ଯାଜପୁର: ରାଜ୍ୟରେ ତିନୋଟି ପର୍ଯ୍ୟାୟ ନିର୍ବାଚନ ସରିଥିବା ବେଳେ ଆଉ ଗୋଟିଏ ପର୍ଯ୍ୟାୟ ନିର୍ବାଚନ ବାକି ଅଛି । ଏଥିପାଇଁ ରାଜନୈତିକ ଦଳଗୁଡିକର ଫୋକସ ଏହି ଏହି ନିର୍ବାଚନ ମଣ୍ଡଳୀ ଉପରେ । ବିଭିନ୍ନ ଦଳର ହେଭିୱେଟ୍ ନେତାମାନେ ଏଠାକୁ ଆସି ପ୍ରଚାର ପ୍ରସାର କରିବାରେ ଲାଗିପଡିଛନ୍ତି । ଚତୁର୍ଥ ପର୍ଯ୍ୟାୟରେ ବାଲେଶ୍ୱର, ଜଗତସିଂହପୁର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା ଓ ମୟୂରଭଞ୍ଜରେ ମତଦାନ ହେବ ।
ଏଥର ଯାଜପୁର ଲୋକସଭା ଆସନରେ ବିଜେପି ଓ ବିଜେଡି ମଧ୍ୟରେ କଡା ଟକ୍କର ହେବ । ଏଠାରେ ବିଜେପିର ଲୋକପ୍ରିୟତା ବଢିବାରେ ଲାଗିଛି । ହେଭିୱେଟ୍ ନେତାଙ୍କ ଲଗାତର ପ୍ରଚାର ନିହାତି ଭାବେ ଦଳକୁ ଫାଇଦାରେ ରଖିବ । ଯାଜପୁର ଲୋକସଭା ଅଧୀନରେ ଆସୁଥିବା 7ଟି ବିଧାନସଭା ଆସନ ଭିତରୁ 5ଟି ବିଜେପି ତାର ଦବଦବା ବଜାୟ ରଖିଛି, ତେଣୁ ଦ୍ୱିମୁଖୀ ଲଢେଇ ହେବ । ସେହିପରି 2ଟି ଆସନରେ ତ୍ରିମୁଖୀ ଲଢେଇ ହେବାର ସମ୍ଭାବନା ରହିଛି ।
ବିଗତ କିଛି ବର୍ଷର ନିର୍ବାଚନ ଉପରେ ନଜର ପକାଇଲେ ଯାଜପୁର ଲୋକସଭା ଆସନରେ 1998 ମସିହାରେ କଂଗ୍ରେସ ଉପରେ ଜନତା ଜନାର୍ଦ୍ଦନ ଖୁସି ଥିଲେ । ଫଳରେ ଏଠାରେ କଂଗ୍ରେସ ବିଜୟୀ ହୋଇଥିଲା । କିନ୍ତୁ ଏହାପରଠାରୁ 1999, 2004, 2009 ଓ 2014ରେ ଏହା ବିଜେଡି ହାତରେ ରହିଛି । ତେଣୁ ଚଳିତ ବର୍ଷ ସବୁ ରାଜନୈତିକ ଦଳ ଏଠାରା କବ୍ଜା କରିବା ପାଇଁ ଟାଣୁଆ ପ୍ରାର୍ଥୀ ଦେଇଛନ୍ତି । 2014ରେ ଏହି ଆସନକୁ ବିଜେଡି ଲୋକସଭା ପ୍ରାର୍ଥୀ ରୀତା ତରାଇ ଜିତିଥିଲେ । କଂଗ୍ରେସ ପ୍ରାର୍ଥୀ ଅଶୋକ ଦାସ ଦ୍ୱିତୀୟ ସ୍ଥାନରେ ଥିଲେ । କିନ୍ତୁ ଏଥର ବାଜି ପଲଟି ଯାଇଛି । ବିଜେଡି ଏଠାରେ ନୂଆ ମୁହଁ ଦେଇଛି । ପ୍ରାଶସିକା ଶର୍ମିଷ୍ଠା ସେଠୀଙ୍କୁ ବିଜେଡି ଟିକଟ ମିଳିଛି । ସେହିପରି କଂଗ୍ରେସ ମଧ୍ୟ ଅଶୋକଙ୍କ ସ୍ଥାନରେ ମାନସ ଜେନାଙ୍କୁ ପ୍ରାର୍ଥୀ କରିଛି । କିନ୍ତୁ ବିଜେପିର ପୁରୁଣା ମୁହଁ ଅମୀୟ ମଲିକ ପ୍ରାର୍ଥୀ ହୋଇଛନ୍ତି ।
