ଖରସ୍ରୋତା ନଦୀରେ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣକୁ ନେଇ ମୁହାଁମୁହିଁ ହୋଇଛନ୍ତି ଜିଲ୍ଲା ପ୍ରଶାସନ ଓ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି । ଖରସ୍ରୋତା ନଦୀରେ ପ୍ରକଳ୍ପ ନିର୍ମାଣକୁ ବିରୋଧ କରି ଗତ ୨ ବର୍ଷ ହେବ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ପକ୍ଷରୁ ଆନ୍ଦୋଳନ ଚାଲିଛି।
କୃଷି, କୃଷକ ଓ ଜୈବ ବିବିଧତାକୁ ଛାରଖାର କରି କୌଣସି ପରିସ୍ଥିତିରେ ବି ଖରସ୍ରୋତାରୁ ବୁନ୍ଦାଏ ପାଣି ଦିଆଯିବ ନାହିଁ ବୋଲି ସମିତି ପକ୍ଷରୁ ଚେତାବନୀ ଦିଆଯାଉଛି। ହେଲେ ନଛୋଡ଼ବନ୍ଧା ପ୍ରଶାସନ ବି ପ୍ରକଳ୍ପ ନିର୍ମାଣ ଲାଗି ପ୍ରସ୍ତୁତ କରି ସାରିଛି ଆକ୍ସନ ପ୍ଲାନ। କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ପ୍ରଶାସନ ପକ୍ଷରୁ ଗତ ରାତିରୁ ୨ ମାସ ପାଇଁ ଲଗାଯାଇଛି ୧୪୪ ଧାରା। ପ୍ରକଳ୍ପକୁ ଲାଗିରହିଥିବା କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ନିକଟସ୍ଥ ଭାରିଗଦା,ବାଳକାଟି ଓ ବରୁଣାଡିଆ ଆଦି ତିନୋଟି ପଂଚାୟତରେ ୧୪୪ ଧାରା ଜାରି କରାଯାଇଛି।
କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାର ଭରିଗଦାରେ ୮୦୦ କୋଟି ଟଙ୍କା ବିନିମୟରେ ପ୍ରସ୍ତାବିତ ମେଗା ପାନୀୟଜଳ ପ୍ରକଳ୍ପ ପାଇଁ ମିଳିଛି ଅନୁମତି । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଭଦ୍ରକ ଜିଲ୍ଲାର ୪ ବ୍ଲକକୁ ପାନୀୟ ଜଳ ଯୋଗାଇ ଦିଆଯିବ। କିନ୍ତୁ ସ୍ଥାନୀୟ ଅଞ୍ଚଳରେ ନଦୀ ପାଣି ଲୁଣା ହୋଇଯିବ। ପାଣି ଅଭାବ ଯୋଗୁଁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେବ । ଜୈବ ବିବିଧତା ଉପରେ ଏହାର ଘୋର ପ୍ରଭାବ ପଡ଼ିବ ବୋଲି କୁହାଯାଇ ସମିତି ପକ୍ଷରୁ ଏହାକୁ ବିରୋଧ କରାଯାଉଛି। ଏପରିକି ଗତ ୨ ବର୍ଷ ହେବ ସଭା, ସମିତି, ଧାରଣା ତଥା ମାନବଶୃଙ୍ଖଳ ଜରିଆରେ ଏହି ପ୍ରକଳ୍ପକୁ ବିରୋଧ କରାଯାଉଥିବା ବେଳେ ପ୍ରଶାସନ ସହ ବାରମ୍ବାର ଆଲୋଚନା ବି ଫେଲ୍ ମାରିଛି।
କୃଷି, କୃଷକ, ଜୈବ ବିବିଧତାକୁ ଛାରଖାର କରି କୌଣସି ପରିସ୍ଥିତିରେ ବି ଖରସ୍ରୋତାରୁ ବୁନ୍ଦାଏ ପାଣି ଦିଆଯିବ ନାହିଁ ବୋଲି ସମିତି ଚେତାବନୀ ଦେଇଛି । ଖରସ୍ରୋତା ନଦୀର ତଳମୁଣ୍ଡରେ ବ୍ୟାରେଜ ନିର୍ମାଣ କରି ପାନୀୟଜଳ ପ୍ରକଳ୍ପ ନିର୍ମାଣ କରିବା ପାଇଁ ଆନ୍ଦୋଳନକାରୀ ଦାବି କରିଛନ୍ତି । ସମିତିର ବିରୋଧ ପରେ ଆଳି, ରାଜକନିକା ପାଇଁ ଆଉ ଏକ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ନିମନ୍ତେ ପ୍ରତିଶ୍ରୁତି ଦିଆଯାଇଛି। କିନ୍ତୁ ଏହାକୁ ସ୍ଥାନୀୟ ଲୋକେ ସହଜେ ଗ୍ରହଣ କରିପାରୁ ନାହାନ୍ତି।