ବୁଢୀ ମାଉସୀ ଓଳଗି ହେଲା। କହିଲା, ସାଆନ୍ତେ। ମୁଁ ନିରାଶ୍ରୟୀ ଏକଲା ମହିଳା। ଗାଁରେ ମୋର ଡିହଟାଏ ଅଛି। ହେଲେ ଆମ ଗାଁର ଜଣେ ପଇସାବାଲା ଲୋକ ତାକୁ ଜବରଦଖଲ କରିଛି। କହୁଛି ସେଇଟା ତା ଯାଗା। ଏ ନେଇ ମୁଁ ଗାଁବାଲା ସମସ୍ତଙ୍କୁ କାକୁତି ମିନତୀ ହେଇ କହିଲି। ହେଲେ ସମସ୍ତେ ସେ ଲୋକଟାକୁ ଡରନ୍ତି। କେହି ଭରଷିକି ମୋତେ ସାହାର୍ଯ୍ୟ କରିବାକୁ ଆସିଲେନି। ଶେଷରେ ଆପଣଙ୍କୁ ଅନିଷା କରିଛି। ଆପଣ ପାଠୁଆ ଲୋକ। ଉତ୍କଳ ଭୂଇଁରେ ଆପଣଙ୍କ ଜ୍ଞାନର ସମକକ୍ଷ କେହି ନାହାନ୍ତି। ମୋତେ ନିରାଶ କରିବେନି।
ବୃଦ୍ଧାଙ୍କ କଥା ଶୁଣି ମଧୁବାବୁ ହଁ ଭରିଲେ। ବୁଢୀଟା କେଡେ କଷ୍ଟରେ କଟକ ସହରକୁ ଚାଲିଚାଲି ଆଇଛି। ଦୁଃଖି ହୋଇପଡିଲେ ଉତ୍କଳଗୌରବ ମଧୁସୁଦନ। କହିଲେ କାଲି ପାହାନ୍ତିଆରୁ ମୁଁ ତମ ଗାଁକୁ ଯିବି। ଆଜି ରାତିରେ ତୁମ ଡିହରେ ବଡ଼ ଗାଢଟାଏ କରିବ। ତହିଁ ଉପରେ କୁଟା ଆଉ ଝାଟି ପକେଇଦେବ।
ବୁଢୀ କ’ଣ ବୁଝିଲା କି ନାଁ ହଁ ଭରିଲା। ଓଳଗୀ ପକେଇ ଗାଁକୁ ଫେରିଲା।
ରାତାରାତି ଖାଲ ଖୋଳି ସାଆନ୍ତ ଯାହା କହିଥିଲେ ଗୋଟି ଗୋଟିକରି ସେଇଆ କଲା।
ମଧୁବାବୁ ସକାଳୁ ସକାଳୁ ଘୋଡାରେ ବସି ସେଇ ଗାଁକୁ ଗଲେ। ବୁଢୀ ଡିହରେ ଥିବା ଖାଲରେ ଜାଣି ଜାଣି ଘୋଡା ସହ ଗଳିପଡିଲେ। ସକାଳ ହେଉଥାଏ। ସିନ୍ଦୁରା ଫିଟିଲା ବେଳକୁ ପୋଖରିପାଣି ଯାଉଥିବା କିଛି ଲୋକେ ଏ ଘଟଣା ଦେଖିଲେ। ମଧୁ ବାରିଷ୍ଟର ଖାଲରେ ପଡିଗଲେ। କଥାଟା ରାଷ୍ଟ୍ର ହେଇଗଲା। ଗାଁ ଲୋକେ ରୁଣ୍ଡ ହେଇ ଦଣ୍ଡବତ ପକେଇଲେ। ଏତିକିବେଳେ ମଧୁବାବୁ ବଡ଼ ପାଟିରେ କହିଲେ। ଏ ଜମି କାହାର। ଏଡେବଡ଼ ଖାଲ କରିଛି ଯେ, ମୋ ଘୋଡା ଗଳିପଡିଲା। ସିଏ ଦଣ୍ଡିତ ହେବ ତାକୁ ଡକାଅ।
ଗାଁ ବାଲାଙ୍କ ହାଲେ ହାଲେ ଭୟ। ଏଡେ ବଡ଼ ଲୋକ। କୋଟ କଚେରିରେ ପୂରେଇ, ଜେଲ କରେଇଦେବେ। ସମସ୍ତ ସେ ବୁଢୀ ଆଡକୁ ଆଙ୍ଗୁଠି ଉଠେଇଲେ। କହିଲେ ଏ ଜମି ଏଇ ବୁଢୀର। ଗହଳି ଭିତରେ ଜବରଦଖଲ କରିଥିବା ସେ ଲୋକ ବି ଥିଲା। ସମସ୍ତଙ୍କ କଥାରେ ସିଏ ବି ହଁ ଭରିଲା। କହିଲା ଏ ଜମି ସେଇ ବୁଢୀର। ମଧୁବାବୁ ରାଗ ତମତମ ହୋଇ ସମସ୍ତଙ୍କୁ କାଗଜରେ ଦସ୍ତଖତ କରିବାକୁ କହିଲେ। ସଭିଏଁ ଦସ୍ତଖତ କଲେ। ଆଉ ସମସ୍ତଙ୍କୁ ଜାଗା ଛାଡି ଯେଝା କାମରେ ଯିବାକୁ କହିଲେ।
ବୁଢୀକୁ ଏକଲା ଡାକି ମଧୁବାବୁ କହିଲେ। ମାଉସୀ ଲୋ, ଏ ଯାଗା ତୋର ଥିଲା, ତୋର ହେଇ ରହିବ। ଏ କାଗଜ ଖଣ୍ଡ ରଖେ। ତୋଠୁ ତୋ ଜମି ଆଉ କେହି ନେଇ ପାରିବେନି।
ବୁଢୀ ଆଖିରେ ଆଖିଏ ଲୁହ। ମଧୁବାବୁଙ୍କୁ ଏକାଲୟରେ ଚାହିଁଥାଏ। ଆଉ କହୁଥାଏ। ସତରେ ଏ ଉତ୍କଳର ତୁମେ ହିଁ ଗୌରବ। ହେ ଉତ୍କଳ ଗୌରବ। ଆଜି ଉତ୍କଳ ଦିବସରେ ମଧୁବାବୁଙ୍କୁ କାହାଣୀରେ କାହାଣୀରେ ଆମେ ସ୍ମୃତିଚାରଣ କରୁଛି। ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଦିଗରେ ତାଙ୍କ ଭୂମିକା ଅନସ୍ବୀକାର୍ଯ୍ୟ।