ମାତ୍ର ତଦନ୍ତ ସରିନଥିବା କାରଣରୁ ପୁଲିସ ଅଟକ ରଖିଥିବା ସନ୍ଦିଗ୍ଧକୁ ହତ୍ୟାକାରୀ ବୋଲି ଆନୁଷ୍ଠାନିକ ଭାବେ ଘୋଷଣା କରିନାହିଁ।ଗତକାଲି ରାତିରେ ତାକୁ ନୟାଗଡ଼ରୁ ଉଠାଯାଇଛି ଓ ଥାନାରେ ଘନଘନ ଜେରା ଚାଲିଛି। ପ୍ରେମଜନିତ ବିବାଦ କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି ବୋଲି ପୁଲିସ ହାତରେ ଯଥେଷ୍ଟ ପ୍ରମାଣ ଲାଗିଛି।ଶୁଭଶ୍ରୀଙ୍କ ଫୋନ୍ ଯାଞ୍ଚ କରୁଥିବା ପୁଲିସ ଟିମ୍ ହାତରେ ଲାଗିଛି ସନ୍ଦେହର ବଡ଼ କାରଣ। ଘଟଣାଦିନ ସନ୍ଧ୍ୟା ସମୟରେ ସନ୍ଦିଗ୍ଧ ଯୁବକଙ୍କୁ ଶୁଭଶ୍ରୀ ବାରମ୍ବାର କଲ୍ କରିଥିବା ଜଣାପଡ଼ିଛି। ୪୫ ମିନିଟ୍ରେ ସେ ପ୍ରାୟ ୭ ଥର କଲ୍ କରିଛନ୍ତି। ସନ୍ଧ୍ୟା ୬ଟାରୁ ୬.୪୫ ମିନିଟ୍ ଭିତରେ ଶୁଭଶ୍ରୀ ତାକୁ ୭ ଥର ଫୋନ୍ କରିଥିବା ସିଡିଆର୍ ରିପୋର୍ଟରୁ ଜଣାପଡ଼ିଛି। ଶେଷ କଲ୍ରେ ସେ ସନ୍ଦିଗ୍ଧ ସହ ପ୍ରାୟ ୨୭ ସେକେଣ୍ଡ ପାଇଁ କଥା ହୋଇଛନ୍ତି।
ଏହା ବାଦ୍ ପୁଲିସ ଅନନ୍ତଙ୍କୁ ପଚରାଉଚରା କଲା ବେଳେ ଶୁଭଶ୍ରୀ ଓ ଉକ୍ତ ସନ୍ଦିଗ୍ଧ ବାବଦରେ ବି ସମ୍ୟକ୍ ସୂଚନା ପାଇଥିବା ଜଣାପଡ଼ିଛି।ଏନେଇ ପୁଲିସ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନଥିଲେ ମଧ୍ୟ ଶୁଭଶ୍ରୀଙ୍କ କଲ୍ ରେକର୍ଡରୁ ସନ୍ଦିଗ୍ଧର ମୋବାଇଲ୍ ନମ୍ବର ମିଳିଥିଲା ଓ ପୁଲିସ ଟ୍ରାକ୍ କରି ନୟାଗଡ଼ରେ ପହଞ୍ଚିଥିଲା। ତାକୁ ନୟାଗଡ଼ରୁ ଉଠାଇବା ପରେ ପୁଲିସ ତା’ ମୋବାଇଲ୍ ଫୋନ୍ ଜବତ କରି ଯାଞ୍ଚ କରିଥିଲା। ଘଟଣାଦିନ ସେ ଭୁବନେଶ୍ୱରରେ ସତ୍ୟନଗରରେ ଥିବା ଜଣାପଡ଼ିଛି। ରାତି ପ୍ରାୟ ୮ଟା ପରେ ସେ ଭୁବନେଶ୍ୱର ଛାଡ଼ି ନୟାଗଡ଼ ଚାଲିଯାଇଥିବା ତା ମୋବାଇଲ୍ର ଲୋକେସନ୍ ରେକର୍ଡରୁ ଜଣାପଡ଼ିଛି।
ସୂଚନାନୁସାରେ ଶୁଭଶ୍ରୀ ଓ ସନ୍ଦିଗ୍ଧର ଘର ନୟାଗଡ଼ ଜିଲ୍ଲାରେ। ଫେସ୍ବୁକ୍ରୁ ସେମାନଙ୍କର ବନ୍ଧୁତା ହୋଇଥିଲା। ଘନିଷ୍ଠତା ବଢ଼ିବଢ଼ି ମେସେଞ୍ଜରରେ ଚାଟିଂ ଯାଏ କଥା ଯାଇଥିଲା ଓ ଫୋନ୍ ନମ୍ବର ଦିଆନିଆ ହୋଇ ଘଣ୍ଟା ଘଣ୍ଟା କଥାବାର୍ତ୍ତା ଚାଲିଥିଲା। କଥା ଏତିକିରେ ଅଟକିନଥିଲା। ସେମାନେ ମଝିରେ ମଝିରେ ପରସ୍ପରକୁ ଭେଟୁଥିଲେ। ସେତେବେଳେ ଶୁଭଶ୍ରୀ ତାଙ୍କ ସ୍ୱାମୀ ଅନନ୍ତ ନାରାୟଣ ନାଥଙ୍କ ସହ ପଟିଆରେ ରହୁଥଲେ। ସେମାନଙ୍କ ଲୁଚାଛପା ପ୍ରେମ କିନ୍ତୁ ବେଶି ଦିନ ଅଛପା ରହିନଥିଲା। ଅନନ୍ତ ଘଟଣା ସମ୍ପର୍କରେ ଜାଣିବା ପରେ ଘରେ ପାଟିତୁଣ୍ଡ ହୋଇଥିଲା। ଏମିତିକି ମାରପିଟ୍ ପର୍ୟ୍ୟନ୍ତ କଥା ବଢ଼ିଥିଲା।
ତେବେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବୁଝାମଣା ହୋଇଥିଲା ଓ ଶୁଭଶ୍ରୀ ଉକ୍ତ ଯୁବକ ସହ ଆଉ କୌଣସି ସମ୍ପର୍କ ରଖିବେ ନାହିଁ ବୋଲି ସ୍ବାମୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ତେଣୁ ଅନନ୍ତ ଗତ ଫେବ୍ରୁଆରି ମାସରେ ପଟିଆରୁ ଭଡ଼ା ଘର ଛାଡ଼ି ଶାସ୍ତ୍ରୀନଗରକୁ ଚାଲିଆସିଥିଲେ। କିନ୍ତୁ ଯାହା ଜଣାପଡ଼ିଛି ଶୁଭଶ୍ରୀ ଓ ଉକ୍ତ ସନ୍ଦିଗ୍ଧ ଭିତରେ ସମ୍ପର୍କ ପୂର୍ବ ଭଳି ଅତୁଟ ଥିଲା। ତେଣୁ ଯୁବକ ଜଣକ ମଧ୍ୟ ଦୁଇ ମାସ ହେଲା ସତ୍ୟନଗରରେ ଘର ଭଡ଼ା ନେଇ ରହିଥିଲା ବୋଲି ଜଣାପଡ଼ିଛି। ବଡ଼ କଥା ହେଉଛି ସେମାନଙ୍କ ପ୍ରେମ ନୂଆ କି ପୁରୁଣା ତାହାକୁ ନେଇ ଖୋଳତାଡ୍ ଚାଲିଛି। ଦୁଇଜଣଙ୍କ ଘର ନୟାଗଡ଼ରେ ହୋଇଥିବାରୁ ସେମାନେ ପୂର୍ବରୁ ପରିଚିତ ଥିବା ନେଇ ସନ୍ଦେହ କରାଯାଉଛି।
ଏଣେ ଶୁଭଶ୍ରୀ ଓ ଅନନ୍ତ ମଧ୍ୟ ଭଲ ପାଇ ବିବାହ କରିଥିଲେ। ତେଣୁ ଏସବୁ ପଛରେ ତ୍ରିକୋଣୀୟ ପ୍ରେମର କରୁଣ ପରିଣତି ଥିବା ମଧ୍ୟ ଅନୁମାନ କରାଯାଉଛି।ପୁଲିସକୁ ଏ ସୂଚନା ମିଳିବା ପରେ ଖାରବେଳନଗର ଥାନାରେ ଅଟକ ଥିବା ସନ୍ଦିଗ୍ଧ ଯୁବକଙ୍କୁ ନିଜେ ପଚରାଉଚରା କରିଛନ୍ତି ଡିସିପି । ସେପଟେ ସଂପୃକ୍ତ ଯୁବକଙ୍କୁ ଶୁଭଶ୍ରୀଙ୍କ ସ୍ୱାମୀ ମଧ୍ୟ ଚିହ୍ନିଥିବା ସୂଚନା ମିଳିଛି । ପ୍ରଶ୍ନ ଉଠୁଛି, ଏ ମର୍ଡର ପ୍ଲଟ୍ ପଛର କାରଣ କଣ ? ପ୍ରେମ ନା ପୂର୍ବଶତ୍ରୁତା ? ପୋଲିସ ଏସବୁ ଦିଗକୁ ନେଇ ତଦନ୍ତ କରୁଥିବା ବେଳେ ତାଙ୍କ ପତ୍ନୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା କହିଛନ୍ତି ଶୁଭଶ୍ରୀଙ୍କ ସ୍ୱାମୀ ।
ଗତ ମଙ୍ଗଳବାର ସଂଧ୍ୟା ପ୍ରାୟ ୭ଟା ବେଳେ ଶାସ୍ତ୍ରୀନଗରର ଅଞ୍ଚଳରେ ଘଟିଥିଲା ଏହି ହତ୍ୟାକାଣ୍ଡ । ଶୁଭଶ୍ରୀଙ୍କ ସ୍ୱାମୀ ଘରେ ନଥିବା ବେଳେ ତାଙ୍କ ୪ ବର୍ଷର ପୁଅ ପଡୋଶୀଙ୍କ ଘରକୁ ପାଠ ପଢିବାକୁ ଯାଇଥିଲା । ପୁଅ ଘରକୁ ଫେରିବା ବେଳକୁ ଖଟ ଉପରେ ପଡ଼ି ରହିଥିଲେ ମାଆ । ମାଆକୁ ଉଠାଇବାକୁ ଚେଷ୍ଟା କରି ବିଫଳ ହେବାରୁ ବାପାଙ୍କୁ ଫୋନ୍ କରିଥିଲା ପୁଅ । ପରେ ପାଖ, ପଡୋଶୀଙ୍କୁ ଜଣାଇବାରୁ ଶୁଭଶ୍ରୀଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଅପରାଧ ଖବର ଆହୁରି ପଢ଼ନ୍ତୁ ।