ଆଷାଢ଼ ପୂର୍ଣ୍ଣିମା ଠାରୁ ଆରମ୍ଭ କରି ଶ୍ରାବଣ ପୂର୍ଣ୍ଣିମା ପର୍ଯ୍ୟନ୍ତ ସମସ୍ତ ସୋମବାରରେ ବିଭିନ୍ନ ଶିବ ମନ୍ଦିରରେ ଭକ୍ତମାନେ ଶିବଙ୍କ ମସ୍ତକରେ ପାଣି ଢାଳନ୍ତି । ଏହି ମାସରେ 4ଟି ସୋମବାର ପଡୁଥିବାବେଳେ କାଉଡିଆମାନେ ଜଳାଭିଷେକ କରିଥାନ୍ତି । କୁହାଯାଏ ଶ୍ରାବଣ ସୋମବାରରେ ଜଳପ୍ରିୟ ଶିବଙ୍କୁ ଜଳରେ ଅଭିଷେକ କଲେ ସୁନ୍ଦର ବାସସ୍ଥାନ, ଇଚ୍ଛାନୁରୂପକଧନ, ସନ୍ତାନସନ୍ତତି, ଦୀର୍ଘାୟୁ ହୋଇଥାନ୍ତି । ସେଥିପାଇଁ ଦୂରଦୁରାନ୍ତରୁ ଶିବ ଭକ୍ତମାନେ କାନ୍ଧରେ ପାଣି ଭାର ନେଇ ମନସ୍କାମନା ଅର୍ଥେ ବିଭିନ୍ନ ଶୈବ ପୀଠରେ ଜଳ ଲାଗି କରିଥାନ୍ତି।
ଓଜନିଆ ବାଉଙ୍ଗି କାନ୍ଧରେ ବୋହି ବୋଲ୍ ବମ୍ ହରହର ବମ୍ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠେ ଗଗନ ପବନ। ଖାଲ ଢିବ, ଆବୁଡା ଖାବୁଡା ରାସ୍ତା ସବୁ ପାର୍ କରି ଆଗକୁ ବଢିଚାଲନ୍ତି କାଉରିଆ। ତୁଣ୍ଡରେ ଥାଏ ମହାଦେବ ନାମ। ପବନକୁ ଖାତିର ନ କରି ରାସ୍ତାରେ ମାନସିକଧାରୀ କାଉଡିଆମାନେ ଶିବଙ୍କ ପାଇଁ ପାଣି ଭାର ନେଇ ଚାଲିଥାନ୍ତି ମାଇଲ ମାଇଲ ବାଟ ।
ମାଇଲ ମାଇଲ ଗଲା ପରେ ଥକି ପଡେନି ତା ପାଦ । ଝିପ୍ ଝିପ୍ ବର୍ଷାରେ କାଉଡିଆ ଭାଇ- ଭଉଣୀ ମାନେ ପାଣି ବାହୁଙ୍ଗି ଧରି ଚାଲି ଚାଲି ଧାଇଁଥାନ୍ତି ଭୋଳା ଦ୍ବାରକୁ । ବିଶ୍ୱାସ ଥାଏ ଯେ ପ୍ରଭୁ ନିଳକଣ୍ଠଙ୍କ ନାମ ଉଚ୍ଚାରଣ କରୁଥିବା କାଉରିଆର ଚଲାପଥ ସହଜ ହୋଇଥାଏ। କୁହାଯାଏ ଯେ, ଭଗବାନଙ୍କୁ ଫୁଲ, ଫଳ ଦେଇ ପୂଜାକଲେ ସେତିକି ସନ୍ତୁଷ୍ଟ ହୋଇନଥାନ୍ତି ଯେତିକି ଜଳାଭିଷେକ ଦ୍ବାରା ହୋଇଥାନ୍ତି ।
କାନ୍ଧରେ ଓଜନିଆ ବାଉଙ୍ଗୀ ବୋହି ଥକି ଗଲେ ବୋଲମ୍ ବମ୍ ସେବା ସଙ୍ଘ ଦ୍ୱାରା ନିର୍ମିତ ଆଶ୍ରୟ ସ୍ଥଳରେ କେହି କେହି ବିଶ୍ରାମ ନେଇଥାନ୍ତି। ଆଉ କିଛି ଭକ୍ତ ରାସ୍ତା କଡରେ ନିରାପଦ ସ୍ଥାନ ଦେଖି ସେଠାରେ ଅଟକି ବିଶ୍ରାମ ନେଇଥାନ୍ତି। ଯେଉଁଠି ବି ବିଶ୍ରାମ ନିଅନ୍ତି ସେଠାରେ ବାହୁଙ୍ଗିକୁ ତଳେ ନ ଥୋଇ ଟଙ୍ଗେଇ ରଖିଥାନ୍ତି। ଆଉ କିଛି ସମାଜସେବୀ ବାହୁଙ୍ଗୀ ରଖିବା ପାଇଁ ଜାତୀୟ ରାଜପଥ ମଧ୍ୟ ଭାଗ ଡିଭାଇଡରରେ ଷ୍ଟାଣ୍ଡ ବ୍ୟବସ୍ଥା କରାଇଛନ୍ତି।
ବିଗତ ୨ ବର୍ଷ ହେଲା କୋରୋନା କଟକଣା ଯୋଗୁଁ ଭୋଳା ଭକ୍ତ ଏହି ପବିତ୍ର ଯାତ୍ରାରୁ ନିବୃତ୍ତ ରହିଥିବା ବେଳେ ଚଳିତ ବର୍ଷ କାଉଡିଆ ମଧ୍ୟରେ ଉତ୍ସାହ ଭରି ରହିଛି । ସବୁ ଶୈବପୀଠରେ କାଉଡିଆଙ୍କ ସମାଗମ ଦେଖିବାକୁ ମିଳୁଛି।