ଖଣିର ପ୍ରାଚୁର୍ଯ୍ୟ ଭିତରେ ଅପପୁଷ୍ଟିର ହୃଦୟ ବିଦାରକ ଘଟଣା । କେବଳ ଦାନଗଦି ନୁହେଁ କିଛି ଦିନ ତଳେ କେନ୍ଦୁଝର ଯୋଡା ବ୍ଲକ ବଳଦା ପଞ୍ଚାୟତରେ ୨ ଦିନ ମଧ୍ୟରେ ଅପପୁଷ୍ଟି ଓ ଉପଯୁକ୍ତ ଚିକିତ୍ସା ଅଭାବରୁ ୨ ଜଣ ଶିଶୁ ଆଖି ବୁଜିଥିଲେ । ଅମାପ ଖଣିଜ ସମ୍ପଦରେ ଭରା ସୁନ୍ଦରଗଡରୁ ମଧ୍ୟ ଦେଖିବାକୁ ମିଳିଥିଲା ଅପପୁଷ୍ଟିର ସଙ୍ଗୀନ ଚିତ୍ର । ୨୦୧୬ରେ ନଗଡାରେ ଅପପୁଷ୍ଟିର ନଗ୍ନ ଚିତ୍ର ସାରା ଦୁନିଆ ଦେଖିଥିଲା । ଓଡିଶାକୁ ମିଳୁଥିବା ରାଜସ୍ଵର ସିଂହ ଭାଗ ଦେଉଥିବା ଏସବୁ ଅଂଚଳ ଏବେ ଭୋକର ଏନ୍ତୁଡିଶାଳ ପାଲଟିଛି ।
ଉପକୂଳଠୁ ଉପାନ୍ତ ସବୁଠି ଅପପୁଷ୍ଟିର ରାଜ । ନ୍ୟାସନାଲ୍ ଫ୍ୟାମିଲି ହେଲଥ ସର୍ଭେ ଅନୁସାରେ, ରାଜ୍ୟରେ 10.7 ଲକ୍ଷ ପିଲା ବୟସ ତୁଳନାରେ ଗେଡା । 5.13 ଲକ୍ଷ ପିଲା ଉଚ୍ଚତା ତୁଳନାରେ ଅଧିକ ପତଳା । ସେହିପରି 10.8 ଲକ୍ଷ ଶିଶୁ ବୟସ ତୁଳନାରେ ବହୁତ କମ୍ ଓଜନର । ଆଶ୍ଚର୍ଯ୍ୟକର କଥା, ଓଡ଼ିଶାରେ ଥିବା ଗେଡା ପିଲା ସଂଖ୍ୟା ଉଗାଣ୍ଡା ସହ ସମାନ । ଆଉ ୧୩ ବର୍ଷ ପରେ ସ୍ବତନ୍ତ୍ର ପ୍ରଦେଶ ଗଠନର ଶହେ ବର୍ଷ ପାଳନ କରିବ ଓଡ଼ିଶା । 2036 ବେଳକୁ ରାଜ୍ୟକୁ ଏକ ନମ୍ବର କରିବାକୁ ପ୍ଲାନ ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର । କିନ୍ତୁ ବଡ ପ୍ରଶ୍ନ, ନିର୍ବଳୁଆ ଓ ନିର୍ବୁଦ୍ଧିଆ ଶିଶୁଙ୍କୁ ନେଇ କେମିତି ଆଗକୁ ଯିବ ଓଡ଼ିଶାର ଭବିଷ୍ୟତ ?