ଚାରିପଟେ ବିସ୍ତିର୍ଣ୍ଣ ପଡିଆ, ଗୋଚାରଣ ଭୂମୀ। ବିରାଟ ବରଗଛ ଛାଇରେ ମା’ ବସିଛନ୍ତି। ଗଜପତିମାନଙ୍କ ପାଇକମାନେ ଏଇ ମା’ର କୃପା ପାଇ ଏ ରାଜ୍ୟର ସୁରକ୍ଷା କରୁଥିଲେ। ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରକୁ ମୋଗଲ ଆକ୍ରମଣରୁ ରକ୍ଷା କରୁଥିଲେ। ସମୟ ଗଡିଲା, ଇଂରେଜମାନେ ଆସିଲେ। ତଥାପି ମା’ ଏମିତି ଥିଲେ ଏଇଠି। ପାଇକ ପୁଅର ଖଣ୍ଡା ତରବାରୀରେ ଶକ୍ତି ହୋଇ ବିରାଜୁଥିଲେ ମା’। ଫିରିଙ୍ଗୀ ସେନାକୁ ଟକ୍କର ଦେଉଥିବା ଓଡ଼ିଆ ବୀର ଏଇ ମା’ ପାଖେ ମୁଣ୍ଡ ନୋଉଥିଲା ନିଇତି। ମନ୍ଦିରର ଦୁଆର ନ ଥିଲା। ମା’ ଚାରିଦିଗକୁ ଚାହିଁବ ବୋଲି ତୋଳା ଯାଉ ନ ଥିଲା ମନ୍ଦିର। ଇଏ ସେଇ ମା’ ଜଟିଆଣୀ।
ମା ଜଟିଆଣୀଙ୍କ ପୀଠର ବିଶେଷତ୍ବ ହେଉଛି, ଏଠାରେ କେହି ପୂଜକ ନ ଥାନ୍ତି। ଯିଏ ଆସେ ସେ ପୂଜା କରେ। ମାଙ୍କ ପ୍ରିୟ ଭୋଗ ହୁଏ ପୋଡ ପୀଠା। ନିକଟରେ ଥିବା ପାତ୍ରପଡା ଗ୍ରାମବାସୀଙ୍କ ମତ, ଏ ମା’ ଗାଈ ଗୋରୁ ହଜିଲେ, ଖୋଜି ଆଣନ୍ତି। ମା’ ପାଖରେ ଅଧିଆ ପଡି ଧୂପ ଦୀପ ଦେଇ ଗୁହାରୀଟିଏ କରିଦେଲେ, ହଜିଲା ଗୋରୁ ଲେଉଟି ଆସେ। ଆଉ ସୌଭାଗ୍ୟକୁ ଆଞ୍ଚଳିକ ଫାଟୁଆ ଗବେଷଣା କେନ୍ଦ୍ର ମଧ୍ୟ ମା’ଙ୍କ ମନ୍ଦିର ନିକଟରେ ଠିଆ ହୋଇଛି।
ମା’ଙ୍କ ପ୍ରିୟ ପ୍ରସାଦ ହେଉଛି ପୋଡପିଠା। ନାଁ ମା’ଙ୍କର କୌଣସି ବ୍ରାହ୍ମଣ ଖଞ୍ଜା ଅଛି, ନାଁ ଜମିବାଡି। ଭକ୍ତଙ୍କ ଶ୍ରଦ୍ଧା ବିଶ୍ବାସ ହିଁ ମା’ଙ୍କ ପୂଜାର ଆଧାର। ପ୍ରିୟ ଭୋଗ କହିଲେ ମା’ଙ୍କ ପୋଡପିଠା। ଆଜି ମଧ୍ୟ ଦିନରେ କେହି ନା କେହି ମା’ଙ୍କ ପାଖକୁ ପୋଡପିଠା ଆଣି ଲାଗି କରିବାର ପରମ୍ପରା ରହିଛି।
ଜଟଣୀ ସହରର ଅଧିଷ୍ଠାତ୍ରୀ ମା’ ଜଟିଆଣୀ ଠାକୁରାଣୀ। ହେଲେ ଏ ପୀଠ ପ୍ରତି କାହାର ଦରଦ ନାହିଁ। ସ୍ଥାନୀୟ ଅଞ୍ଚଳବାସୀ ନିଜ ଉଦ୍ୟମରେ ମନ୍ଦିର ତୋଳିଛନ୍ତି। ଚାରିପଟେ ବିମ ପକାଇ ଛାତ ବି ପକାଇଛନ୍ତି। ହେଲେ ଅର୍ଥାଭାବରୁ ମନ୍ଦିରର ବିକାଶ ହୋଇପାରୁ ନାହିଁ। ପିକନିକ ଋୁତୁରୁ ଭୋଜିଭାତରେ କମ୍ପୁଥିବା ଏହି ଅଞ୍ଚଳ ଏବେ ଅସାମାଜିକଙ୍କ ଆଡ୍ଡା ସ୍ଥଳି ପାଲଟିଛି।