ଆମ ଆଧୁନିକ ଓଡ଼ିଶାର ପ୍ରାଚୀନ ନାଁ ଉଡ୍ର ଦେଶ ଥିଲା। ପରେ ଏହା ଉତ୍କର୍ସ କଳାର କ୍ଷେତ୍ର ଭାବେ ଉତ୍କଳ ନାମରେ ନାମିତ ହେଲା। ପରେ କଳିଙ୍ଗ ଏବଂ ସମ୍ପ୍ରତି ଏହା ଓଡ଼ିଶା ନାଁରେ ଭାରତର ଗୋଟିଏ ସୁ ସଂସ୍କୃତ ସମୃଦ୍ଧ ରାଜ୍ୟ ଭାବେ ଜଣାଶୁଣା। ଏହାର ବାନ୍ଧଶାଢୀ, ହୀରାକୁଦ ବନ୍ଧ, ଓଡ଼ିଶୀ ସଙ୍ଗୀତ, ନୃତ୍ୟ, ପାଇକ ଯୁଦ୍ଧ, ସ୍ଥାପତ୍ୟ ପାଇଁ ବେସ୍ ପ୍ରସିଦ୍ଧି ପାଇଛି। ପଶ୍ଚିମ ଓଡ଼ିଶାର ମଠା, ମନ୍ଦିର ଆଜି ଜନାଦ୍ରୁତ। କାଳିଆଠାକୁରଙ୍କ ଏ ଭୂମୀ ଆଜି ପାଳୁଛି ଉତ୍କଳ ଦିବସ।
ଖାସ୍ ସେଇଥିପାଇଁ ଏ ମାଟି ଆଜି ଉଦ୍ଦାତ କଣ୍ଠରେ କୁହେ, ‘ବିସ୍ତ୍ରିର୍ଣ୍ଣ ବେଳାଭୂମୀ ମୋ ପବିତ୍ର ଆଞ୍ଚଳ। ମୋ ନୀଳୋତ୍ପଳ ମୋ କାଳିଆ ସାଆନ୍ତ। ମୋ ଆଖି, ମୋ ଚାଖି। ମୋ ସ୍ବାଭିମାନ ବାରିଷ୍ଟର ମଧୁ। ମୋ ଅଭିମାନ ସୁଆଣ୍ଡୋର ସେଇ ଗୋପବନ୍ଧୁ । ମୋ କଲମ, ଫକୀରମୋହନ। ମୁଁ ଗଙ୍ଗାଧରଙ୍କ ତପସ୍ୱିନୀ, ମୁଁ ରାଧାନାଥଙ୍କ ଚନ୍ଦ୍ରଭାଗା। ମୋ ସମୁଦ୍ର ମହୋଦଧୀ, ମୋ ଗଙ୍ଗା ବଇତରଣୀ। ସେଇଥିପାଇଁ ତ ସ୍କନ୍ଧପୁରାଣ ମତେ କହିଛି…ବର୍ଷାନାଂ ଭାରତଃ ଶ୍ରେଷ୍ଠ। ଦେଶନାମ୍ ଉତ୍କଳ ଶୃତଃ। ଉତ୍କଳସ୍ୟ ସମୋଦେଶଃ ଦେଶ ନାସ୍ତି ମହୀତଳେ।’
ଆଜି ଉତ୍କଳ ଦିବସ । ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏହା ଗର୍ବ ଓ ଗୌରବର ଦିନ । ଇଏ ସେଇ ଉତ୍କଳ ଯାହାର ସମୁଦ୍ର ବେଳାଭମୀ ସିଂହଭାଗ ଅଞ୍ଚଳକୁ ପରିବ୍ୟାପ୍ତ। ନୀଳକଇଁର ସୌନ୍ଦର୍ଯ୍ୟକୁ ଉପଭୋଗ କଲା ଭଳି ଏଠାକାର ଲୋକେ କାଳିଆ ଠାକୁର ଶ୍ରୀ ଜଗନ୍ନାଥଙ୍କ ପ୍ରେମରେ ବନ୍ଧା। ସ୍ବାଧୀନତା ସଂଗ୍ରାମୀ ଚାଖି ଖୁଣ୍ଟିଆ, ଉତ୍କଳଗୌରବ ମଧୁସୂଦନ ଦାସ, ପଣ୍ଡିତ ଗୋପବନ୍ଧୁ ପ୍ରମୁଖ ଏ ମାଟିର ଚିର ନମସ୍ୟ। ସାହିତ୍ୟ କ୍ଷେତ୍ରରେ ଫକୀରମୋହନ ସେନାପତି, ଗଙ୍ଗାଧର ମେହେର, ରାଧାନାଥ ରାୟଙ୍କ ଭୂମୀକା ଅନସ୍ବୀକାର୍ଯ୍ୟ।
୧୯୩୬ ମସିହା, ଏପ୍ରିଲ ୧ ତାରିଖରେ ଓଡ଼ିଶାକୁ ମିଳିଥିଲା ଦେଶର ପ୍ରଥମ ଭାଷାଭିତିକ ରାଜ୍ୟ ମାନ୍ୟତା। ଉପରୋକ୍ତ ସମସ୍ତ ବରେଣ୍ୟଙ୍କ ଅବଦାନ ସ୍ବରୂପ ଆମେ ଆଜି ପୂର୍ଣ୍ଣାଙ୍ଗ ଉତ୍କଳ ପ୍ରଦେଶକୁ ଦେଖୁଛେ। ଏହାରି ଭିତରେ ୮୭ ବର୍ଷ ପୂର୍ଣ୍ଣ ହୋଇଛି । ସ୍ୱତନ୍ତ୍ର ପ୍ରଦେଶ ଭାବେ ଓଡ଼ିଶାକୁ ମିଳିଥିବା ମାନ୍ୟତାକୁ ଅତ୍ୟନ୍ତ ଆନନ୍ଦ ଉଲ୍ଲାସ ସହ ଉତ୍କଳ ଦିବସ ଭାବେ ପାଳନ କରାଯାଇ ଆସୁଛି।
ଯାହାର ହିଲ୍ଲୋଳ ଆଜି ସବୁଠି ଦେଖିବାକୁ ମିଳୁଛି। ଭାବୁକର ଆଖିରେ ନାଚୁଛି ମହୋଦଧି, ଉତ୍କଳର ପୂର୍ଣ୍ଣତୋୟା ଗଙ୍ଗା ବୋଲାଉଥିବା ବୈତରଣୀ, ମହାନଦୀ ନଦୀମାନେ ଆନନ୍ଦିତ। ମନେପଡୁଛି ସ୍କନ୍ଦ ପୂରାଣ ଉତ୍କଳ ଖଣ୍ଡର ଶ୍ଲୋକ। ଉତ୍କଳ ଭଳି ପ୍ରଦେଶ ଅଦ୍ବୀତିୟ।
ସମସ୍ତଙ୍କୁ ଉତ୍କଳ ଦିବସର ଶୁଭେଚ୍ଛା।