ଏ ପ୍ରଶ୍ନର ଉତ୍ତର ଆମେ ଆପଣଙ୍କୁ ଦେବୁ। କେବେଠାରୁ ଆଉ କ’ଣ ପାଇଁ ଶ୍ରୀ ଜଗନ୍ନାଥ ମହାପ୍ରଭୁ ରାମ ବେଶରେ ସଜେଇ ହେଉ ନାହାନ୍ତି ?
୧୯୦୫ ଏପ୍ରିଲ ୬ ତାରିଖରେ ରାମ ବା ରଘୁନାଥ ବେଶରେ ଶେଷ ଥର ପାଇଁ ଶ୍ରୀଜିଉମାନେ ଦର୍ଶନ ଦେଇଥିଲେ। କିନ୍ତୁ ତା ପରଠାରୁ ଏ ବେଶ ଆଉ ହୋଇପାରି ନାହିଁ। ଏହା ଶ୍ରୀମନ୍ଦିରର ସବୁଠାରୁ ବ୍ୟୟବହୂଳ ବେଶ ହୋଇଥିବାରୁ ସୁରକ୍ଷା ଦୃଷ୍ଟିରୁ ଏହାକୁ କରାଯାଇପାରୁ ନାହିଁ।
ରତ୍ନସିଂହାସନରେ ଆରୁଢ ଚତୁର୍ଦ୍ଧା ମୂର୍ତ୍ତି ରାମ, ଲକ୍ଷ୍ମଣ ଓ ଶାନ୍ତା(ଶ୍ରୀ ରାମଙ୍କ ଭଉଣୀ) ରୂପରେ ବିଦ୍ୟାମାନ ହୁଅନ୍ତି। ଶ୍ରୀ ବଳଭଦ୍ର ଲକ୍ଷ୍ମଣ ରୂପରେ ଛତ୍ର ଧାରଣ କରିଥାନ୍ତି। ଶ୍ରୀ ଜଗନ୍ନାଥ ରାମ ରୂପେ ଧନୁ ଓ ତୀର ଧାରଣ କରି ବସିଛନ୍ତି। ଜଗନ୍ନାଥ ମହାପ୍ରଭୁ ଗୋଟିଏ ଗୋଡ ମୋଡି ବସିଥିବା ବେଳେ ତାଙ୍କ ଜାନୁରେ ମହାଲକ୍ଷ୍ମୀ ସୀତା ଭାବେ ବସିଥାନ୍ତି। ସୁଭଦ୍ରାଙ୍କୁ ଶ୍ରୀରାମଙ୍କ ଭଗ୍ନୀ ଶାନ୍ତା ଭାବେ ବେଶ କରାଯାଏ। ଦେବୀ ସୁଭଦ୍ରା ଏକ ପଦ୍ମ କଢ ଧାରଣ କରି ଛିଡା ହୋଇଥିବା ମୁଦ୍ରାରେ ରୁହନ୍ତି। ଶ୍ରୀ ସୁଦର୍ଶନ ସାଧା ବେଶରେ ରହିଥିବା ବେଳେ ରତ୍ନସିଂହାନ ତଳେ ରାମାୟଣରେ ବର୍ଣ୍ଣିତ ହନୁମାନ, ଜାମ୍ବବାନ୍, ଭରତ, ଶତ୍ରୁଘ୍ନ, ବ୍ରହ୍ମା, ଶିବ ଓ ବାନର ସେନାର ଅନ୍ୟ ଚରିତ୍ରମାନ ସ୍ଥାନ ପାଇଥାନ୍ତି। ଏହା ସବୁଠାରୁ ବ୍ୟୟବହୂଳ ବେଶ। ଯେଉଁଥିପାଇଁ ରତ୍ନଭଣ୍ଡାରେ ନିର୍ଦ୍ଧିଷ୍ଟ ଗୋଟିଏ କୋଠରୀରେ ଦୁମୂଲ୍ୟ ମଣି ମାଣିକ୍ୟ ରହିଛି। ଯାହା କେବଳ ରଘୁନାଥ ବେଶରେ ହିଁ ବ୍ୟବହାର ହୋଇଥାଏ।
କେତେକଙ୍କ ମତରେ ଏହି ବେଶର ଆରମ୍ଭ କର୍ତ୍ତା ହେଉଛନ୍ତି ରାମାନୁଜାଚାର୍ଯ୍ୟ। କିନ୍ତୁ ଦ୍ୱାଦଶ ଶତାଦ୍ଦୀ ପରଠାରୁ ଏହି ବେଶ ହେଉଥିବା ନେଇ ଯଥେଷ୍ଟ ପ୍ରମାଣ ନାହିଁ । ଗବେଷକ ସ୍ୱର୍ଗିୟ ପଦ୍ମଶ୍ରୀ ସଦାଶିବ ରଥଶର୍ମାଙ୍କ ମତରେ ଖ୍ରୀଷ୍ଟିୟ ଶୋଷଡ ଶତାଦ୍ଦୀରେ ଏହି ବେଶ ଆରମ୍ଭ ହୋଇଥିଲା। ଓଡ଼ିଶାର ପ୍ରଥମ ଖବର କାଗଜ ଉତ୍କଳ ଦୀପିକାରେ ଏ ସମ୍ପର୍କିତ ଶେଷ ଖବର ପ୍ରକାଶିତ ହୋଇଥିଲା। ଏହାର ତଥ୍ୟକୁ ଆଧାର କରି କୁହାଯାଏ ଯେ, ୧୯୦୫ ଏପ୍ରିଲ ୬ ତାରିଖରେ ଏହି ବେଶରେ ଶେଷ ଥର ପାଇଁ ଶ୍ରୀଜିଉମାନେ ଦର୍ଶନ ଦେଇଥିଲେ। ସେ ସମୟରେ ଏହି ବେଶ ଦର୍ଶନ ପାଇଁ କେବଳ ମନ୍ଦିର ବେଢାରେ ୬୦ ହଜାର ଲୋକ ରହିଥିଲେ ବୋଲି ରିପୋର୍ଟରେ ପ୍ରକାଶ ପାଇଥିଲା। ଯାହାକୁ ଦେଖି ଶୃଙ୍ଖଳା ରକ୍ଷା ପାଇଁ ପୁଲିସ୍ ବ୍ୟବସ୍ଥା ଫେଲ୍ ହୋଇଯାଇଥିଲା।
ଇତିହାସ କହୁଛି ୧୫୭୭ ମସିହା, ୧୭୩୯ ମସିହା, ୧୮୦୯ ମସିହା(୧୨୧୬ ସାଲ), ୧୮୪୨(୧୨୪୯ ସାଲ), ୧୮୫୦ ମସିହା, ୧୮୯୩ ଓ ୧୮୯୬(ଗଜପତି ମୁକୁନ୍ଦ ଦେବଙ୍କ ସମୟରେ) ଓ ୧୯୦୫ ମସିହାରେ ଏହି ବେଶ ଅନୁଷ୍ଟିତ ହୋଇଥିଲା।
ଆଗାମୀ ବର୍ଷ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ହେଉଛି। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ଏହି ଦୁର୍ଲଭ ରଘୁନାଥ ବେଶ ପୁଣି କରାଗଲେ ଭଲ ହୁଅନ୍ତା ବୋଲି କୁହାଯାଉଛି।