ଅମୀୟ ମଲିକ ନିଜର ପୁରୁଣା ରାଜନୀତି ଅଭିଜ୍ଞତାକୁ ପାଥେୟ କରି ନିର୍ବାଚନୀ ମଇଦାକୁ ଓହ୍ଲାଇଛନ୍ତି । ସେଠାରେ ତାଙ୍କର ସାଙ୍ଗଠନିକ ସ୍ଥିତି ମଧ୍ୟ ସୁଦୃଢ ରହିଛି । ଦୀର୍ଘ 20 ବର୍ଷ ହେବ ସେ ଜିଲ୍ଲା ରାଜନୀତି ସହ ଜଡିତ । ୨୦୧୪ ମସିହାରେ ଅମୀୟ ପ୍ରାର୍ଥୀ ହୋଇଥିବାର ଅଭିଜ୍ଞତାକୁ ଏଥର ନିର୍ବାଚନରେ ବିନିଯୋଗ କରି ନିର୍ବାଚନ ରଣନୀତିକୁ ଅଧିକ ଶାଣିତ କରିଛନ୍ତି। ଯାଜପୁର ଜିଲ୍ଲାର ବିଭିନ୍ନ ବିଧାନସଭା ପ୍ରାର୍ଥୀଙ୍କ ପ୍ରଚାରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲଗାତାର ଆସୁଥିବା ବେଳେ ତାହାର ସୁଯୋଗ ଅମୀୟ ହାତଛଡ଼ା କରିନାହାନ୍ତି। ଅମୀୟଙ୍କ ଭାଇ ବିଜେଡି ଯୁବନେତା ପରେଶ ମଲିକ ମଧ୍ୟ ତାଙ୍କର ପ୍ରଚାର ମଙ୍ଗ ଧରିଛନ୍ତି। ଅନ୍ୟପଟେ ମୋଦିଙ୍କ ହାୱା ମଧ୍ୟ ବଢିବାରେ ଲାଗିଛି । ତେଣୁ ଏଥିରୁ ଅମୀୟଙ୍କୁ ନିହାତି ଭାବେ ଫାଇଦା ମିଳିବ ।
ବିଜେଡି ପ୍ରାର୍ଥୀ ଶର୍ମିଷ୍ଠା ସେଠୀ ପ୍ରଶାସିକା ପଦବୀ ଛାଡି ରାଜନୀତିରେ ଯୋଗ ଦେଇଛନ୍ତି । ସାଂସଦ ରୀତା ତରାଇଙ୍କୁ ଶର୍ମିଷ୍ଠା ସାଙ୍ଗରେ ନେଇ ବିଭିନ୍ନ ସଭାସମିତିକୁ ଯାଉଥିବାର ଦେଖିବାକୁ ମିଳୁଛି। ରୀତାଙ୍କୁ ସାଙ୍ଗରେ ଧରି ସେ ନିର୍ବାଚନୀ ବୈତରଣୀ ପାର ହେବେ ବୋଲି ଚିନ୍ତା କରିଥିବା ଜଣାପଡିଛି ।
ସେପଟେ କଂଗ୍ରେସ ପ୍ରାର୍ଥୀ ତଥା ସମାଜସେବୀ ମାନସ ଜେନା ମଧ୍ୟ ପ୍ରଚାରକୁ ଜୋରଦାର କରିଛନ୍ତି । ତେବେ ଏଥର ନିର୍ବାଚନରେ ଜନତା ଜନାର୍ଦ୍ଦନା କାହା ମୁଣ୍ଡରେ ସୁନା କଳସୀ ଢାଳୁଛନ୍ତି ତାହା ଦେଖିବାକୁ ବାକି ରହିଛି ।
ଏନେଇ ଆପଣଙ୍କ ମତାମତ କଣ ରହିଛି ଆମ କମେଣ୍ଟ ବକ୍ସରେ ଲେଖନ୍ତୁ..