ତେବେ ଏହି ବରକୁଦିଆ ଇନ୍ସୁଲାରିସକୁ ୧୯୧୭ ମସିହାରେ ଚିଲିକାରେ ଥିବା ବରକୁଦ ଦ୍ବୀପରୁ ଆବିଷ୍କାର କରାଯାଇଥିବାରୁ ସେଇ ଜନ୍ତୁର ନାମ ବରକୁଦିଆ ନାମକରଣ କରାଯାଇଥିଲା । ୧୯୧୭ରେ ନେଲସନ ଆନନ୍ଦଲେ ଏହାକୁ ପ୍ରଥମ କରି ଆବିଷ୍କାର କରିଥିଲେ । ତେବେ ଓଡିଶାରୁ ଆଉଥରେ ଏଇ ବରକୁଦିଆ ପାଇବାକୁ ଦୀର୍ଘ ବର୍ଷ ଲାଗିଗଲା। ୧୯୭୯ ମସିହାରେ ନନ୍ଦନକାନନ ପକ୍ଷରୁ ଏହାକୁ ରେକର୍ଡ କରାଯାଇଥିଲା । ଏହାପରେ ୨୦୦୩ ମସିହାରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଆହୁରି ଥରେ ସେଇ ବରକୁଦ ଦ୍ବୀପରୁ ଏହାକୁ ପାଇଥିଲେ । ଏହାପରେ କିନ୍ତୁ ଆଉ କେହି ଓଡ଼ିଶାରେ ଏହାକୁ ଦେଖିବାର ସୁଯୋଗ ପାଇନଥିଲେ । ୨୦୨୧ ଡିସେମ୍ବର ମାସରେ ଗଞ୍ଜାମ ଜିଲ୍ଲା ବୁଗୁଡାର ସାପ ଉଦ୍ଧାରକାରୀ ହରିଶ ପାଢୀ ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ତଥା ଖୋର୍ଦ୍ଧା ଜିଲ୍ଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ଵାବଧାରକ ଶୁଭେନ୍ଦୁ ମଲ୍ଲିକଙ୍କୁ ଏକ ଫଟୋ ହ୍ଵାଟ୍ସ ଆପ ଜରିଆରେ ପଠେଇ ତାହା ସାପ ଭଳି ଲାଗୁନାହିଁ ବୋଲି କହିଥିଲେ ।
ଶୁଭେନ୍ଦୁ ସେଇ ଫୋଟୋ ଦେଖି ଚମକି ପଡ଼ିଥିଲେ । ଯେହେତୁ ହରିଶ ସେଇ ପ୍ରାଣୀଟିକୁ ଯେଉଁଠୁ ଧରିଥିଲେ ସେଇଠି ହିଁ ଛାଡି ଦେଇଥିଲେ, ତା ପରଦିନ ଶୁଭେନ୍ଦୁ ମଲ୍ଲିକଙ୍କ ନେତୃତ୍ବରେ ସ୍ନେକ ହେଲ୍ପ ଲାଇନର ଏକ ୪ ଜଣିଆ ଟିମ ବୁଗୁଡ଼ାରେ ଥିବା ବୁଦ୍ଧଖୋଲ ପାହାଡ଼ରେ ପହଞ୍ଚିଥିଲେ । ହରିଶଙ୍କ ସହଯୋଗରେ ଦୀର୍ଘ ଦୁଇ ଘଣ୍ଟା ଖୋଜା ଖୋଜି କଲା ପରେ ଆଉ ଏକ ବରକୁଦିଆକୁ ପାଇବାରେ ସକ୍ଷମ ହୋଇଥିଲେ । ଯଦିଓ ତା ପରେ ଆଉ ଦୁଇଥର ସେଇ ଯାଗାରେ ଖୋଜା ଖୋଜି କରାଗଲା, ହେଲେ ଆଉ ସଫଳତା ମିଳି ନ ଥିଲା ।
