ଅର୍ଗସ ବ୍ୟୁରୋ : ଭିଡ ଭିତରେ ଅଣନିଶ୍ୱାସୀ ଭକ୍ତ,ଶ୍ରଦ୍ଧାଳୁ।କଡା ସୁରକ୍ଷାକର୍ମୀଙ୍କ ମୁତୟନ ସତ୍ତ୍ୱେ ଘଟୁଛି ଅଘଟଣ ।ଭିଡ଼ ଭିତରେ କଲବଲ ହେଉଛନ୍ତି ଜଗନ୍ନାଥ ପ୍ରେମୀ ।ଶନିବାର ଓ ରବିବାରରେ ଦର୍ଶନାର୍ଥୀଙ୍କ ସଂଖ୍ୟା ସର୍ବାଧିକ ।ନୀତି ବିଳମ୍ବ ହେଲେ ପ୍ରତୀକ୍ଷା ଦଉଛି ଯମ ଯନ୍ତ୍ରଣା ।ଆଜି ପ୍ରତ୍ୟୁଷରୁ ଭିଡ଼ ଭିତରେ ଜଣେ ନାବାଳିକା ଏବଂ ଜଣେ ବୃଦ୍ଧା ଅଣନିଶ୍ଵାସୀ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ ।କଟକ ପିଠାପୁରର ୧୬ ବର୍ଷୀୟ ଦିବ୍ୟା ସାହୁ ଏବଂ ପୁରୀ ହାଡ଼ଗଡ଼ିଆ ସାହିର 65 ବର୍ଷୀୟ ସୁଲୋଚନା ସାହୁ ଠେଲାପେଲା ଓ ଦଳାଚକଟା ଯୋଗୁ ଅଚେତ ହୋଇଥିବା ଅଭିଯୋଗ ହୋଇଥିଲା।ପରେ ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଉଭୟ ହୋଇଥିଲେ ସୁସ୍ଥ ।ପ୍ରତ୍ୟୁଷରେ ମଙ୍ଗଳ ଆଳତି ପୂର୍ବରୁ ବହାରକାଠ ନିକଟରେ ଅପେକ୍ଷା କରିଥିବା ବେଳେ ଭିଡ ଭିତରେ ଚାପିହୋଇଯିବା ଯୋଗୁ ପଡିଯାଇଥିଲେ ଉଭୟ ।ପରେ ପୋଲିସ କର୍ମୀଙ୍କ ସାହାଯ୍ୟରେ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ରେ ପହଞ୍ଚିଥିଲେ ।ଯାହାକୁ ନେଇ ଭକ୍ତ ମହଲରେ ଅସନ୍ତୋଷ ରହିଥିବା ବେଳେ ବାହାରେ ମଧ୍ୟ ବ୍ୟାରିକେଡ ଭିତରେ ଘଣ୍ଟା ଘଣ୍ଟା ପ୍ରତୀକ୍ଷା ଯନ୍ତ୍ରଣା ବଢ଼ାଉଛି ବୋଲି ଭକ୍ତ ରଖିଛନ୍ତି ପ୍ରତିକ୍ରିୟା।
ସେପଟେ ପୋଲିସ ଉପରେ ଅଘଟଣକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ଦଳାଚକଟା ଓ ଠେଲାପେଲା ଘଟଣାକୁ ଖଣ୍ଡନ କରିଛନ୍ତି ପୁରୀ ଏସ୍ପି ।ଘଟଣା ପରେ ପୁରୀ ଜିଲ୍ଲାପାଳ,ଏସ୍ପି ଓ ଅତିରିକ୍ତ ଏସ୍ପି ଆସି ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି ।ଦଳାଚକଟା ନୁହେଁ ବରଂ ଭିଡ଼ ଭିତରେ ଅଣ ନିଶ୍ୱାସୀ ଅନୁଭବ କରିବାରୁ ଉଭୟ ପୋଲିସ ସାହାଯ୍ୟରେ ମେଡିକାଲ ଯାଇଥିଲେ ବୋଲି ସେ କହିଛନ୍ତି ।ଅନ୍ୟପଟରେ ସକାଳୁ ସକାଳୁ ଦର୍ଶନ ପାଇଁ ଭକ୍ତଙ୍କ ଦୌଡ ଯୋଗୁଁ ଅଘଟଣ ଘଟିବାର ଆଶଙ୍କା ଥିବାରୁ ଏଭଳି ନକରି ଶୃଙ୍ଖଳିତ ହେବାକୁ ଅର୍ଗସ କ୍ୟାମେରା ରେ ଭକ୍ତଙ୍କୁ ଅନୁରୋଧ କରିଛନ୍ତି ପୁରୀ ଏସ୍ପି ।ସୁରକ୍ଷା କର୍ମୀ ଉପଯୁକ୍ତ ସଂଖ୍ୟରେ ନିୟୋଜିତ ଅଛନ୍ତି ତେଣୁ କୌଣସି ଅଘଟଣ ଘଟିବ ନାହିଁ ତେଣୁ ଭକ୍ତ ମାନଙ୍କୁ ଭୟଭୀତ ହେବାର କାରଣ ନାହିଁ ।ଆମେ ସମସ୍ତଙ୍କୁ ସ୍ୱାଗତ କରୁଛୁ ବୋଲି ଆଶ୍ୱାସନା ଦେଇଛନ୍ତି ଏସ୍ପି ବିଶାଲ ସିଂହ ।
ଧର୍ମ ଓ ସଂସ୍କୃତି ଖବର ଆହୁରି ପଢ଼ନ୍ତୁ ।