କାନ୍ଧରେ କାନ୍ଧେଇ ନେଇ ମା’ର ଶେଷ ଇଚ୍ଛା ପୂରଣ କରୁଥିବା ଏ ବ୍ୟକ୍ତିଙ୍କୁ ଆପଣ କଳି ଯୁଗର ଶ୍ରବଣ କୁମାର କହିପାରନ୍ତି। ତାଙ୍କୁ ମାତୃଭକ୍ତିକୁ ନମସ୍କାର କରିପାରନ୍ତି।
କଟକ ପାଟସୁନ୍ଦରପୁର ଅଞ୍ଚଳର ବୃଦ୍ଧା ସାରଦା ବେହେରାଙ୍କୁ ତାଙ୍କ ପୁଅ ବୋଝରେ ବୋହି ଆଣି ଆଜି ମହାପ୍ରଭୁଙ୍କ ଦର୍ଶନ କରାଇଛନ୍ତି । ମା’ର ଶେଷ ଇଚ୍ଛା ପୂରଣ କରି ସେ ନିଜକୁ ବେଶ୍ ଭାଗ୍ୟବାନ ମନେ କରିଥିବା କହନ୍ତି ।
ଅଧିକ ପଢନ୍ତୁ: ଶ୍ରବଣ କୁମାର ସାଜି ସଂସାର ଗାଡି ଚଳାଉଛି ଦିବ୍ୟାଙ୍ଗ ପୁଅ
ବୟସର ଅପରାହ୍ନରେ ପହଞ୍ଚିଥିବା ସାରଦା ଦିନେ ମହାପ୍ରଭୁଙ୍କ ଟିକେ ଦର୍ଶନ ପାଇଁ ନିଜ ପୁଅକୁ କହିଥିଲେ । ଶେଷରେ କାଳିଆର ଡୋରି ଆଜି ତାଙ୍କୁ ପୁରୀ ଟାଣି ଆଣିଛି । ସବୁ କଷ୍ଟ ଭୁଲି ମା’ଙ୍କୁ ବୋଝରେ ବୋହି ସିଂହଦ୍ଵାର ପାଖକୁ ଆଣିଥିଲେ ପୁଅ । ସେଠାରେ ଥିବା ଶ୍ରୀମନ୍ଦିର ସୁବେଦାର ମଧ୍ୟ ତାଙ୍କୁ ସାହାଯ୍ୟ କରିଥିଲେ । ସୁବେଦାର ନିଜେ କାନ୍ଧ ଲଗାଇ ବୋଝ ସାହାଯ୍ୟରେ ବୃଦ୍ଧା ମା’ଙ୍କୁ ସିଂହଦ୍ଵାର ପାଖକୁ ନେଇ ଯାଇଥିଲେ । ସେଠାରେ ଉପସ୍ଥିତ ଥିବା ଶ୍ରୀମନ୍ଦିର କର୍ମଚାରୀମାନେ ବୃଦ୍ଧା ମା’ଙ୍କୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଜଗମୋହନ ଭିତରକୁ ନେଇଥିଲେ ।
କାଳିଆକୁ ଆଖି ପୂରେଇ ଦେଖିଲେ ମା ସାରଦା। ଜୀବନର ସବୁ ଅଭିଳାଷ ପୂର୍ଣ୍ଣ ହୋଇଗଲା ବୋଲି କୁହନ୍ତି ବୃଦ୍ଧା । ସାରଦାଙ୍କୁ ତାଙ୍କ ପୁଅ ଏଭଳି ବୋଝରେ ବୋହି ଆଣୁଥିବା ବେଳେ ଶ୍ରୀମନ୍ଦିର ଦର୍ଶନରେ ଆସୁଥିବା ଭକ୍ତମାନେ ଶ୍ରବଣ କୁମାରଙ୍କ କଥା ମନେ ପକାଇଥିଲେ ।
ଓଡିଶା ନ୍ୟୁଜ ଆହୁରି ପଢନ୍ତୁ