ଆମେ କହୁଛୁ ଉଦଳା ବ୍ଲକ ଡିହିରାକୁଳ ଗ୍ରାମରେ ଆୟୋଜିତ ହୋଇଥିବା ଗୁରୁଜନ ପୂଜନ ଉତ୍ସବ ବାବଦରେ । ଏହି ଗ୍ରାମର ଯୁବଗୋଷ୍ଠୀମାନେ ପାଳନ କରିଛନ୍ତି ଗୁରୁଜନ ପୂଜନ ଉତ୍ସବ । ଏହି ଉତ୍ସବରେ ଗ୍ରାମ ତଥା ବିଭିନ୍ନ ଅଂଚଳରୁ ୧୭୦ରୁ ଉର୍ଦ୍ଧ୍ୱ ଗୁରୁଜନଙ୍କ ପାଦ ପୂଜନ କରାଯାଇଛି । ପ୍ରଥମେ ସମସ୍ତ ଗୁରୁଜନଙ୍କୁ ଗ୍ରାମର ପୂଜନ ସ୍ଥଳୀକୁ ସ୍ୱାଗତ କରାଯିବା ପରେ ତାଙ୍କୁ ପୁଷ୍ପ ଏବଂ ଚନ୍ଦନ ପ୍ରଦାନ କରି ଆସନରେ ବସାଇଥିଲେ । ଏହା ସହିତ ପ୍ରଥମେ ସମସ୍ତ ଗୁରୁଜନଙ୍କ ପାଦ ଧୋଇ ଦିଆଯାଇଥିଲା । ଆସନରେ ବସାଇବା ପରେ ସମସ୍ତଙ୍କୁ ଉପଢୌକନ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ଏହା ସହିତ ବୟସର ଅପରାହ୍ନରେ କିପରି ବୃଦ୍ଧ ପିତାମାତା ହତାଦର ହେଉଛନ୍ତି ଏବଂ ସେମାନେ ବୃଦ୍ଧାଶ୍ରମରେ ରହୁଛନ୍ତି, ପୁଣି କେଉଁଠି ବୃଦ୍ଧାବସ୍ଥାରେ ପୁଅ, ଝିଅ, ବୋହୂଙ୍କ ସ୍ନେହ ପାଇବାରୁ ବଂଚିତ ହେଉଛନ୍ତି ସେ ନେଇ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ମହାରାଣୀ, ଉଦଳା ବିଧାୟକ ଭାସ୍କର ମଢେଇ, ରମେଶ ଚନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇ ଯୁବକମାନଙ୍କ ଏଭଳି ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ ।
ଅଧିକ ଓଡିଶା ନ୍ୟୂଜ଼ ପଢନ୍ତୁ