କାହାଣୀ ଭକ୍ତ ବନ୍ଧୁ ମହାନ୍ତିଙ୍କର। ଯାଜପୁରିଆ ବନ୍ଧୁ ବୋଇଲେ, ସାରା ଓଡ଼ିଶାରେ ଜାଣନ୍ତି ଭକ୍ତ ଚରିତ୍ରଟିକୁ। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକର ଗୋଟିଏ ଗରିବ କରଣ ପରିବାରରେ ତାଙ୍କର ଜନ୍ମ ହୋଇଥିଲା। ଦାରିଦ୍ର୍ୟର କଷାଘାତ ଭିତରେ ସମୟ କଟୁଥାଏ। ପତ୍ନୀ ୨ କନ୍ୟା ଓ ପୁତ୍ରକୁ ଭଲ ଜୀବନଟିଏ ଦେବାକୁ ତାଙ୍କ ଅଣ୍ଟିରେ ଅର୍ଥ ନ ଥିଲା। ହୃଦୟରେ କାଳିଆ ସାଆନ୍ତଙ୍କ ଭକ୍ତି ନେଇ ସେ ଯାଜପୁରରୁ ଚାଲି ଆସିଥିଲେ ଶ୍ରୀକ୍ଷେତ୍ର। ଆଉ ଏଇ ପେଜନଳାରୁ ପେଜ ମୁନ୍ଦାଏ ପିଇ ଶୋଇଥିଲେ ଭକ୍ତ। କୃପା କରିଥିଲେ କାଳିଆ ସାଆନ୍ତ। ମହାପ୍ରଭୁଙ୍କୁ ବନ୍ଧୁ ବୋଲି ସମ୍ବୋଧିତ କରୁଥିବା ଏହି ଭକ୍ତଙ୍କୁ ମିଳିଥିଲା କୃପାସିନ୍ଧୁ ଜଗନ୍ନାଥଙ୍କ ପରମ କରୁଣା।
ଏଇ ସେ ଶ୍ରୀମନ୍ଦିର। ଯିଏ ସବୁ ଦେଖିଛି। ଏ ଜାତୀର କୋଟି କୋଟି ଜାତକର ଇତିହାସକୁ ସେ ଜାଣିଛି। ଦେଖିଛି, ସାଲବେଗଙ୍କ ଭକ୍ତି। ବଳରାମ ଦାସଙ୍କ ମତ୍ତ ପଣିଆ। ଆଉ ଅନୁଭବ କରିଛି ବଡ଼ ଠାକୁରଙ୍କ ବଡ଼ ବନ୍ଧୁ, ବନ୍ଧୁ ମହାନ୍ତିଙ୍କ ଆର୍ତ୍ତ ପଣିଆକୁ।
ଦ୍ରାଢ୍ୟତା ଭକ୍ତିର ପୃଷ୍ଠା କହୁଛି, ବନ୍ଧୁମହାନ୍ତିଙ୍କୁ କୃପା କରିଛନ୍ତି ମହାପ୍ରଭୁ। ସବୁ ଭକ୍ତଙ୍କ ପରି ତାଙ୍କୁ ମଧ୍ୟ ପରୀକ୍ଷା ଦେବାକୁ ପଡିଛି। ରତ୍ନଥାଳି ଚୋରି ଅଭିଯୋଗରେ ମାଡ଼ ଖାଇଛନ୍ତି ବନ୍ଧୁ। ଖୋରଧା ରାଜଧାନୀରେ ଶୋଇଥିବା ଗଜପତିଙ୍କୁ ସ୍ବପ୍ନାଦେଶ ପରେ ମୁକ୍ତ ହୋଇଛନ୍ତି ଭକ୍ତ ବନ୍ଧୁ ମହାନ୍ତି। ପାଟ ଶିରିପା ବନ୍ଧା ହୋଇଛି ମଥାରେ। ମିଳିଛି ରାଜସେବା ପାଇଁ ପଦବୀ। ଭକ୍ତ ବନ୍ଧୁ ମହାନ୍ତିଙ୍କ କାହାଣୀ ହୁଏତ ଆଜି ଇତିହାସ ହୋଇଯାଇଛି। ହେଲେ ଏଇ ଇତିହାସର ମୁକସାକ୍ଷୀ ହୋଇ ଠିଆ ହୋଇଛି, ପେଜନଳା ପାଖରେ ବନ୍ଧୁ ମହାନ୍ତି ଆଶ୍ରମ।
ବନ୍ଧୁ ମହାନ୍ତି ନାହାନ୍ତି। ସେବକ କୁହନ୍ତି ତାଙ୍କ ଭକ୍ତିପୂତ ଜୀବନର କିଛି ସେବା ନେଇଛି ବଡ଼ଓଡ଼ିଆ ମଠ। କିନ୍ତୁ ଆଜି ବି ଶାନ୍ତ କୋଳମ ପରିବେଶ ଭିତରେ କାଳିଆର କେତେ କେତେ ବନ୍ଧୁଙ୍କୁ ଏଇ ବରଗଛ ଆଶ୍ରୟ ଦେଉଛି। ଅପେକ୍ଷା କରିଛି ପୁଣି ଜଣେ ବନ୍ଧୁ ମହାନ୍ତିଙ୍କ ଆଗମନକୁ।