର ପିଲାଠୁ ବୃଦ୍ଧଙ୍କ ପର୍ଯ୍ୟନ୍ତ ସମସ୍ତେ ନିଷ୍ଠା ଓ ଭକ୍ତିର ସହ ଫୁଲ ତିଆରିରେ ଲାଗିପଡଥାନ୍ତି । ଫୁଲ ପ୍ରସ୍ତୁତି ପାଇଁ ସୋଲ ପୁରୀ ନିମାପଡ଼ା, କାକଟପୁର, ଗୋପ ଓ କଣାସ ଆଦି ଅଂଚଳରୁ ସଂଗ୍ରହ କରିଥାନ୍ତି । ସେଗୁଡ଼ିକ ଶୁଖାଇ ଆବଶ୍ୟକ ଅନୁସାରେ କାଟି ସେଥିରୁ ଜୀବନ୍ତ ଭାବେ ଫୁଟାଇଥାନ୍ତି ସୁନ୍ଦର ସୁନ୍ଦର ସେବତୀ, କଦମ୍ବ ଓ ସୂର୍ଯ୍ୟମୁଖୀ ଫୁଲ ।
ସୁଦ୍ଧପୁତ ଭାବେ ପରିବାରର ସଦସ୍ୟମାନେ ନୂଆ ଲୁଗା ପିନ୍ଧି ଅତି ପବିତ୍ର ଓ ନିଷ୍ଠାର ସହ ଏହି କାମ କରିଥାନ୍ତି । କୈାଣସି ରାସାୟନିକ ରଙ୍ଗ ବିନା କେବଳ ଜରି, ଜମ୍ବୁରା ଓ ଚୁମୁକି ଦେଇ ଫୁଲଗୁଡିକୁ ଅଧିକ ଆକର୍ଷଣୀୟ କରାଯାଇଥାଏ।