ଏଇ ବରକୁଦିଆ ଇନ୍ସୁଲାରିସକୁ ପ୍ରଥମ ଦେଖାରେ ସାଧାରଣ ଲୋକେ ଛୋଟିଆ ସାପ ବୋଲି ଧୋକା ଖାଇପାରନ୍ତି। ହେଲେ ଟିକିଏ ନିରେଖିକି ଦେଖିଲେ ଏହା ସାପଠାରୁ ସମ୍ପୂର୍ଣ୍ଣ ଅଲଗା ବୋଲି ଜାଣି ପାରିବେ । ସାପ ଆଖିରେ ଆଖିପତା ନ ଥିବା ବେଳେ ବରକୁଦିଆର ଆଖିପତା ଥାଏ । ସେହିପାରେ ସାପର ବାହ୍ୟ କର୍ଣ୍ଣ ଗହ୍ବର ନ ଥିବା ବେଳେ, ବରକୁଦିଆରେ ତାହା ଦୁଇପାଖରେ ସ୍ପଷ୍ଟ ଦେଖାଯାଇଥାଏ। ସାପର ଦୁଇ ଫାଳିଆ ଜିଭ ଥିବା ବେଳେ ବରକୁଦିଆର ତାହା ନଥାଏ ବୋଲି ଶୁଭେନ୍ଦୁ ମଲ୍ଲିକ କହିଛନ୍ତି ।
ତେବେ ଏହି ବରକୁଦିଆ ଇନ୍ସୁଲାରିସ ଲିମ୍ବ ଲେସ୍ ସ୍କିଙ୍କ ପ୍ରଜାତିଟି ଏତେ ବିରଳ ଯେ, ଗୁଗୁଲ, ୱିକିପେଡିଆ ଆଦିରେ ଏହାର ଗୋଟେ ଭଲ ରଙ୍ଗୀନ ଫଟୋ ମଧ୍ୟ ଉପଲବ୍ଧ ନାହିଁ । ସେହିପରି ସରୀସୃପଙ୍କ ପାଇଁ ପୃଥିବୀର ସବୁଠାରୁ ବଡ ଡାଟା ବେସ୍ ରେପଟାଇଲ ଡାଟା ବେସ୍ କିମ୍ବା ଭାରତର ସବୁଠୁ ବଡ ଡାଟା ବେସ୍ କେଉଁଥିରେ ବି ଏହାର ଫଟୋ ନାହିଁ । ଅର୍ଥାତ ସରୀସୃପ ବିଜ୍ଞାନୀମାନଙ୍କ ପାଖରେ ଏହି ବରକୁଦିଆକୁ ଜୀବନ୍ତ ଦେଖିବା ବା ଫଟୋ ଉଠେଇବା ସୌଭାଗ୍ୟ ମିଳିନାହିଁ ।
ହରିଶ ପାଢୀ ନିଜର ଖୁସି ବ୍ୟକ୍ତ କରି କହିଛନ୍ତି “ଆମ ରାଜ୍ୟରେ ଏତେ ବଡ ବଡ ବୈଜ୍ଞାନିକ ଓ ଫଟୋଗ୍ରାଫର ମାନେ ଥାଉ ଥାଉ ମୋ ଭଳି ଜଣେ ଛୋଟିଆ ସାପ ଉଦ୍ଧାରକାରୀ ଯେ, ଏଇଭଳି ଏକ ବିରଳ ଲିମ୍ବ ଲେସ୍ ସ୍କିଙ୍କକୁ ପାଇ ପାରିଲା ସେଇଟା ସୌଭାଗ୍ୟ । ତେବେ ଗଞ୍ଜାମ ଜିଲ୍ଲା ଏବଂ ମୋର ଜନ୍ମସ୍ଥାନ ବୁଗୁଡ଼ାରୁ ଏହା ମିଳିଥିବାରୁ ମୁଁ ଅଧିକ ଖୁସି” ।
ମଲ୍ଲିକ କହିଛନ୍ତି “ଏଇ ବିରଳ ପ୍ରାଣୀଟିକୁ କ୍ରିଟିକାଲି ଏଣ୍ଡେଞ୍ଜରଡ଼୍ ଶ୍ରେଣୀ ରେ ଅନ୍ତର୍ଭୁକ୍ତ କରାଯାଇଥିବାରୁ ଏହାର ସଂରକ୍ଷଣ ସମସ୍ତେ ଆଗେଇ ଆସିବା ଆବଶ୍ୟକ । ଜନସାଧାରଣ କେବେହେଲେ ବି ଏଇ ବରକୁଦିଆକୁ ମାରିବା ଅନୁଚିତ, ଏହା ଏକ ନିହାତି ନିରୀହ ତଥା ବିଷ ହୀନ ପ୍ରାଣୀ, ଯାହାକି ମଣିଷର ଆଦୌ କ୍ଷତି କରିପାରିବ ନାହିଁ । ଏହି ପ୍ରାଣୀକୁ ବିଲୁପ୍ତ ହେବାରୁ ବଞ୍ଚେଇବା ପାଇଁ ଭାରତୀୟ ବନ୍ୟପ୍ରାଣୀ ଆଇନ ଦ୍ବାରା ଏମାନଙ୍କୁ ସଂରକ୍ଷଣ ଦେବା ନିହାତି ଅପରିହାର୍ଯ୍ୟ ।