ଯେଉଁଥିରେ ମହିଳା ଅସଦାଚରଣ ପ୍ରସଙ୍ଗ ଠାରୁ ଜଗନ୍ନାଥ ସଂସ୍କୃତି ପ୍ରଚାର, ଶୃଙ୍ଖଳିତ ଦର୍ଶନ ନେଇ ନିର୍ଦ୍ଦେଶନାମା ଜାରି ହୋଇଥିଲା । ଶ୍ରୀଜଗନ୍ନାଥଙ୍କର କେତେ ଜମିବାଡ଼ି ଓ ଖଣିଖାଦାନ ରହିଛି ସେସବୁ ଚିହ୍ନଟ କରି କେତେ ଆୟ-ବ୍ୟୟ ହେଉଛି ତାର ପୂର୍ଣ୍ଣ ବିବରଣୀ ଦେବା ପାଇଁ ସରକାରଙ୍କୁ ତାଗିଦ କରିଥିଲେ । ମାତ୍ର ଏହି ନିର୍ଦ୍ଦେଶନାମାକୁ ତିନି ବର୍ଷ ପୂରିବାକୁ ଯାଉଥିବା ବେଳେ ଧାଡ଼ି ଦର୍ଶନ ବ୍ୟବସ୍ଥା, ଶୌଚାଳୟ ନିର୍ମାଣ ଭଳି ଅଲ୍ପ କିଛି ପ୍ରସଙ୍ଗକୁ ଛାଡ଼ିଦେଲେ ଅନ୍ୟ ସବୁ ନିର୍ଦେଶଗୁଡ଼ିକୁ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ସମସ୍ତେ ଫୁ କରି ଉଡ଼ାଇ ଦେଇଛନ୍ତି ।
ବିଶେଷ କରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ କମିସନର ପାହ୍ୟାର ଜଣେ ସ୍ୱତନ୍ତ୍ର ଅଧିକାରୀଙ୍କୁ ନିଯୁକ୍ତି ଦେବା ଲାଗି କୋର୍ଟଙ୍କ ନିର୍ଦେଶକୁ ସରକାର ଆଦୌ ଗୁରୁତ୍ୱ ଦେଇନାହାନ୍ତି । ନିଜ ଜିଦ୍ରେ ଅଟଳ ରହି ରାଜ୍ୟ ସରକାର ପୁଣି ଏକାଧିକ ଦାୟିତ୍ବରେ ଥିବା ବୀର ବିକ୍ରମ ଯାଦବଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତି ଦେଇଛନ୍ତି । ଗୋଟିଏ ପଟେ ରାଜ୍ୟ ସରକାର ପୁରୀକୁ ବିଶ୍ୱର ସବୁଠାରୁ ଆକର୍ଷଣୀୟ ଧାର୍ମିକ ପୀଠରେ ପରିବର୍ତ୍ତନ କରିବା ଲାଗି ଉଦ୍ୟମ ଜାରି ରଖିଥିବା କହି ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।
ଅନ୍ୟପଟରେ କିନ୍ତୁ ଶ୍ରୀମନ୍ଦିର, ରତ୍ନଭଣ୍ଡାର, ମଠ ସଂସ୍କୃତି ଆଦି ପ୍ରସଙ୍ଗକୁ ନେଇ ବିତର୍କ ବଢ଼ିବାରେ ଲାଗିଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଶାସନର ଦୁର୍ବଳତା ଜଳ ଜଳ ଦେଖାଯାଉଛି । ସେପଟେ ସୁପ୍ରିମକୋର୍ଟ ଆମିକସ୍ କ୍ୟୁରିଙ୍କ ମାଧ୍ୟମରେ ନିର୍ଦ୍ଦେଶ କେତେ କାର୍ଯ୍ୟକାରୀ ହେଲା, ତାର ଯାଞ୍ଚ କରିନାହାନ୍ତି କି ଅଦାଲତ ଅବମାନନା ମାମଲା କରାଯାଇନାହିଁ । ତେଣୁ ଏସବୁକୁ ନେଇ ଭକ୍ତଙ୍କ ମନରେ ଥିବା ଅସନ୍ତୋଷ ଇତିମଧ୍ୟରେ ଭିନ୍ନ ଭିନ୍ନ କାରଣରୁ ବହୁଗୁଣିତ ହେବାରେ ଲାଗିଛି ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।